ଭୁବନେଶ୍ବର: ସନାତନ ଧର୍ମର ପ୍ରତୀକ ସ୍ବରୂପ ଭୁବନେଶ୍ବରର ଛାତି ଉପରେ ୪୬ ବର୍ଷ ଧରି ଅସ୍ତିତ୍ବ ଜାହିର କରି ଆସୁଥିବା ଏହି ମନ୍ଦିର ଓଡ଼ିଶାର ଆଗନ୍ତୁକଙ୍କ ଭ୍ରମଣ ତାଲିକାରେ ନିହାତି ସାମିଲ ହୁଏ। ରାଜଧାନୀର ଠିକ୍‌ କେନ୍ଦ୍ରସ୍ଥଳରେ ଚିତ୍ତାକର୍ଷକ ନିର୍ମାଣଶୈଳୀ, ସ୍ବଚ୍ଛ, ନିର୍ମଳ ପରିବେଶ ସହ ଲାଲ୍‌ ମିଶା ଗେରୁଆ ରଙ୍ଗର ଭବ୍ୟ ମନ୍ଦିର ପର୍ଯ୍ୟଟକଙ୍କୁ ଘଡ଼ିଏ ରହି ଚାହିଁବାକୁ ବାଧ୍ୟ କରେ। ଖାରବେଳନଗରଠାରେ ଅବସ୍ଥିତ ଏହି ଭବ୍ୟ ‘ରାମମନ୍ଦିର’ର ପ୍ରତିଷ୍ଠା କୌଣସି ସରକାରୀ ଉଦ୍ୟମରେ ହୋଇନାହିଁ। ଏହାର ପ୍ରତିଷ୍ଠା ପଛର ଶ୍ରେୟ ଯାଏ ବହୁ ଅଣଓଡ଼ିଆଙ୍କୁ। ସେମାନଙ୍କର ଏହି କୀର୍ତ୍ତି ନିଶ୍ଚିତ ଭାବେ କାଳ କାଳକୁ ଓଡ଼ିଶାକୁ ଗର୍ବିତ କରୁଥିବ।
୧୯୭୫ ମସିହା ପୂର୍ବର କଥା। ‌ରାଜଧାନୀର କିଛି ଧନାଢ଼୍ୟ ତଥା ପ୍ରତିଷ୍ଠିତ ବ୍ୟବସାୟୀ ମିଶି ରାମମନ୍ଦିର ତୋଳିବାର ପରିକଳ୍ପନା କରିଥିଲେ। ବାରଙ୍ଗ କାଚ କାରଖାନାର ମାଲିକ ଯୁଗଳ କିଶୋର ଝୁନ୍‌ଝୁନ୍‌ୱାଲା, ରାଜମହଲ ହୋଟେଲର ତତ୍‌କାଳୀନ ସ୍ବତ୍ତ୍ବାଧିକାରୀ ରାଜକିଶୋର ସାହୁ, ଗୁପ୍ତା କେବୁଲର ଜଗଦୀଶରାୟ ଗୁପ୍ତା, ଶ୍ୟାମସୁନ୍ଦର ଅଗ୍ରୱାଲ୍‌, ହଂସରାଜ ନଡ଼ଲା, ଜଗଦୀଶଚନ୍ଦ୍ର ବୁଦ୍ଧିରାଜା ଓ ବୀରେନ୍ଦ୍ର ପାଠକ ପ୍ରମୁଖ ରାମମନ୍ଦିର ତୋଳିବାକୁ ‘ଶ୍ରୀରାମମନ୍ଦିର ସେବା ସମିତି ଟ୍ରଷ୍ଟ ବୋର୍ଡ’ ଗଠନ କରିଥିଲେ। ଏହି ଟ୍ରଷ୍ଟ୍‌ର ସଦସ୍ୟ ହେବା ସେହି ସମୟରେ ସହଜ ନଥିଲା। କାରଣ ସଦସ୍ୟତା ବାବଦକୁ ୧୧ ହଜାର ଟଙ୍କା ଦେବାକୁ ପଡ଼ୁଥିଲା। ଏହି ୭ ଜଣଙ୍କ ୭୭ ହଜାର ଟଙ୍କାରେ ମନ୍ଦିର ନିର୍ମାଣ ଯୋଜନା ଆଗକୁ ବଢ଼ିଥିଲା। ହେଲେ ମନ୍ଦିର କେଉଁଠାରେ ହେବ, ଜାଗା କିଏ ଦେବ ଓ ଟଙ୍କା କେଉଁଠୁ ଆସିବ; ସେ ନେଇ ଭାଳେଣି ପଡ଼ିଲା। ବହୁ ମାନସମନ୍ଥନ ପରେ ତତ୍‌କାଳୀନ ମୁଖ୍ୟମନ୍ତ୍ରୀ ନନ୍ଦିନୀ ଶତପଥୀ ରାମମନ୍ଦିର ସମ୍ମୁଖରେ ଥିବା ଜାଗାକୁ ଲିଜ୍‌ ସୂତ୍ରରେ ନେଇ ମନ୍ଦିର ନିର୍ମାଣ ପାଇଁ ଅନୁମୋଦନ ଦେଇଥିଲେ। ଏହି ଜାଗା ଥିଲା ବଲାଙ୍ଗୀର ରାଜ ପରିବାରର। ସେହି ସମୟରେ ସେଠାରେ ହୋଟେଲ ପ୍ରାଚୀ ଥିଲା। କୌଣସି କାରଣରୁ ଏହି ଜାଗାରେ ମନ୍ଦିର ନିର୍ମାଣ ନ ହୋଇ ଏହା ସମ୍ମୁଖସ୍ଥ ୧ ଏକର ସରକାରୀ ଜାଗାକୁ ୯୦ ବର୍ଷ ପା‌ଇଁ ଲିଜ୍‌ରେ ଦିଆଗଲା। ସନ୍ନିକଟ ଆଉ ଦେଢ଼ ଏକର ସ୍ଥାନରେ ମନ୍ଦିରର ପାରିପାର୍ଶ୍ବିକ କ୍ଷେତ୍ର ପ୍ରସ୍ତୁତ କରାଯାଇଥିଲା। ୧୯୭୫ ମସିହା ମାର୍ଚ୍ଚ ୧୫ରେ ମନ୍ଦିରର ଶୁଭ ପଡ଼ିଥିଲା। 
