ସିରିଜ୍‌ ଦୁର୍ଘଟଣାରେ ୪ ଆହତ

ଭୁବନେଶ୍ବର : ଜୟଦେବବିହାର ଓଭରବ୍ରିଜ୍‌ରେ ସିରିଜ୍‌ ଦୁର୍ଘଟଣା ଯୋଗୁଁ ୪ଜଣ ଆହତ ହୋଇଛନ୍ତି। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଆହତମାନଙ୍କୁ ଉଦ୍ଧାର କରି କ୍ୟାପିଟାଲ୍‌ ହସ୍ପିଟାଲ୍‌ରେ ଭର୍ତ୍ତି କରାଇଛି। ଏ ସଂପର୍କରେ ପୁଲିସ୍‌ ୩ଟି ଅଭିଯୋଗ ପରେ ଗାଡ଼ିଗୁଡ଼ିକୁ ଜବତ କରି ଥାନାରେ ଅଟକ ରଖିଛି।

ଗୁରୁବାର ମଧ୍ୟାହ୍ନ ୧୨ଟାରେ ଧରଣୀଧର ମଲ୍ଲିକ ନାମକ ଜଣେ ବ୍ୟକ୍ତି କାର୍‌ରେ ବ୍ରହ୍ମପୁରରୁ ଯାଜପୁରସ୍ଥିତ ଘରକୁ ଫେରୁଥିଲେ। ସେ ଜୟଦେବବିହାର ଓଭରବ୍ରିଜ୍‌ ଅତିକ୍ରମ କରୁଥିବା ବେଳେ ପଛରୁ ଦ୍ରୁତ ଗତିରେ ଆସୁଥିବା ଏକ ହାଇୱା ଧକ୍କା ଦେଇଥିଲା। ଫଳରେ କାର୍‌ଟି ଭାରସାମ୍ୟ ହରାଇ ଜାତୀୟ ରାଜପଥର ଲାଇଟ୍‌ କାମ କରୁଥିବା ଗାଡ଼ିକୁ ଧକ୍କା ଦେଇଥିଲା। କାର୍‌ଟି ରାସ୍ତା ଆରପଟକୁ ଚାଲି ଯିବାରୁ ବିପରୀତ ଦିଗରୁ ଆସୁଥିବା ଅନ୍ୟ ଏକ କାର୍‌ ଭାରସାମ୍ୟ ହରାଇ ଏକ ପିକ୍‌ଅପ୍‌କୁ ଧକ୍କା ଦେଇଥିଲା। ଏଭଳି ୪ଟି ଗାଡ଼ି ଧକ୍କା ଯୋଗୁଁ ୪ଜଣ ଆହତ ହୋଇଥିଲେ। ଅନ୍ୟପଟେ ଦୁର୍ଘଟଣା ଯୋଗୁଁ ରାସ୍ତାରେ ଜାମ୍‌ ସ୍ଥିତି ଉପୁଜିଥିଲା। ଖବର ପାଇ ସହିଦନଗର ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ଗାଡ଼ିଗୁଡ଼ିକୁ ଜବତ କରି ଥାନାକୁ ନେବା ପରେ ସ୍ଥିତି ସ୍ବାଭାବିକ ହୋଇଥିଲା।

ସମ୍ବନ୍ଧିତ ଖବର