ମହାନଗର ନିଗମ ଅଞ୍ଚଳରେ କଣ୍ଟାକ୍ଟ ଟ୍ରେସିଂ ପାଇଁ ଆଉ ୪ ‌ରାପିଡ୍‌ ରେସପନ୍ସ ଟିମ୍‌

ଭୁବନେଶ୍ୱର : କରୋନା ସଂକ୍ରମଣରୁ ଲୋକଙ୍କୁ ସୁରକ୍ଷିତ ରଖିବା ପାଇଁ ବିଏମ୍‌ସି ପକ୍ଷରୁ ଆଉ ୪ଟି ନୂଆ ରାପିଡ୍‌ ରେସପନ୍ସ ଟିମ୍‌ (ଆର୍‌ଆର୍‌ଟି)କୁ ସାମିଲ୍‌ କରାଯାଇଛି। ମହାନଗର ନିଗମ ଅଞ୍ଚଳରେ ଏପର୍ଯ୍ୟନ୍ତ ୧୦ଟି ଆର୍‌ଆର୍‌ଟି କୋଭିଡ୍‌-୧୯ ଟ୍ରେସିଂ କରୁଥିବା ବେଳେ ଏହା ୧୪କୁ ବୃଦ୍ଧି ପାଇଛି। ଏହି ୧୪ଟି ଟିମ୍‌ କରୋନା ଆକ୍ରାନ୍ତଙ୍କ ସହ ଯୋଗାଯୋଗ ସହ ସେମାନଙ୍କୁ ବିଭିନ୍ନ ହସ୍ପିଟାଲ ଓ କୋଭିଡ୍‌ କେୟାର ସେଣ୍ଟରକୁ ସ୍ଥାନାନ୍ତର କରୁଛନ୍ତି। ହୋମ୍‌ ଆଇସୋଲେସନ ବାବଦରେ ଖବର ରଖୁଛନ୍ତି। ୧୪ଟି ଟିମ୍‌ ମଧ୍ୟରୁ ୬ଟି ଟିମ୍‌ ଜୋନ୍‌ ସ୍ତରରେ କାର୍ଯ୍ୟ କରୁଥିବା ବ‌େଳେ ଅନ୍ୟ ଟିମ୍‌ଗୁଡ଼ିକ ସେଣ୍ଟ୍ରାଲ୍‌ କୋଭିଡ୍‌ କଣ୍ଟ୍ରୋଲ୍‌ ରୁମ୍‌ରେ କାର୍ଯ୍ୟ କରୁଛନ୍ତି। ସ୍ବାସ୍ଥ୍ୟ ଏକ୍ସପର୍ଟ, କମ୍ୟୁନିଟି ମେଡିସିନ୍‌ ଓ ଆୟୁଷ କ୍ଷେତ୍ରରୁ ବ୍ୟକ୍ତିବିଶେଷ ଏହି ଟିମ୍‌ରେ ରହିଛନ୍ତି। ରାଜଧାନୀରେ କୋଭିଡ୍‌-୧୯ ପରିଚାଳନା ନିମନ୍ତେ କୋଭିଡ୍‌ ଅବଜର୍ଭର ତଥା ମହିଳା ଓ ଶିଶୁ ବିକାଶ ବିଭାଗର ପ୍ରମୁଖ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ବିଏମ୍‌ସି ସମ୍ମିଳନୀ କକ୍ଷରେ ଆୟୋଜିତ ଏକ ସମୀକ୍ଷା ବୈଠକରେ ଏହି ସୂଚନା ଦିଆଯାଇଛି। ଶ୍ରମ ଆୟୁକ୍ତ ଥିରୁମାଲା ନାୟକ ଓ ବିଏମ୍‌ସି କମିସନର ପ୍ରେମ ଚନ୍ଦ୍ର ଚୌଧରୀ ଏହି ଅବସରରେ ଉପସ୍ଥିତ ରହି ମତ ରଖିଛନ୍ତି। ଅପରପକ୍ଷେ ରାଜଧାନୀରେ ଆଜି ୧୪୦୦ ସ୍ବାବ୍‌ ନମୁନା ପରୀକ୍ଷା କରାଯାଇଛି। ପରୀକ୍ଷା ସଂଖ୍ୟା ବୃଦ୍ଧି ପାଉଥିବାରୁ କରୋନା ପଜିଟିଭ୍‌ ଚିହ୍ନଟ ରାଜଧାନୀରେ ବଢ଼ିଛି ବୋଲି ବିଏମ୍‌ସି ପକ୍ଷରୁ ସୂଚନା ଦିଆଯାଇଛି।

ସମ୍ବନ୍ଧିତ ଖବର