ମନ୍ଦିରର ମୁଖ୍ୟ ପୂଜକ ମହାରୁଦ୍ର ଝା କହିଛନ୍ତି, ମନ୍ଦିର ନିର୍ମାଣ ସେ ୭୭ ହଜାର ଟଙ୍କା ସହ ବହୁ ସ୍ଥାନରୁ ଦାନ ଗ୍ରହଣ କରାଯାଇଥିଲା। ଏପରିକି ମନ୍ଦିର ପାଇଁ ମାର୍ବଲ, ମୂର୍ତ୍ତି ଓ ଆନୁଷଙ୍ଗିକ ସାମଗ୍ରୀ ଦାନସୂତ୍ରରୁ ଆସିଥିଲା। ମନ୍ଦିର ନିର୍ମାଣ କାର୍ଯ୍ୟ ୪ ବର୍ଷରେ ଶେଷ ହୋଇ ୧୯୭୯ ମସିହା ଜୁନ୍‌ ୨୬ରେ ପ୍ରତିଷ୍ଠା ଉତ୍ସବ ଅନୁଷ୍ଠିତ ହୋଇଥିଲା। ରାମମନ୍ଦିରର ପ୍ରତିଷ୍ଠା ସମାରୋହ ସେ ସମୟରେ ବେଶ୍‌ ଭବ୍ୟ ଥିଲା। ଚାରିଧାମର ଶଙ୍କରାଚାର୍ଯ୍ୟଙ୍କ ସହ ବନାରସର ୧୫ ପଣ୍ଡିତ, ପଶ୍ଚିମବଙ୍ଗ, ବିହାର, ଝାରଖଣ୍ଡ ଆଦିରୁ ବ୍ରାହ୍ମଣମାନେ ଯୋଗ ଦେଇଥିଲେ। ପୁରୀଗଜପତି ଦିବ୍ୟସିଂହ ଦେବଙ୍କ ସହ ବହୁ ବିଶିଷ୍ଟ ବ୍ୟକ୍ତି ସମାରୋହରେ ସାମିଲ ହୋଇଥିଲେ। ମୁଖ୍ୟ ମନ୍ଦିରରେ ରାମ, ସୀତା ଓ ଲକ୍ଷ୍ମଣ ଅଧିଷ୍ଠିତ ହୋଇଥିବା ବେଳେ ମନ୍ଦିର ପରିସରରେ ରାଧାକୃଷ୍ଣ, ପଞ୍ଚମୁଖୀ ହନୁମାନ, ଶିବ, ଲକ୍ଷ୍ମୀ, ଗଣେଶ ଓ ରାଣୀ ସତୀଙ୍କ ମନ୍ଦିର ରହିଛି। ରାଜସ୍ଥାନର ମକ୍‌ରାନାରୁ ଧଳା ଚିକ୍‌ଚିକ୍‌ ମୂର୍ତ୍ତି ଅଣାଯାଇଥିଲା। ମନ୍ଦିରର ନିର୍ମାଣଶୈଳୀ ଆକର୍ଷଣୀୟ ହୋଇଥିବା ବେଳେ କୋଲ୍‌କାତାର ଏକ ଆର୍‌କିଟେକ୍ଟ କମ୍ପାନି ଏହାର ଡିଜାଇନ୍‌ ପ୍ରସ୍ତୁତ କରିଥିଲା। 
ମନ୍ଦିର ସଂସ୍କୃତିକୁ ଦୃଢ଼ କରିବା ପାଇଁ ଓଡ଼ିଶା ସମେତ ଉତ୍ତରପ୍ରଦେଶ, ବିହାର, ରାଜସ୍ଥାନ ଆଦି ଅଞ୍ଚଳରୁ ପୂଜକମାନଙ୍କୁ ଏଠାରେ ନିଯୁକ୍ତି ଦିଆଯାଉଥିଲା। ସେତେବେଳେ ପୂଜକମାନଙ୍କୁ ମାତ୍ର ୧୫୦ ଟଙ୍କା ଦରମା ମିଳୁଥିଲା। ସେମାନଙ୍କ ପରିବାର ଚଳିବା ପାଇଁ ଟ୍ରଷ୍ଟ ପକ୍ଷରୁ ମନ୍ଦିର ପରିସରରେ ୧୦ଟି ପୂଜା ଦୋକାନ ଖୋଲି ସେମାନଙ୍କୁ ଦିଆଯାଇଥିଲା। ‌ପୂଜକଙ୍କ ପରିବାର ଲୋକ ସେଠାରେ ବିକ୍ରିବଟା କରି ଚଳୁଥିଲେ। ତେବେ ଟ୍ରଷ୍ଟ୍‌ରେ କିଛି ବିବାଦ ଉପୁଜିବା ‌ପରେ ଏବେ ରାମମନ୍ଦିର ପରିଚାଳନା ଦାୟିତ୍ବ ସରକାରଙ୍କ ଦେବୋତ୍ତର ବିଭାଗ ହାତରେ ନ୍ୟସ୍ତ ‌ହୋଇଛି।