ମୁଣ୍ଡାସାହିର ଜଣେ କରୋନା ପଜିଟିଭ୍‌, ରାଜଧାନୀରେ ଦିନକରେ ୪ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ବର : ରାଜଧାନୀରେ ଗତ ୨୪ଘଣ୍ଟାରେ ଆଉ ୪ଜଣ କରୋନା ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି। ତହିଁରୁ ୨ଜଣ ଘରେ ସଙ୍ଗରୋଧରେ ଥିବା ବେଳେ ଦୁଇଜଣ ସ୍ଥାନୀୟ ଆକ୍ରାନ୍ତ ଅଛନ୍ତି। ଏହାକୁ ମିଶାଇ ଭୁବନେଶ୍ବରରେ କରୋନା ରୋଗୀଙ୍କ ସଂଖ୍ୟା ୧୦୭ରେ ପହଞ୍ଚିଛି। ରାଜଧାନୀର ଦୁଇ ଜଣ ଦିଲ୍ଲୀ ଫେରନ୍ତା ସଙ୍ଗରୋଧରେ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ଭୀମପୁର ଅଞ୍ଚଳର ଜଣେ ୨୭ବର୍ଷର ପୁରୁଷ ଥିବା ବେଳେ ଭରତପୁର ଅଞ୍ଚଳର ୩୬ବର୍ଷର ଜଣେ ପୁରୁଷଙ୍କୁ ଚିହ୍ନଟ କରାଯାଇଛି। ସେହିପରି ଗଞ୍ଜାମ ଜିଲ୍ଲାକୁ ଗସ୍ତ କରି ଡୁମୁଡୁମା ହାଉସିଂବୋର୍ଡ କଲୋନିର ୪୮ବର୍ଷର ପୁରୁଷ ମଧ୍ୟ ଆକ୍ରାନ୍ତ ହୋଇଛନ୍ତି।

ଜୟଦେବବିହାର ମୁଣ୍ଡାସାହି ଅଞ୍ଚଳରୁ ମଧ୍ୟ ଜଣେ କରୋନା ପଜିଟିଭ୍‌ଙ୍କୁ ଚିହ୍ନଟ କରାଯାଇଛି। ସଂପୃକ୍ତ ବ୍ୟକ୍ତି ଜଣକ ରାଜଧାନୀର ଏକ ଘରୋଇ ଡାକ୍ତରଖାନାରେ ଲଣ୍ଡ୍ରିବଏ ଭାବେ କାର୍ଯ୍ୟ କରୁଥିବା ଜଣାପଡ଼ିଛି। ଆଜି ସଂଧ୍ୟାରେ ତାଙ୍କୁ ଘରୁ ନିଆଯାଇ କୋଭିଡ ହସ୍ପିଟାଲରେ ଭର୍ତି କରାଯାଇଛି। ତେବେ ଏହି ଘଟଣାକୁ ନେଇ ସ୍ଥାନୀୟ ଲୋକମାନଙ୍କ ଭିତରେ ଆତଙ୍କ ଖେଳି ଯାଇଛି। ଏହାସହ ଜାଗମରା ଅଞ୍ଚଳର ୩୫ବର୍ଷର ପୁରୁଷ ସୁସ୍ଥ ହୋଇଛନ୍ତି। ଏହାକୁ ମିଶାଇ ରାଜଧାନୀର ୬୦ଜଣ ଆକ୍ରାନ୍ତ ସୁସ୍ଥ ହୋଇସାରିଲେଣି। ୪୩ ସକ୍ରିୟ ଆକ୍ରାନ୍ତ ଏବେ ଚିକିତ୍ସିତ ହେଉଛନ୍ତି।

ସମ୍ବନ୍ଧିତ ଖବର