ଭୁବନେଶ୍ବର: ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗ ଆନୁକୁଲ୍ୟରେ ଗୁରୁ କେଳୁଚରଣ ମହାପାତ୍ର ଓଡ଼ିଶୀ ଗବେଷଣା କେନ୍ଦ୍ର ଦ୍ୱାରା ରବୀନ୍ଦ୍ର ମଣ୍ଡପରେ ଆୟୋଜିତ ଅନ୍ତର୍ଜାତୀୟ ଓଡ଼ିଶୀ ନୃତ୍ୟ ଉତ୍ସବର ଚତୁର୍ଥ ଦିବସରେ ଅଭିନୟ ଓ ନୃତ୍ୟର ଯୁଗଳବନ୍ଦୀ ଦର୍ଶକଙ୍କୁ ସକାଳୁ ରାତି ଯାଏ ବାନ୍ଧି ରଖିଥିଲା। ଲାସ୍ୟ ଡ୍ୟାନ୍ସ ଏକାଡେମୀର ଶିଳ୍ପୀମାନଙ୍କ ଦ୍ୱାରା ଅଭିନୟ ‘ଶିବମ୍ଧୀମହି’ରୁ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ପରେ ଇତିଶ୍ରୀ ପ୍ରିୟଦର୍ଶନୀ ସିଂ, ମେଘନା ଦାସ, ମେଘମାଳା ଘୋଷାଲ, ସୁମନ ମଣ୍ଡଳ, ସ୍ନେହା ଦୌଳୀ ନୃତ୍ୟାଭିନୟ ପରିବେଷଣ କରିଥିଲେ। ଶେଷରେ ମୃଦୁଗୁଞ୍ଜନ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟାଭିନୟ ‘ଦଶ ମହାଭୂଜା’ ପରିବେଷିତ ହୋଇଥିଲା।
ଅପରାହ୍ନ ଅଧିବେଶନର ପ୍ରଥମ ପ୍ରସ୍ତୁତି ଥିଲା ଶ୍ରୀଜନ ଛାନ୍ଦ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଗୁରୁ ବନ୍ଦନା। ଏହାପରେ ପ୍ରିନ୍ସ ପାଣିଗ୍ରାହୀ, ପ୍ରତୀକ୍ଷା ପ୍ରିୟ, ଗାୟତ୍ରୀ ସାହୁ, ସ୍ୱାତୀପ୍ରଜ୍ଞା ଜେନା ଓ ମୋନାଲିସା ମହାରଣା, ସୂର୍ଯ୍ୟକାନ୍ତ ପ୍ରଧାନ, ରୋଜି ସ୍ୱାଇଁ ନୃତ୍ୟ ପରିବେଷଣ କରିଥିଲେ। ଅଷ୍ଟ୍ରେଲିଆରୁ ଆସିଥିବା ବୈଜୟନ୍ତୀ ସିଂହଙ୍କ ଦ୍ୱାରା ଅଭିନୟ ‘ସତେ କି ଭଙ୍ଗୀ କଲା’ ଓ ଶେଷରେ ଦେବଦାସୀ ଅନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ‘ଜଗନ୍ନାଥଷ୍ଟକମ୍-କଦାଚିତ୍ କାଳନ୍ଦୀ ତଟ ବିପିନେ’ ପରିବେଷିତ ହୋଇଥିଲା।
ସଂଧ୍ୟା ଅଧିବେଶନର ପ୍ରଥମ ପ୍ରସ୍ତୁତିରେ ଥିଲା ଗୁରୁ ଝେଲମ୍ ପରାନ୍ଜାପେଙ୍କ ଦ୍ୱାରା ‘ଦ୍ରୌପଦୀ’ ଅଭିନୟ। ପରେ ସୁଧା ମୁଖୋପାଧ୍ୟାୟଙ୍କ ଦ୍ୱାରା ଖମାଜ ପଲ୍ଲବୀ, ଅର୍ପିତା ସାମଲ ଓ ମୀରାବଳ ସାମନ୍ତରାୟଙ୍କ ଦ୍ୱାରା ‘ମାନିନୀ’, ମଣି କର୍ଣ୍ଣିକାଙ୍କ ଦ୍ୱାରା ‘ଚାରୁକେଶୀ ପଲ୍ଲବୀ’, ଜି. ନାଗେଶ୍ୱରୀଙ୍କ ଦ୍ୱାରା ‘ଶିବାଷ୍ଟକ’, ଅମୂଲ୍ୟ ରାଉତରାୟ ଓ ବଣ୍ଟି ମଣ୍ଡଳଙ୍କ ଦ୍ୱାରା ଦ୍ୱୈତ ନୃତ୍ୟ, ପ୍ରିୟଙ୍କା ଜେନାଙ୍କ ଦ୍ୱାରା ‘ତବ ବିରହେ ବନମାଳୀ’, ମୁନମୁନ୍ ଚକ୍ରବର୍ତ୍ତୀଙ୍କ ଦ୍ୱାରା ‘ଅଷ୍ଟପଦୀ କୁରୁ ଯଦୁ ନନ୍ଦନ’ ଅଭିନୀତ ହୋଇଥିଲା ବେଳେ ଶଂଖନାଦ ନୃତ୍ୟାନୁଷ୍ଠାନର ଶିଳ୍ପୀମାନଙ୍କ ଦ୍ୱାରା ଦଳଗତ ନୃତ୍ୟ ପରିବେଷିତ ହୋଇଥିଲା। ଚତୁର୍ଥ ସଂଧ୍ୟାରେ ଅତିଥି ଭାବେ ବିଶିଷ୍ଟ ଓଡ଼ିଶୀ ନୃତ୍ୟଶିଳ୍ପୀ ଡ. ସ୍ନେହପ୍ରଭା ସାମନ୍ତରାୟ, ଲୋକନୃତ୍ୟ ଘୋଡ଼ାନାଚ ନୃତ୍ୟଗୁରୁ ପଦ୍ମଶ୍ରୀ ଉତ୍ସବ ଚରଣ ଦାସ, ଓଡ଼ିଆ ଭାଷା, ସାହିତ୍ୟ ଓ ସଂସ୍କୃତି ବିଭାଗର ଯୁଗ୍ମଶାସନ ସଚିବ ଦେବ ପ୍ରସାଦ ଦାଶ ଓ ଓଡ଼ିଶୀ ଗବେଷଣା କେନ୍ଦ୍ରର ପ୍ରାଶାସନିକ ଅଧିକାରୀ ଅନୁଜା ତାରିଣୀ ମିଶ୍ର ପ୍ରମୁଖ ଯୋଗଦେଇଥିଲେ। କାର୍ଯ୍ୟକ୍ରମକୁ ଡ. ମୃତ୍ୟୁଞ୍ଜୟ ରଥ ସଂଯୋଜନା କରିଥିଲେ।