ଓଡ଼ିଶୀ ନୃତ୍ୟରେ ଫ୍ରାନ୍ସ ନୃତ୍ୟଶିଳ୍ପୀଙ୍କ କରୋନା ‌ସଚେତନତା

ଭୁବନେଶ୍ବର: କରୋନା ମୁକାବିଲାର ସୂତ୍ରକୁ ଓଡ଼ିଶୀ ନୃତ୍ୟ ମାଧ୍ୟମରେ ବର୍ଣ୍ଣନା କରି ସୋସିଆଲ ମିଡିଆରେ ଛାଡ଼ିଛନ୍ତି ଫ୍ରାନ୍ସର ଓଡ଼ିଶୀ ନୃତ୍ୟଶିଳ୍ପୀ ମହିନା ଖାନୁମ। ସେ ଟ୍ବିଟର ଜରିଆରେ ଏକ ଭିଡିଓ ସେୟାର କରିବା ସହ ଏଥିରେ କରୋନାକୁ ନିଜଠାରୁ ଦୂରେଇ ରଖିବା ପାଇଁ କ’ଣ ସତର୍କତା ମୂଳକ ପଦକ୍ଷେପ ନେବା ଉଚିତ୍‌ ଏବଂ ଏହାର ଲକ୍ଷଣକୁ ବିଭିନ୍ନ ମୁଦ୍ରା, ଅଙ୍ଗଭଙ୍ଗୀ ଓ ମୁଖଭଙ୍ଗୀ ମାଧ୍ୟମରେ ଦର୍ଶାଇଛନ୍ତି। ସଂପ୍ରତି ଲକ୍‌ ଡାଉନ ଯୋଗୁଁ ଘରେ ରହିଥିବା ବ‌େଳେ ଏହି ଭିଡିଓଟି ପ୍ରସ୍ତୁତ କରି ସୋସିଆଲ ମିଡିଆରେ ଏହାକୁ ଛାଡ଼ିଛନ୍ତି। ଏହାର ନୃତ୍ୟ ସଂଯୋଜନା ମହିନା ନିଜେ କରିଥିବା ବ‌େଳେ ସଂଗୀତ ସଂଯୋଜନା ସହ ବଂଶୀବାଦନ କରିଛନ୍ତି ବିଜୟ ତାମ୍ବେ। ରାମପ୍ରସାଦ ଗଣାଭରାମୁ ମର୍ଦଳ ଓ ଅପର୍ଣ୍ଣା ଦେଓଧର ସୀତାର ବାଦନରେ ସହଯୋଗ କରିଛନ୍ତି। ମହିନାଙ୍କ ପୂର୍ବରୁ ଯୁବ ଓଡ଼ିଶୀ ନୃତ୍ୟଶିଳ୍ପୀ ପ୍ରଭାତ କୁମାର ସ୍ବାଇଁଙ୍କ ନୃତ୍ୟ ସଂଯୋଜନାରେ ମଧ୍ୟ କରୋନା ମୁକାବିଲା ବିଷୟ ଆଧାରିତ ଏକ ବୃନ୍ଦ ଓଡ଼ିଶୀ ନୃତ୍ୟ ଚର୍ଚ୍ଚାକୁ ଆସିଥିଲା। ପୂର୍ଣ୍ଣତା ମହାନ୍ତି, ପ୍ରିୟଦର୍ଶିନୀ ପ୍ରଧାନ, ଶ୍ରଦ୍ଧା ରାୟ ମହାପାତ୍ର, ବିଶ୍ବରୂପା ଦୀକ୍ଷିତ ଓ ହରେକୃଷ୍ଣ ଧଳ ଏଥିରେ ନୃତ୍ୟ କରିଥିବା ବେଳେ ନୃତ୍ୟ ସଂଯୋଜନା ସହ କ୍ୟାମେରା ପରିଚାଳନା କରିଥିଲେ ଶିଳ୍ପୀ ପ୍ରଭାତ ସ୍ବାଇଁ।

ସମ୍ବନ୍ଧିତ ଖବର