ଭୁବନେଶ୍ବର: ଗତ କିଛି ମାସ ହେଲା କମିସନରେଟ୍ ପୁଲିସର ନିଦ ହଜେଇ ଦେଇଥିବା ଚାରିଚକିଆ ଗାଡ଼ି ଚୋର ଗ୍ୟାଙ୍ଗ୍କୁ ଶେଷରେ ଗିରଫ କରିବାରେ ସଫଳ ହୋଇଛି କମିସନରେଟ ପୁଲିସର ସ୍ପେସାଲ୍ ସ୍କ୍ବାଡ୍। ଏହି ଗ୍ୟାଙ୍ଗ୍ର ମାଷ୍ଟରମାଇଣ୍ଡ ଜୁମ୍ମା ସହ ତା’ର ୬ଜଣ ସହଯୋଗୀଙ୍କୁ ଗିରଫ କରିଛି ସ୍ପେସାଲ୍ ସ୍କ୍ବାଡ୍। ସେମାନେ ହେଲେ, ଜଗତପୁର ପୀର୍ ବଜାର ଅଞ୍ଚଳର ସେକ୍ ଜୁମ୍ମା, ସାଲେପୁରର ଅବଦୁଲ୍ ନବିଖାଁ, ମହମ୍ମଦ ଜମିଲ୍ ହୁସେନ୍, ସେକ୍ ଅଲ୍ଲୀଜାନ୍, କୋଲକାତାର ଅଜୟ ଗୁପ୍ତା, କଟକ ଭାଣପୁର ଅଞ୍ଚଳର ଜିତେନ୍ଦ୍ର କୁମାର ମହାନ୍ତି ଓ ଚାଉଳିଆଗଞ୍ଜ ଗାନ୍ଧିପଲ୍ଲୀ ଅଞ୍ଚଳର ସୀମା ଓରଫ୍ ନରନା ପରିଡ଼ା। ପୁଲିସ ସେମାନଙ୍କଠାରୁ ୩୮ ହଜାର ଟଙ୍କା, ଚୋରିରେ ବ୍ୟବହୃତ ୩ଟି ବାଇକ୍, ବ୍ୟାଙ୍କ ଆକାଉଣ୍ଟ, ଗାଡ଼ି କାଟିବାରେ ବ୍ୟବହୃତ କଟର୍ ମେସିନ୍, ଗାଡ଼ିର ଯନ୍ତ୍ରାଂଶ, ସିସିଟିଭି ଫୁଟେଜ୍ ଆଦି ଜବତ କରିଛି।
ଏହି ଗାଡ଼ି ଚୋରି ପଛରେ କାମ କରୁଥିବା ରୢାକେଟ୍ର ଚେର କୋଲକାତା ପର୍ଯ୍ୟନ୍ତ ଲମ୍ବିଥିଲା। ରାଜଧାନୀରୁ ଗାଡ଼ି ଉଠାଇବା ପରେ ଜଗତପୁରରେ ସେ ସବୁକୁ ଖଣ୍ଡ ଖଣ୍ଡ କରି କାଟି ଦିଆଯାଉଥିଲା। ମାଷ୍ଟରମାଇଣ୍ଡ ଜୁମ୍ମାର ସହଯୋଗୀ ଅବଦୁଲ୍ ନବି ଖାଁ, ମହମ୍ମଦ୍ ଜମିଲ୍ ହୁସେନ୍ ଓ ସେକ୍ ଅଲ୍ଲୀଜାନ୍ ଗାଡ଼ି ଉଠାଉଥିଲେ। ୨୦୧୫ ମସିହା ପୂର୍ବର ବୋଲେରୋ ଗାଡ଼ିକୁ ଏମାନେ ଟାର୍ଗେଟ୍ କରୁଥିଲେ।
ଟାର୍ଗେଟ୍ ଗାଡ଼ିକୁ ପେଚକସ୍ ଓ ନକଲି ଚାବି ଦ୍ବାରା ଖୋଲି ଲୁଟି ନେଉଥିଲେ। ଗାଡ଼ି ଲୁଟିବା ପରେ ଜଗତପୁରସ୍ଥିତ ଅଜୟ ଗୁପ୍ତା କବାଡ଼ିଖାନାରେ କଟା ଯାଇ ପାର୍ଟସ୍କୁ ଅଲଗା କରାଯାଉଥିଲା। ଗାଡ଼ି କଟାକଟିରେ ନରନା ପରିଡ଼ା ସହଯୋଗ କରୁଥିଲା। ଗାଡ଼ି ପାର୍ଟସ୍ ଅଲଗା ହେବା ପରେ କଟକ ନୂଆବଜାରସ୍ଥିତ ଜାନୁ ଟ୍ରାନ୍ସପୋର୍ଟର ଟ୍ରକ୍ (ଓଡି୦୫-ଏଏ-୩୪୪୩) ଯୋଗେ କୋଲକାତା ପଠା ଯାଉଥିଲା। କୋଲକାତାର ଜଣେ କବାଡ଼ିଆ ଗାଡ଼ି ପିଛା ୫୦ରୁ ୬୦ ହଜାର ଟଙ୍କା ଗଣି ଦେଉଥିଲା। ଅଜୟ ଗୁପ୍ତା ଆକାଉଣ୍ଟକୁ ଏହି ଟଙ୍କା ଆସୁଥିଲା। ଜୁମ୍ମା ନିଜେ ଗାଡ଼ି ପିଛା ୧୫ ହଜାର ଟଙ୍କା ରଖୁଥିଲା ଓ ବାକି ଟଙ୍କାକୁ ଅନ୍ୟମାନଙ୍କ ମଧ୍ୟରେ ବାଣ୍ଟି ଦେଉଥିଲା। ପୁଲିସ୍ ଅଜୟ ଗୁପ୍ତାର କବାଡ଼ିଖାନାରୁ ଏକ ଡାଏରି ଜବତ କରିଛି। ଉକ୍ତ ଡାଏରିରେ ରାଜଧାନୀରୁ ଚୋରି ହୋଇଥିବା ୧୬ଟି ବୋଲେରୋର ନମ୍ବର ଲେଖାଯାଇଥିବା ପୁଲିସ୍ ସୂଚନା ଦେଇଛି। ସେହିପରି ଟ୍ରାନ୍ସପୋର୍ଟ ସଂସ୍ଥାରୁ ଟ୍ରକ୍ରେ ମାଲ ଲୋଡ୍ ହୋଇଯାଉଥିବା ସମୟର ସିସିଟିଭି ଫୁଟେଜ୍ ମଧ୍ୟ ଜବତ କରାଯାଇଛି।
ଚୋରି ବୋଲେରୋ କଟା ଯାଉଥିଲା କାହିଁକି?
ଏହି ରୢାକେଟ୍ ଚୋରି ବୋଲେରୋକୁ ସିଧାସଳଖ ନବିକି କାଟି ଖଣ୍ଡଖଣ୍ଡ କରି ଦେଉଥିଲେ। ତଦନ୍ତ ଅଧିକାରୀଙ୍କ ସୂଚନାନୁସାରେ ଚୋରି ଗାଡ଼ି ପିଛା ସେମାନେ ଅତି ବେଶିରେ ଲକ୍ଷେ ଟଙ୍କା ପାଇଥା’ନ୍ତେ। ପୁଣି ବିକିବାରେ ସମସ୍ୟା ଥାଏ ଓ ଧରାପଡ଼ିବା ଆଶଙ୍କା ବି ଥାଏ। ତେଣୁ ଲକ୍ଷେ ନ ମିଳୁ ପଛେ ୫୦ହଜାର ଟଙ୍କାରେ ସହଜରେ ବିକ୍ରି ହୋଇ ପାରୁଥିବାରୁ ଓ ଧରାପଡ଼ିବା ଭୟ ନଥିବାରୁ ଜୁମ୍ମା ଏହି ଯୋଜନା କରିଥିଲା।
କେମିତି ଧରାପଡ଼ିଲେ
ପୁଲିସ୍ ଏକ ସିସିଟିଭି ଫୁଟେଜ୍ ଯାଞ୍ଚ କଲା ବେଳେ ପଲସର୍ ବାଇକ୍ରେ ଦୁର୍ବୃତ୍ତମାନଙ୍କୁ ଦେଖିଥିଲା। ପୁଲିସ୍ ସେହି ବାଇକ୍ ନମ୍ବରକୁ ଖୋଳତାଡ଼ କରିବା ପରେ ତାହା ଜୁମ୍ମାର ବୋଲି ଜଣାପଡ଼ିଥିଲା। ଏହା ପରେ ନୂଆପଲ୍ଲୀ ଥାନା ପୁଲିସ ଜୁମ୍ମାକୁ ଗିରଫ କରିବା ସହ ତା’ ନିକଟରୁ ୩ଟି ବାଇକ୍ ଜବତ କରିଥିଲା। ଏହା ପରେ ଆଳୁ ଖୋଳୁଖୋଳୁ ମହାଦେବ ବାହାରିଥିଲେ। ଭରତପୁର ଥାନା ଅଞ୍ଚଳରୁ ୪ଟି, ନୂଆପଲ୍ଲୀରୁ ୫ଟି, ଲକ୍ଷ୍ମୀସାଗରରୁ ୩ଟି, ସହିଦନଗର, ତମାଣ୍ଡୋ, ଚନ୍ଦ୍ରଶେଖରପୁର, ମଞ୍ଚେଶ୍ବର ଓ ଖଣ୍ଡଗିରିରୁ ଗୋଟିଏ ଲେଖାଏ ବୋଲେରୋ ଚୋରି କରିବାରେ ଏହି ଗ୍ୟାଙ୍ଗ୍ର ସମ୍ପୃକ୍ତି ଥିବା ଜଣାପଡ଼ିଥିଲା।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/05/5f4h54f56h4fs56h4fshfshfshfshfshfshfshfshfshfshfshfshfshfshfshfshfshfshfsh.jpg)