ଭୁବନେଶ୍ବର : ମୋବାଇଲ୍ ଟାୱାରରୁ ବ୍ୟାଟେରି ଚୋରି କରୁଥିବା ଏକ ଗ୍ୟାଙ୍ଗ୍ ଅକସ୍ମାତ ପୁଲିସ ହାବୁଡ଼ରେ ପଡ଼ିଯାଇଛି। ଚୋରି ମାଲ୍ ଧରି ପେଟ୍ରୋଲ୍ ପମ୍ପରେ ଗାଡ଼ିରେ ତେଲ ପକାଇବାକୁ ଯାଇ ଏହି ଗ୍ୟାଙ୍ଗ୍ ଖଣ୍ଡଗିରି ଥାନା ପୁଲିସ ହାବୁଡ଼ରେ ପଡ଼ିଯାଇଛି। ଅଭିଯୁକ୍ତମାନେ ହେଲେ ଜଟଣୀ ତିରୁମଲ୍ଲର ଗ୍ୟାଙ୍ଗ୍ ଲିଡର୍ ରାଜେନ୍ଦ୍ର ବେହେରା, ସତ୍ୟନଗରର ଟିକିନା ପାଣ୍ଡେ, ଜଟଣୀ ବେଲପଡ଼ାର ଚିତ୍ରସେନ ଜେନା ଓ ପ୍ରକାଶ ଜେନା। ଜବତ ହୋଇଥିବା ପିକ୍ଅପ୍ ଭ୍ୟାନ୍(ଓଡି୦୨-ବିଡି-୪୩୧୪) ରାଜେନ୍ଦ୍ରର ପତ୍ନୀ ନାଁରେ ଥିବା ଜଣାପଡ଼ିଛି। ପିକ୍ଅପ୍ ଭ୍ୟାନ୍ରୁ ୨୨ଟି ବ୍ୟାଟେରି ଜବତ କରାଯାଇଛି।
ଏହି ଗ୍ୟାଙ୍ଗ୍ର ଫେରାର୍ ଥିବା ଜଣେ ସଦସ୍ୟ ନନ୍ଦନକାନନ ଅଞ୍ଚଳରେ ରୁହେ। ସେ ଦିନରେ ବାଇକ୍ରେ ବୁଲି ବୁଲି ରେକି କରେ। ଯେଉଁ ମୋବାଇଲ୍ ଟାଵାର ନିଛାଟିଆ ଜାଗାରେ ଥିବ ଓ ସେଠାରେ କେହି ସୁରକ୍ଷାକର୍ମୀ ନ ଥିବେ, ତାହାକୁ ସେ ଟାର୍ଗେଟ୍ କରି ଗ୍ୟାଙ୍ଗ୍ ମୁଖିଆ ରାଜେନ୍ଦ୍ରକୁ ଖବର ଦିଏ। ରାଜେନ୍ଦ୍ର ସହଯୋଗୀମାନଙ୍କୁ ଧରି ରାତିରେ ଉକ୍ତ ଟାଵାର ନିକଟରେ ପହଞ୍ଚିଯାଏ। ଗତ ୩୧ ତାରିଖ ବିଳମ୍ବିତ ରାତିରେ ଖଣ୍ଡଗିରି ଖାରବେଳ ହୋଟେଲ ନିକଟରେ ଥିବା ମୋବାଇଲ ଟାଓ୍ଵାର ପଛ ପଟ ଗେଟ୍ ଦେଇ ଅଭିଯୁକ୍ତମାନେ ପଶିଥିଲେ। ସେଠାରୁ ବ୍ୟାଟେରି ଚୋରି କରିଥିଲେ। ଚୋରି ବେଳେ ସତର୍କ ଘଣ୍ଟି ବାଜିବାରୁ ସୁରକ୍ଷା ଦାୟିତ୍ବରେ ଥିବା କର୍ମଚାରୀ ସେଠାରେ ପହଞ୍ଚିଥିଲେ। କିନ୍ତୁ ସେତେବେଳକୁ ଚୋର ଗ୍ୟାଙ୍ଗ୍ ଫେରାର୍ ହୋଇ ଯାଇଥିଲେ। ସିସିଟିଭି ଫୁଟେଜ୍କୁ ଆଧାର କରି ଗାଡ଼ି ନମ୍ବର ବାହାର କରାଯାଇଥିଲା। ସୂଚନାଯୋଗ୍ୟ, ଗତ ୨୪ ତାରିଖରେ ନୂଆପଲ୍ଲୀ ରେଣ୍ଟାଲ୍ କଲୋନିରେ ଥିବା ମୋବାଇଲ ଟାଵାର, ଏୟାରପୋର୍ଟ ଓ ଖୋର୍ଦ୍ଧା ଅଞ୍ଚଳରୁ ଏହି ସବୁ ବ୍ୟାଟେରି ଚୋରି ହୋଇଥିବା ପୁଲିସ ଜାଣିବାକୁ ପାଇଛି। ୩୧ ତାରିଖ ଚୋରି ପରଠାରୁ ଖଣ୍ଡଗିରି ଥାନା ପୁଲିସ ଉକ୍ତ ଗାଡ଼ି ନମ୍ବରକୁ ଖୋଜୁଥିଲା। ଗତକାଲି ରାତିରେ ଏହି ଗାଡ଼ି ସ୍ଥାନୀୟ ଏକ ପେଟ୍ରୋଲ ପମ୍ପରେ ତେଲ ପକାଉଥିବା ବେଳେ ଖବର ପାଇ ପୁଲିସ ସେମାନଙ୍କୁ ଘେରି ଯାଇଥିଲା।