ମଦଭାଟିରେ ଉଡ଼ିଲା କାଠଫାଳିଆ, ୪ ଆହତ

ଚନ୍ଦ୍ରଶେଖରପୁର : ସୋମବାର ଅପରାହ୍ଣରେ ମାଷ୍ଟରକ୍ୟାଣ୍ଟିନ୍‌ ଛକରେ ଘଟିଥିବା ରକ୍ତାକ୍ତ ସଂଘର୍ଷକୁ ନେଇ ରାଜଧାନୀରେ ଆତଙ୍କ ଥମି ନଥିବା ବେଳେ ପୁଣି ସଂଧ୍ୟାରେ ଇନ୍‌ଫୋସିଟି ଥାନା ଚୁନୁକୋଳି ବସ୍ତିରେ ଆଉ ଏକ ଗୋଷ୍ଠୀ ସଂଘର୍ଷ ଘଟିଛି। ଏକ ମଦଭାଟିରେ ଦୁଇ ଭିନ୍ନ ବସ୍ତିର ଯୁବକମାନେ କାଠଫାଳିଆରେ ପିଟାପିଟି ହୋଇଛନ୍ତି। କାଠଫାଳିଆ ମାଡ଼ରେ ଗୁରୁତର ଭାବେ ଆହତ ହୋଇଥିବା ୪ ଜଣଙ୍କୁ ପୁଲିସ ହସ୍ପିଟାଲରେ ଭର୍ତ୍ତି କରିଥିବା ବେଳେ ଅନ୍ୟମାନେ ଫେରାର୍ ହୋଇଯାଇଛନ୍ତି।

ସୂଚନାନୁଯାୟୀ ସୋମବାର ସଂଧ୍ୟାରେ ପଥରଗାଡ଼ିଆ ଗଣେଶଘାଟ ବସ୍ତି ଓ ଶିଖରଚଣ୍ଡୀ ପାହାଡ଼ ପଛ ପାଖରେ ଥିବା ଆଦିବାସୀ ବସ୍ତିର କିଛି ଯୁବକ ଚୁନ‌ୁକୋଳି ବସ୍ତିସ୍ଥିତ ଏକ ଦେଶୀ ମଦଭାଟିକୁ ଯାଇଥିଲେ। ଏହି ଭାଟିକୁ ଜଣେ ମହିଳା ଚଳାନ୍ତି। ଯୁବକମାନେ ମଦ ବରାଦ କରି ଭାଟି ବାରଣ୍ଡାରେ ଅପେକ୍ଷା କରି ବସିଥିବାବେଳେ ମହିଳା ବେପାରୀ ଜଣକ ପ୍ରଥମେ ଗଣେଶଘାଟ ବସ୍ତି ଯୁବକମାନଙ୍କୁ ମଦ ଦେଇଥିଲା। ଏହାକୁ ଆଦିବାସୀ ବସ୍ତିର ଯୁବକମାନେ ବିରୋଧ କରିଥିଲେ। ସେମାନଙ୍କୁ ଆଗ ମଦ ଦରକାର ବୋଲି କହି ମହିଳା ବେପାରୀକୁ ଗାଳିମନ୍ଦ କରିଥିଲେ। ଏଥିରୁ ଦୁଇ ପକ୍ଷଙ୍କ ମଧ୍ୟରେ କଥା କଟାକଟି ହୋଇଥିଲା। ଶେଷରେଏହା ହାତାହାତିରେ ପରିଣତ ହୋଇଥିଲା। ଦୁଇ ଗୋଷ୍ଠୀ ସେଠ‌ାରେ ଥିବା ଏକ କାଠ ଦୋକାନରୁ କାଠଫାଳିଆ ଗୋଟାଇ ପରସ୍ପରକୁ ପିଟିବାରେ ଲାଗିଥିଲେ। ଫଳରେ କାହା ମୁଣ୍ଡ ଫାଟି ଯାଇଥିଲା ତ କାହାର ହାତ ଭାଙ୍ଗି ଯାଇଥିଲା। ସେମାନଙ୍କ ପିଟାପିଟି ଦେଖି ମଦଭାଟିକୁ ଆସିଥିବା ଅନ୍ୟମାନେ ଛତ୍ରଭଙ୍ଗ ଦେଇ ପଳାଇଥିଲେ। ମଦବେପାରୀ ମହିଳା ବି ଭାଟି ଛାଡ଼ି ସେଠାରୁ ଅନ୍ତର୍ଧାନ ହୋଇଯାଇଥିଲା। ଖବର ପାଇ ଇନ୍‌ଫୋସିଟି ଥାନା ପିସିଆର୍ ସେଠାରେ ପହଞ୍ଚି ଆହତମାନଙ୍କୁ ହସ୍ପିଟାଲକୁ ପଠାଇଥିଲା। ରିପୋର୍ଟ ଲେଖା ହେବା ପର୍ଯ୍ୟନ୍ତ ଏହି ମାମଲାରେ କାହାକୁ ଗିରଫ କରାଯାଇନାହିଁ।

ସମ୍ବନ୍ଧିତ ଖବର