ରାଜଧାନୀରେ ୪ ବର୍ଷର ଶିଶୁପୁତ୍ର ନିଖୋଜ, ୨୦ ଦିନ ହେବ ପୁଅକୁ ଖୋଜୁଛନ୍ତି ବାପା-ମା’

ଭୁବନେଶ୍ବର : ରାଜଧାନୀରେ ୪ ବର୍ଷର ଶିଶୁ ପୁତ୍ର ନିଖୋଜ। କେହି ଦୁର୍ବୃତ୍ତ ଶିଶୁଟିକୁ ଚୋରି କରି ନେଇଥିବା ପରିବାର ଲୋକ ଅଭିଯୋଗ କରିଛନ୍ତି। ପୁରୀ ଦର୍ଶନ ପାଇଁ ବିହାରରୁ ଆସିଥିବା ଏକ ପରିବାରର ୪ ବର୍ଷର ପୁଅ ଗତ ୩୧ ତାରିଖରୁ ନିଖୋଜ ଅଛି। ୨୦ ଦିନ ହେଲା ପରିବାର ପୁଅକୁ ଖୋଜି ଖୋଜି ନୟାନ୍ତ ହେଲେଣି। ତଥାପି ଶିଶୁଟିର ସନ୍ଧାନ ମିଳିନାହିଁ। ବାପା-ମାଆ କହିଛନ୍ତି, ପୁଅ ନ ମିଳିଲା ଯାଏ ସେମାନେ ବିହାର ଫେରିବେ ନାହିଁ। ରାସ୍ତାରେ ଯିଏ ଯାଉଛି, ତାକୁ ନେହୁରା ହେଉଛନ୍ତି। କହୁଛନ୍ତି, ପୁଅକୁ ଫେରାଇଦିଅ, ଆମେ ବିହାର ଚାଲିଯିବୁ।

ନାମ ଅସରଦ। ବୟସ ପାଖାପାଖି ୪ ବର୍ଷ। ଡିସେମ୍ବର ୩୧ ତାରିଖ। କାଳିଆ ଦର୍ଶନ କରିବାକୁ ପୁରୀ ଆସିଥିଲେ ବିହାରର ଏହି ପରିବାର। ସାଙ୍ଗରେ ଥିଲେ ଦୁଇ ପୁଅ, ଦୁଇ ଝିଅ। ସକାଳେ ମହାପ୍ରଭୁଙ୍କ ଦର୍ଶନ କରିବା ପରେ ବିହାର ଫେରିବାକୁ ସନ୍ଧ୍ୟାରେ ଆସିଥିଲେ ଭୁବନେଶ୍ୱର ରେଳ ଷ୍ଟେସନକୁ । ପୁଅ ବିସ୍କୁଟ୍ ଖାଇବ ବୋଲି କହିବାରୁ, ମାଷ୍ଟର କ୍ୟାଣ୍ଟିନ ନିକଟ ରାସ୍ତା କଡରେ ଠିଆ ହୋଇ ତାକୁ ଟଙ୍କା ଦେଇଥିଲେ ଆଣିବାକୁ। ପୁଅ ଟଙ୍କା ନେଇ ଗଲା, ହେଲେ ଆଉ ଆସିଲାନି ।

୨୦ ଦିନ ହେଲା ବାପା-ମାଆ ନିଖୋଜ ପୁଅର ଫେରିବା ବାଟକୁ ଅନାଇ ରହିଛନ୍ତି। ରାଜଧାନୀର ପ୍ରାୟ ସବୁ ଗଳିରେ ଖୋଜି ସାରିଲେଣି। ସେପଟେ ପୁଅକୁ ଚୋରି କରାଯାଇଥିବା ନେଇ ଏତଲା ଦେବା ପରେ ପୁଲିସ ବି ଶିଶୁର ସନ୍ଧାନ କରୁଛି। ପୁଅକୁ ନ ପାଇ ବାପା, ମା’ଙ୍କ ଆଖିରୁ ଲୁହ ଶୁଖୁ ନ ଥିବା ବେଳେ ପୁଅର ଫେରିବା ବାଟକୁ ଚାହିଁ ରହିଛନ୍ତି।

ସମ୍ବନ୍ଧିତ ଖବର