ସବ୍‌ସିଡିରେ କୃଷି ଯନ୍ତ୍ରାଂଶ ଦେବା ଘଟଣା: ୬କୋଟି ୮୧ଲକ୍ଷ ଠକେଇ, ୨ ଭାଇ ଗିରଫ

ଭୁବନେଶ୍ବର: ଚାଷୀଙ୍କୁ ସବ୍‌ସିଡିରେ କୃଷି ଯନ୍ତ୍ରାଂଶ ଯୋଗାଇବା ନାଁରେ ଠକେଇ ଅଭିଯୋଗରେ ୨ ଧୂର୍ତ୍ତଙ୍କୁ ଗିରଫ କରିଛି ଅର୍ଥନୈତିକ ଅପରାଧ ଶାଖା(ଇଓଡବ୍ଲୁ)। ସେମାନେ ହେଲେ, ଶୀତଲ ଆଗ୍ରୋ ଇନ୍‌ପୁଟ୍ ପ୍ରା.ଲି.ର ନିର୍ଦ୍ଦେଶକ ତଥା ମିଶିତା ଏଣ୍ଟରପ୍ରାଇଜର୍ସ ମାଲିକ ମାନସ ରଂଜନ ଦାଶ ଏବଂ ତା’ ଭାଇ ତାପସ କୁମାର ଦାଶ। ଦୁଇ ଭାଇ ଚାଷୀଙ୍କୁ ସବ୍‌ସିଡିରେ ଟ୍ରାନ୍ସପ୍ଲାଣ୍ଟର୍ ଯୋଗାଇବା ନାଁରେ ୬କୋଟି ୮୧ଲକ୍ଷ ୫୩ହଜାର ୪୮ଟଙ୍କା ଚଳୁ କରିଥିବା ଅଭିଯୋଗ ରହିଛି। ଜଗତସିଂହପୁର, ଯାଜପୁର, ବାଲେଶ୍ବର, ଖୋର୍ଦ୍ଧା, କଳାହାଣ୍ଡି, ସମ୍ବଲପୁର ସମେତ ୧୯ଟି ଜିଲ୍ଲାରେ ୫୦୪ଟି ଟ୍ରାନ୍ସପ୍ଲାଣ୍ଟର୍ ସବ୍‌ସିଡିରେ ଦେଇଥିବା ନକଲି କାଗଜପତ୍ର ଦେଖାଇ ଏହି ବଡ଼ଧରଣର ଠକେଇ କରିଛନ୍ତି। ଇଓଡବ୍ଲୁ ସମେତ ଜଗତସିଂହପୁର ଥାନାରେ ମଧ୍ୟ ଏମାନଙ୍କ ନାଁରେ ଅଭିଯୋଗ ଥିବାରୁ ପୁଲିସ ଉଭୟ ଧୂର୍ତ୍ତ ଭାଇଙ୍କୁ ଜଗତସିଂହପୁର ଏସ୍‌ଡିଜିଏମ୍ କୋର୍ଟରେ ହାଜର କରାଇଛି।

ଖବର ଅନୁଯାୟୀ, ରାଜ୍ୟ କୃଷି ବିଭାଗର ଡାଇରେକ୍ଟ ବେନିଫିଟ୍ ଟ୍ରାନ୍ସଫର୍(ଡିବିଟି) ସ୍କିମ୍ ଜରିଆରେ ଚାଷୀଙ୍କୁ ସବ୍‌ସିଡିରେ କୃଷି ଯନ୍ତ୍ରାଂଶ ଯୋଗାଇ ଦିଆଯାଉଥିଲା। ଏହି ସ୍କିମ୍‌ରେ ଶୀତଲ ଆଗ୍ରୋ ଇନପୁଟ୍ ଓ ମିଶିତା ଏଣ୍ଟରପ୍ରାଇଜର୍ସ ସମେତ ପ୍ରାୟ ୮ଟି ସଂସ୍ଥା ଚାଷୀଙ୍କୁ ଟ୍ରାନ୍ସପ୍ଲାଣ୍ଟର ଯୋଗାଇବା ନାଁରେ ଏକ ବଡ଼ଧରଣର କେଳେଙ୍କାରୀ କରିଥିଲେ। ୧୯ଟି ଜିଲ୍ଲାରେ କିଛି ସାଧାରଣ ଲୋକଙ୍କୁ ଚାଷୀ ବୋଲି ଦର୍ଶାଇ ସେମାନଙ୍କଠାରୁ ପରିଚୟପତ୍ର ଓ ବ୍ୟାଙ୍କ୍ ଆକାଉଣ୍ଟ ଆଣିଥିଲେ।

କୌଣସି କୃଷି ଯନ୍ତ୍ରାଂଶ ନ ଦେଇ ଟ୍ରାନ୍ସପ୍ଲାଣ୍ଟର୍‌ ଦେଇଥିବା ନକଲି ବିଲ୍, ଗାଡ଼ି ନମ୍ବର ଦେଇ ସରକାରୀ ପୋର୍ଟାଲରେ ଅପଲୋଡ୍ କରାଇଥିଲେ। ପରେ ଉକ୍ତ ଅଣଚାଷୀଙ୍କ ଆକାଉଣ୍ଟକୁ ସବ୍‌ସିଡି ଟଙ୍କା ଆସିବା ପରେ ସିଂହ ଭାଗ ଟଙ୍କା ନିଜେ ନେଇ ଆକାଉଣ୍ଟଧାରୀଙ୍କୁ ଅଳ୍ପ କିଛି ଟଙ୍କା ଦେଇଥିଲେ। ଘଟଣାର ତଦନ୍ତ ହେବା ପରେ ଏହିଭଳି ପ୍ରାୟ ୫୦୪ଟି ଟ୍ରାନ୍ସପ୍ଲାଣ୍ଟର୍ ସବ୍‌ସିଡିରେ ଦେବା ନାଁରେ କେଳେଙ୍କାରୀ କରାଯାଇଥିବା ଇଓଡବ୍ଲୁ ଜାଣିବାକୁ ପାଇଥିଲା। ସେଥିମଧ୍ୟରୁ ୩୩୭ଟି ଟ୍ରାନ୍ସପ୍ଲାଣ୍ଟର୍‌ ବିକ୍ରିର କେଳେଙ୍କାରୀ ମିଶିତା ଏଣ୍ଟରପ୍ରାଇଜେସ୍ ଦ୍ବାରା ହୋଇଥିବା ଜଣାପଡ଼ିଥିଲା। ଏହି ଘଟଣାର ମୁଖ୍ୟ କାର୍ପଟଦାର ୨ ଭାଇ ମାନସ ଓ ତାପସଙ୍କ ସମେତ ହରପାଲ୍ ସିଂହ ମଧ୍ୟ ରହିଥିଲେ। ଘଟଣାରେ ପୂର୍ବରୁ ହରପାଲ୍ ଗିରଫ ହୋଇଥିବା ବେଳେ ଆଜି ୨ଭାଇ ଗିରଫ ହୋଇଛନ୍ତି। ଘଟଣାର ତଦନ୍ତ ବେଳେ ଇଓଡବ୍ଲୁ ଅନେକ ଅଣଚାଷୀଙ୍କ ତଥ୍ୟ ପ୍ରମାଣ, ନକଲି ବିଲ୍ ଓ ହାର୍ଡଡିସ୍କ ଜବତ କରିଛି।

ସମ୍ବନ୍ଧିତ ଖବର