ଫ୍ଲାଟ୍ ଦେବା ବାହାନାରେ କୋଟିଏ ୧୬ ଲକ୍ଷ ଚଳୁ

‘ବସେରା ଡିଜାଇନ୍‌’ର ବିଜିନେସ୍ ପାର୍ଟନର ଗିରଫ

ଭୁବନେଶ୍ବର: ଏମ୍ସ ନିକଟ ସିଜୁଆସ୍ଥିତ ‘ବସେରା ଫ୍ରେସ୍‌କୋ’ ପ୍ରକଳ୍ପରେ ଫ୍ଲାଟ୍‌ ଦେବା ନାଁରେ ଏକାଧିକ ଲୋକଙ୍କଠାରୁ ପ୍ରାୟ ୧କୋଟି ୧୬ଲକ୍ଷ ଟଙ୍କା ହଡ଼ପ ଅଭିଯୋଗରେ କ୍ରାଇମ୍‌ବ୍ରାଞ୍ଚର ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ) ବସେରା ଡିଜାଇନ୍ ପ୍ରାଇଭେଟ୍ ଲିମିଟେଡ୍‌ର ବିଜନେସ୍ ପାର୍ଟନର୍‌କୁ ଗତକାଲି ଭୁବନେଶ୍ବରରୁ ଗିରଫ କରିଛି। ସେ ହେଲା, ନୟାଗଡ଼ ଜିଲ୍ଲା ନୂଆଗାଁ ବାରବାଟୀର ଅମରେଶ ଚନ୍ଦ୍ର ଷଡ଼ଙ୍ଗୀ। ଅମେରଶକୁ ଇଓଡବ୍ଲୁ ଆଜି କଟକସ୍ଥିତ କୋର୍ଟରେ ହାଜର କରାଇଛି।

ସୂଚନାନୁଯାୟୀ, ୨୦୧୫ ମସିହାରେ ବସେରା ଡିଜାଇନ୍ ପ୍ରା.ଲି ଏମ୍ସ ନିକଟ ସିଜୁଆ ମୌଜାରେ ବସେରା ଫ୍ରେସ୍‌କୋ ନାଁରେ ଏକ ହାଉସିଂ ପ୍ରକଳ୍ପ ଆରମ୍ଭ କରିଥିଲା। ଲୋକଙ୍କୁ ଶସ୍ତାରେ ୨-ବିଏଚ୍‌କେ ଓ ୩-ବିଏଚ୍‌କେ ଆପାର୍ଟମେଣ୍ଟ ଦିଆଯିବ ବୋଲି ସଂସ୍ଥା ବିଜ୍ଞାପନ ଦେଇଥିଲା। ବିଜ୍ଞାପନ ଆଧାରରେ ପୁରୀ ନିମାପଡ଼ାର ଜ୍ୟୋତିଶଙ୍କର ପଣ୍ଡା ଓ ତାଙ୍କ ଭାଇ ଶୁଭଶଙ୍କର ପଣ୍ଡା ବସେରା ଫ୍ରେସ୍‌କୋର ଏକ ୩-ବିଏଚ୍‌କେ ଆପାର୍ଟମେଣ୍ଟ କିଣିବା ପାଇଁ ଯୋଜନା କରିଥିଲେ। ୪୧ଲକ୍ଷ ୫୦ହଜାର ଟଙ୍କା ବିନିମୟରେ ଏହି ଫ୍ଲାଟ୍‌ ୨୦୧୭ ଜୁନ୍‌ ୩୦ ସୁଦ୍ଧା ହସ୍ତାନ୍ତର କରାଯିବ ବୋଲି ସଂସ୍ଥା ଚୁକ୍ତି କରିଥିଲା। ଏହି ଆଧାରରେ ଜ୍ୟୋତିଶଙ୍କର ପୁରୁଣା ଭୁବନେଶ୍ବରସ୍ଥିତ ଆହ୍ଲାବାଦ୍ ବ୍ୟାଙ୍କ୍‌ରୁ ୩୨ଲକ୍ଷ ଟଙ୍କା ଋଣ ଆବେଦନ କରିଥିଲେ। ଏଥିରେ ଉଭୟ କ୍ରେତା ଓ ବିକ୍ରେତା ସମେତ ୩ଜଣଙ୍କୁ ନେଇ ସହମତିରେ ବୁଝାମଣା ସ୍ବାକ୍ଷର ହୋଇଥିଲା। ଏହା ପରେ ବ୍ୟାଙ୍କ୍ ପକ୍ଷରୁ ୧୮ଲକ୍ଷ ୫୦ହଜାର ଟଙ୍କାର ଡିଡି ବସେରା ଡିଜାଇନ୍‌କୁ ଦିଆଯାଇଥିଲା।

