ରାଜଧାନୀରେ ୨ ସ୍କୁଲର ୪ ଛାତ୍ରଛାତ୍ରୀଙ୍କୁ କରୋନା

ଗୋଟିଏ ଘରୋଇ ଓ ଅନ୍ୟଟି କେନ୍ଦ୍ରୀୟ ସ୍କୁଲ
ଘରୋଇ ସ୍କୁଲର ହଷ୍ଟେଲ ଖାଲି ନିର୍ଦେଶ
ସଙ୍ଗରୋଧରେ ଛାତ୍ରଛାତ୍ରୀ, ଅଭିଭାବକ
ଆଜି ସମସ୍ତଙ୍କ କୋଭିଡ୍‌ ପରୀକ୍ଷା

ଭୁବନେଶ୍ବର : ରାଜଧାନୀର ସ୍କୁଲରେ ପଶିଲା କରୋନା। ଗୋଟିଏ ଦିନରେ ସହରର ୨ଟି ସ୍କୁଲର ୪ଜଣ ଛାତ୍ରଛାତ୍ରୀ କରୋନା ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ତହିଁରୁ ୩ଜଣ ଏକ ଘରୋଇ ସ୍କୁଲର ହୋଇଥିବା ବେଳେ ଅନ୍ୟ ଜଣେ ଛାତ୍ର କେନ୍ଦ୍ରୀୟ ସ୍କୁଲର ବୋଲି ଜଣାପଡ଼ିଛି। ସ୍କୁଲର ଛାତ୍ରଛାତ୍ରୀ କରୋନା ସଂକ୍ରମିତ ହେବା ପରେ ବିଏମ୍‌ସି ପକ୍ଷରୁ ତନାଘନା ଆରମ୍ଭ ହୋଇଛି। ଘରୋଇ ସ୍କୁଲର ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କୁ ହଷ୍ଟେଲ୍‌ ଛାଡ଼ିବାକୁ ନିର୍ଦେଶ ଦିଆଯାଇଥିବା ବେଳେ କେନ୍ଦ୍ରୀୟ ସ୍କୁଲର ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସଙ୍ଗରୋଧରେ ରହିବାକୁ କୁହାଯାଇଛି। ଆସନ୍ତାକାଲି ସେମାନଙ୍କ କୋଭିଡ ପରୀକ୍ଷା ହେବ ବୋଲି ସୂଚନା ମିଳିଛି।

ଘରୋଇ ସ୍କୁଲର କିଛି ଛାତ୍ରଛାତ୍ରୀଙ୍କଠାରେ କରୋନା ଲକ୍ଷଣ ଦେଖିବାକୁ ମିଳିଥିଲା। ପରବର୍ତୀ ସମୟରେ ସେମାନଙ୍କ କୋଭିଡ ନମୁନା ପରୀକ୍ଷା କରାଯାଇଥିଲା। ତହିଁରୁ ଆଜି ୩ଜଣ ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ଯାହାକୁ ନେଇ ସଂପୃକ୍ତ ଘରୋଇ ସ୍କୁଲ କର୍ତୃପକ୍ଷଙ୍କ ଛନକା ପଶିଯାଇଛି। ତୁରନ୍ତ ହଷ୍ଟେଲ ଖାଲି କରିବାକୁ ନିର୍ଦେଶ ଦିଆଯାଇଛି। ଶିକ୍ଷାନୁଷ୍ଠାନରେ ଥିବା ଅନ୍ୟ ହଷ୍ଟେଲଗୁଡ଼ିକ ଉପରେ କଡ଼ା ନଜର ରଖାଯାଇଛି। ହଷ୍ଟେଲର ଅନ୍ୟ ଛାତ୍ରଛାତ୍ରୀ କୋଭିଡରେ ଆକ୍ରାନ୍ତ ହୋଇଛନ୍ତି କି ନାହିଁ ସେ ନେଇ ଆସନ୍ତାକାଲି ନମୁନା ପରୀକ୍ଷା କରାଯିବ। ବିଏମ୍‌ସିର ଜଣେ ଅଧିକାରୀଙ୍କ ସୂଚନା ମୁତାବକ, ଉକ୍ତ ସ୍କୁଲର ୩ଜଣ ଛାତ୍ରଙ୍କଠାରେ କରୋନା ଲକ୍ଷଣ ଦେଖା ଦେଇଥିଲା। ସେମାନେ ହଷ୍ଟେଲରେ ରହୁଥିବାରୁ କୋଭିଡ ପରୀକ୍ଷା କରାଯାଇଥିଲା ଓ ଆଜି ସେମାନେ ପଜିଟିଭ୍ ଥିବା ରିପୋର୍ଟରେ ସ୍ପଷ୍ଟ ହୋଇଥିଲା। ଏହାପରେ ବିଏମ୍‌ସିର ଏକ ଟିମ୍ ଆଜି ସଂପୃକ୍ତ ସ୍କୁଲକୁ ଯାଇ ସ୍ଥିତି ଅନୁଧ୍ୟାନ କରିଛନ୍ତି। ଯେଉଁ ହଷ୍ଟେଲରେ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି ସେଠାରେ ରହୁଥିବା ଅନ୍ତେବାସୀମାନଙ୍କ କୋଭିଡ ପରୀକ୍ଷା କରାଯିବ। ଆବଶ୍ୟକ ପଡ଼ିଲେ ବିଦ୍ୟାଳୟର ଅନ୍ୟ ୪ଟି ହଷ୍ଟେଲରେ ରହୁଥିବା ଛାତ୍ରଛାତ୍ରୀଙ୍କ ନମୁନା ପରୀକ୍ଷା କରାଯିବ। ଏବେ ସ୍କୁଲ ଖୋଲିଥିବାରୁ ଶୁକ୍ରବାର ହଷ୍ଟେଲ ଓ ବିଦ୍ୟାଳୟ କ୍ୟାମ୍ପସ୍‌କୁ ବିଶୋଧନ କରିବା ଦିଗରେ ପଦକ୍ଷେପ ନିଆଯାଉଛି।

