ପୁରୁଣା ଭୁବନେଶ୍ବର: ଗ୍ୟାସ୍ ଡିଲରସିପ୍ କରାଇବା ବାହାନାରେ ଜଣଙ୍କଠାରୁ ୧୫ଲକ୍ଷ ଠକି ନେଇଥିବା ଅଭିଯୋଗରେ ଆଜି ଏୟାର୍ଫିଲଡ୍ ଥାନା ପୁଲିସ ଜଣେ ଯୁବକକୁ ଗିରଫ କରିଛି। ଅଭିଯୁକ୍ତ ହେଲେ ଫୁଲବାଣୀ ଥାନା ଅଧୀନ ହାଟପଦା ଗ୍ରାମର ମହମ୍ମଦ ସକିଲ୍(୪୩)। ପୁଲିସ ସୂଚନା ଅନୁଯାୟୀ ଶ୍ରୀଲିଙ୍ଗରାଜ ଥାନା ଅଧୀନ ସାମନ୍ତରାପୁରର ନିହାର ରାୟ ଗ୍ୟାସ୍ ଡିଲରସିପ୍ ପାଇଁ ଇଛା କରି ସକିଲ୍ ସହ ଯୋଗାଯୋଗ କରିଥିଲେ। ଏନେଇ ନିହାର ଏୟାର୍ଫିଲଡ୍ ଥାନା ଅଧୀନ ବୋତଣ୍ଡା ଗଙ୍ଗା ଯମୁନା ଏନ୍କ୍ଲେଭ୍ ନିକଟରେ ଏକ ଜମି ଦେଖାଇଥିଲେ।
ଡିଲରସିପ୍ ପାଇଁ ଉକ୍ତ ସ୍ଥାନ ଠିକ୍ ହେବ ବୋଲି ଧୂର୍ତ୍ତ ସକିଲ୍ କହିଥିଲା ଓ ଏଥିପାଇଁ ୧୫ ଲକ୍ଷ ଟଙ୍କା ଦାବି କରିଥିଲା। ନିହାର ବିଭିନ୍ନ କିସ୍ତିରେ ସକିଲ୍କୁ ୧୫ ଲକ୍ଷ ଟଙ୍କା ଦେଇଥିଲେ। ଟଙ୍କା ପାଇବା ପରେ ସକିଲ୍ ଫେରାର୍ ହୋଇଯାଇଥିଲେ। ନିହାର ଯେତେ ଫୋନ୍ କରିଥିଲେ ମଧ୍ୟ ସେ ଆଉ ଫୋନ୍ ଉଠାଇନଥିଲେ। ତେଣୁ ଠକାମିର ଶିକାର ହୋଇଥିବା ନିଶ୍ଚିତ ହେବା ପରେ ନିହାର ଥାନାରେ ଅଭିଯୋଗ କରିଥିଲେ।