ଟଙ୍କା ନେବା ପରେ ବସେରା ଡିଜାଇନ୍ କର୍ତ୍ତୃପକ୍ଷ ଆଉ ଧରାଛୁଆଁ ଦେଇନଥିଲେ। ଏପରିକି ବିଡିଏରୁ ଆପାର୍ଟମେଣ୍ଟ ତିଆରି ପାଇଁ ସ୍ବୀକୃତି ଶେଷ ହେବାର ୩ବର୍ଷ ପରେ ମଧ୍ୟ ନବୀକରଣ କରିନଥିବା ଇଓଡବ୍ଲୁ ତଦନ୍ତରୁ ଜଣାପଡ଼ିଛି। ତେବେ ଏହିଭଳି ଏକାଧିକ ଲୋକଙ୍କୁ ଫ୍ଲାଟ୍ ଦେବା ନାଁରେ ଠକେଇ କରିବା ପରେ ବସେରା ଡିଜାଇନ୍‌ର ପରିଚାଳନା ନିର୍ଦ୍ଦେଶକ ସମେତ ନିର୍ଦ୍ଦେଶକ ଓ ବିଜିନେସ୍ ପାର୍ଟନର୍ ପଳାସୁଣିରୁ ତାଙ୍କର କାର୍ଯ୍ୟାଳୟ ବନ୍ଦ କରି ଫେରାର୍ ହୋଇଯାଇଥିଲେ। ଦୀର୍ଘ ୩ବର୍ଷ ଅପେକ୍ଷା କରି ଫ୍ଲାଟ୍ କି ଟଙ୍କା ନ ମିଳିବାରୁ, ଜ୍ୟୋତିଶଙ୍କରଙ୍କ ସମେତ ଠକେଇର ଶିକାର ଏକାଧିକ ବ୍ୟକ୍ତି ୨୦୨୦ ମସିହାରେ ଇଓଡବ୍ଲୁରେ ଅଭିଯୋଗ କରିଥିଲେ। ଇଓଡବ୍ଲୁ ସୂଚନା ଦେଇଛି, ଗିରଫ ଅଭିଯୁକ୍ତ ଅମରେଶ ବସେରା ସହ ପ୍ରକଳ୍ପ କାମରେ ସହଭାଗିତାରେ ଥିଲା।

ଏହାବାଦ୍ ଧୂର୍ତ୍ତ ଅମରେଶର ଷଡ଼ଙ୍ଗୀ ଟ୍ରେଡର୍ସ ନାମରେ ଏକ କମ୍ପାନି ଅଛି। ଏହାର ୨ଟି ଶାଖା ସଂସ୍ଥା କଟେଜ୍ ଡିଜାଇନ୍ ପ୍ରା.ଲି ଓ ଏଲ୍‌ଏକ୍ସ ମ୍ୟାକ୍ସ ଡେଭଲପର୍ସ ପ୍ରା.ଲି ମଧ୍ୟ ରହିଛି। ବିଜିନେସ୍ ପାର୍ଟନର୍‌ ଥିବାରୁ ଅମେରଶ ଲୋକଙ୍କଠାରୁ ଟଙ୍କା ଆଣିବା ପରେ ସେ ସବୁକୁ ଏହି ୨ ଶାଖା ସଂସ୍ଥା ମାଧ୍ୟମରେ ଷଡ଼ଙ୍ଗୀ ଟ୍ରେଡର୍ସକୁ ଟଙ୍କା ସ୍ଥାନାନ୍ତର କରିଥିବା ଜଣାପଡ଼ିଛି। ପୁଲିସ କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବା ପାଇଁ ସେ ଏଭଳି ସଂସ୍ଥା ଖୋଲି ଲୋକଙ୍କୁ ଠକେଇ ଜାଲରେ ଫସାଉଥିବା ଇଓଡବ୍ଲୁ ସୂଚନା ଦେଇଛି। କେବଳ ଏତିକି ନୁହେଁ, ବସେରା ଡିଜାଇନ୍ ସଂସ୍ଥା ହେଉଛି ଏକ ପେସାଦାର ଠକେଇ ସଂସ୍ଥା। ପୂର୍ବରୁ ମଧ୍ୟ ଶହ ଶହ ଲୋକଙ୍କୁ ଫ୍ଲାଟ୍ ଦେବା ନାଁରେ ଠକିଛି ବୋଲି ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ଗଣମାଧ୍ୟମକୁ ସୂଚନା ଦେଇଛନ୍ତି। ଅମେରଶଙ୍କ ସହିଦନଗରସ୍ଥିତ ଘରୁ ଅନେକ ନକଲି କାଗଜପତ୍ର ଇଓଡବ୍ଲୁ ଜବତ କରିଛି। ଏହି ଘଟଣାର ଇଓଡବ୍ଲୁ ଅଧିକ ତଦନ୍ତ କରୁଥିବା ବେଳେ ମୁଖ୍ୟ ଅଭିଯୁକ୍ତ ସମେତ ଆହୁରି ୩ଜଣ ଫେରାର୍‌ ଅଛନ୍ତି।

ସମ୍ବନ୍ଧିତ ଖବର