ସେହିପରି କେନ୍ଦ୍ରୀୟ ସ୍କୁଲର ଜଣେ ଛାତ୍ର ଆଜି ପଜିଟିଭ୍ ଚିହ୍ନଟ ହୋଇଛନ୍ତି। ସଂପୃକ୍ତ ସ୍କୁଲର ଆଜି ପ୍ରି-ବୋର୍ଡ ପରୀକ୍ଷା ଚାଲିଥିବା ବେଳେ ଦଶମ ଓ ଦ୍ବାଦଶ ଶ୍ରେଣୀର ଛାତ୍ରଛାତ୍ରୀମାନେ ଗୋଟିଏ ଶ୍ରେଣୀଗୃହରେ ପରୀକ୍ଷା ଦେଉଥିଲେ। ତେବେ ପରୀକ୍ଷା ପରେ ଛାତ୍ର ଜଣକ ପଜିଟିଭ୍ ଚିହ୍ନଟ ହୋଇଥିବା ଜଣାପଡ଼ିଥିଲା। ଫଳରେ ସଂପୃକ୍ତ ଶ୍ରେଣୀଗୃହରେ ପରୀକ୍ଷା ଦେଉଥିବା ଛାତ୍ରଛାତ୍ରୀ ଓ ସେମାନଙ୍କ ଅଭିଭାବକମାନଙ୍କୁ ସଙ୍ଗରୋଧରେ ରହିବାକୁ ସ୍କୁଲ କର୍ତୃପକ୍ଷ ନିର୍ଦେଶ ଦେଇଛନ୍ତି। ପଜିଟିଭ୍ ଚିହ୍ନଟ ଛାତ୍ର ଜଣକ ନିଜ ପରିବାର ଲୋକଙ୍କଠାରୁ ସଂକ୍ରମିତ ହୋଇଥିବା ସୂଚନା ମିଳିଛି। ଆସନ୍ତାକାଲି ଛାତ୍ରଛାତ୍ରୀ ଓ ଅଭିଭାବକଙ୍କ କୋଭିଡ ନମୁନା ପରୀକ୍ଷା କରାଯିବ ବୋଲି ସୂଚନା ମିଳିଛି। ସେହିପରି ଆଉ ଏକ ଘରୋଇ ଶିକ୍ଷାନୁଷ୍ଠାନର କିଛି ଛାତ୍ରଛାତ୍ରୀ ଆକ୍ରାନ୍ତ ହୋଇଥିବା ନେଇ ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି।

ପ୍ରତି ଜୋନ୍‌ରେ ପ୍ରତିଦିନ ତିନିଟି ଅନୁଷ୍ଠାନରେ ଟେଷ୍ଟିଂ
ଭୁବନେଶ୍ବର : ବିଏମ୍‌ସି ପକ୍ଷରୁ ବିଭିନ୍ନ ଜୋନ୍‌ରେ ବିଭିନ୍ନ ଆବାସିକ ସ୍କୁଲ, କଲେଜ, ଶିକ୍ଷାନୁଷ୍ଠାନ ଓ ମେସ୍‌ ବ୍ୟବସ୍ଥା ଥିବା ଅନୁଷ୍ଠାନରେ କୋଭିଡ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି। ଗୁରୁବାରଠାରୁ ଏହି ପରୀକ୍ଷା ଆରମ୍ଭ ହେବାକୁ ଥିବାବେଳେ ପ୍ରତି ଜୋନ୍‌ରେ ତିନିଟି ଲେଖାଏଁ ଶିକ୍ଷାନୁଷ୍ଠାନ ଓ ଅନୁଷ୍ଠାନରେ କୋଭିଡ ପରୀକ୍ଷା କରିବାକୁ ବଛାଯାଇଛି। ଗୁରୁବାର ଟ୍ରାଇଡେଣ୍ଟ କଲେଜ, ସିଆରପିଏଫ୍ କ୍ୟାମ୍ପସ, ଓଡିଏମ୍ ସ୍କୁଲରେ କୋଭିଡ ପରୀକ୍ଷା ହେବ। ଯେଉଁ ଶିକ୍ଷାନୁଷ୍ଠାନରେ ମୁଖ୍ୟତଃ ହଷ୍ଟେଲ୍ ବ୍ୟବସ୍ଥା ଅଛି ସେଠାରେ କୋଭିଡ ପରୀକ୍ଷା କରିବାକୁ ନିଷ୍ପତ୍ତି ହୋଇଛି।

ସମ୍ବନ୍ଧିତ ଖବର