ସ୍ପେସା‌ଲ ଡ୍ରାଇଭ୍‌ରେ ଆଉ ୪ ଧରାପଡ଼ିଲେ: ମୋବାଇଲ ଫୋନ୍, ବାଇକ୍, ସାଇକେଲ ଜବତ

ଦିନକ ତଳେ ଧରାପଡ଼ିଥିଲେ ୯

ଭୁବନେଶ୍ବର: ରାଜଧାନୀରେ ଆତଙ୍କ ଖେଳାଇଥିବା ଚୋର, ଲୁଟେରା, ସିନ୍ଧିଚୋରଙ୍କ ବିରୋଧରେ ସ୍ପେସାଲ ଡ୍ରାଇଭ ଆରମ୍ଭ କରିଛି କମିସନରେଟ୍‌ ପୁଲିସ। ବିଭିନ୍ନ ଥାନାରେ ନିୟୋଜିତ ସ୍ପେସାଲ ଟିମ୍ ଏହି ଅପରେସନ୍‌ ଚଳାଇଛନ୍ତି। ଆଜି ୪ଟି ଥାନା ଅଞ୍ଚଳରୁ ୪ଜଣ ଚୋର ଓ ଲୁଟେରା ଧରା ପଡ଼ିଥିବାବେଳେ ସେମାନଙ୍କ ନିକଟରୁ ବାଇକ୍‌, ସାଇକେଲ ଓ ମୋବାଇଲ ଜବତ ହୋଇଛି। ଗତକାଲି ୯ଜଣ ଧରାପଡ଼ିଥିବା ବେଳେ ଦୁଇଦିନ ଭିତରେ ୧୩ଜଣ ଅପରାଧୀ ଧରା ପଡ଼ିଲେଣି।

ପୁଲିସ ସୂଚନା ଅନୁସାରେ, ଗତ ଫେବ୍ରୁଆରି ୫ ତାରିଖରେ ଲୁଇସ୍ ରୋଡ୍‌ରେ ଥିବା ଭିଜିଲାନ୍ସ ଅଫିସ୍‌ ନିକଟରେ ଅବିନାଶ ଶତପଥୀ ନାମକ ଜଣେ ଯୁବକ ମୋବାଇଲ ଫୋନରେ କଥା ହେଉଥିବା ବେଳେ ଲୁଟ୍ ହୋଇଥିଲା। ଏ ନେଇ ସେ ବଡ଼ଗଡ଼ ଥାନାରେ ଅଭିଯୋଗ କରିଥିଲେ। ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଲୁଟେରାଙ୍କ ଟେର୍ ପାଇପାରି ନ ଥିଲା। ସ୍ପେସାଲ ଟିମ୍ ତିଆରି ହେବା ପରେ ଗତକାଲି ରାତିରେ ମୋବାଇଲ ଫୋନ୍ ଲୁଟିଥିବା ଖଣ୍ଡଗିରି ଶିରିପୁର ନୂଆସାହିର ଶୁଭ୍ରକାନ୍ତ ସାହୁ ଓରଫ୍ ଅପୁକୁ ଗିରଫ କରାଯାଇଥିଲା। ଅପୁ ନିକଟରୁ ଦୁଇଟି ମୋବାଇଲ ଫୋନ୍ ଜବତ କରାଯାଇଛି। ସେହିପରି ଖଣ୍ଡଗିରି ଥାନା ପୁଲିସ ଡୁମୁଡୁମା ରଘୁନାଥନଗର ଅଞ୍ଚଳର ଦୀପକ କୁମାର ସାହୁ ଓରଫ୍ ଦୀପୁକୁ ଗିରଫ କରିବା ସହ ତା’ ନିକଟରୁ ହୋଣ୍ଡା ସାଇନ୍ ବାଇକ୍(ଓଡି-୩୩-ବି-୩୫୫୪), ଦୁଇଟି ଦାମୀ ସାଇକେଲ ଜବତ କରିଥିଲା। ସହିଦନଗର ଥାନା ପୁଲିସ ଦୁଇଟି ମାମଲାରେ ଦୁଇଜଣଙ୍କୁ ଗିରଫ କରିଛି। ସେମାନେ ହେଲେ, ଯାଜପୁର ଜିଲ୍ଲା ମଙ୍ଗଳପୁର ଥାନା ଦଶରଥପୁର ଅଞ୍ଚଳର ସୁମନ କର ଓ ରସୁଲଗଡ଼ ଶବର ସାହିର ଶଶିକାନ୍ତ ପ୍ରଧାନ। ସୁମନଠାରୁ ଗୋଟିଏ ଅଟୋ, ଗ୍ୟାସ୍‌ ସିଲିଣ୍ଡର୍‌ ଜବତ କରାଯାଇଥିବା ବେଳେ ଶଶିକାନ୍ତଠାରୁ ମୋବାଇଲ ଜବତ କରିଛି ପୁଲିସ୍‌। ସମସ୍ତ ଅଭିଯୁକ୍ତଙ୍କୁ ଆଜି କୋର୍ଟ ଚାଲାଣ କରାଯାଇଛି। ଡକାୟତି ଯୋଜନା ଅଭିଯୋଗରେ ଗତକାଲି ୯ଜଣଙ୍କୁ ଗିରଫ କରାଯାଇଥିବା ବେଳେ ସେମାନଙ୍କଠାରୁ ବାଇକ୍, ବନ୍ଧୁକ, ମାରଣାସ୍ତ୍ର, ମୋବାଇଲ ଫୋନ୍ ଆଦି ଜବତ କରାଯାଇଥିଲା।

ସମ୍ବନ୍ଧିତ ଖବର