ସିଆରପି ଭେଣ୍ଡିଂ ଜୋନ୍‌ରେ ନିଆଁ : ଜଳିଗଲା ୪ ଦୋକାନ

ଭୁବନେଶ୍ୱର : ସିଆର୍‌ପି ଛକରେ ଥିବା ବିଏମ୍‌ସି ଭେଣ୍ଡିଂ ଜୋନ୍‌ରେ ଆଜି ମଧ୍ୟାହ୍ନ‌‌ରେ ଅଗ୍ନିକାଣ୍ଡ ଘଟି ୪ଟି ଦୋକାନ ଜଳି ଯାଇଛି। ଗୋଟିଏ ଫଳ ଦୋକାନ ସମ୍ପୂର୍ଣ୍ଣ ଜଳି ଯାଇଥିବା ବେଳେ ଅନ୍ୟ ତିନୋଟି ଦୋକାନ ଆଶିଂକ କ୍ଷତି ହୋଇଛି। ଏହି ଅଗ୍ନିକାଣ୍ଡରେ କ୍ଷୟକ୍ଷତିର ପରିମାଣ ଲକ୍ଷାଧିକ ଟଙ୍କା ହେବ ବୋଲି ଅନୁମାନ କରାଯାଉଛି। କେଉଁ କାରଣରୁ ନିଆଁ ଲାଗିଲା, ତାହା ସ୍ପଷ୍ଟ ହୋଇପାରିନାହିଁ। ତେବେ ନିଆଁ ଧାସ ଲାଗି ଦୋକାନଗୁଡ଼ିକ ଉପର ଦେଇ ଯାଇଥିବା ବିଦ୍ୟୁତ୍‌ ତାର ତରଳି ଛିଡ଼ି ପଡ଼ିବାରୁ ସ୍ଥାନୀୟ ଲୋକେ କିମ୍ବା ଦୋକାନୀ ଲିଭାଇବାକୁ ସାହସ କରିପାରି ନଥିଲେ। ଦୀର୍ଘ ଦେଢ଼ଘଣ୍ଟା ଧରି ଦୋକାନଗୁଡ଼ିକ ଜଳିବା ପରେ ବରମୁଣ୍ଡା ଦମକଳବାହିନୀ ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଥିଲା। ଖବର ପାଇ ନୟାପଲ୍ଲୀ ଥାନା ପୁଲିସ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ କରିଥିଲା। ସୂଚନା ମୁତାବକ, ଏହି ଭେଣ୍ଡିଂ ଜୋନ୍‌ରେ ପ୍ରଫୁଲ୍ଲ ମହାନ୍ତି, ମିଥୁନ ବେହେରା, ପ୍ରତାପ ବେହେରା ପ୍ରମୁଖ ଫଳ ଦୋକାନ କରିଥିବା ବେଳେ ସନ୍ତୋଷ ପ୍ରଧାନଙ୍କ ଏକ ପାନ ଦୋକାନ ରହିଛି। ପ୍ରଥମେ ପ୍ରଫୁଲ୍ଲଙ୍କ ଦୋକାନ ପଛରେ ନିଆଁ ଲାଗିଥିଲା। ପରେ ପରେ ଏହା ଉଭୟ ଦିଗକୁ ବ୍ୟାପି ଯାଇଥିଲା।

ସମ୍ବନ୍ଧିତ ଖବର