ଜାମିନ୍‌ ପାଇଗଲା ୧୦ କୋଟି ଠକେଇ ଅଭିଯୁକ୍ତ: ଖସିଗଲା ନା ଖସେଇ ଦେଲେ!

ଭୁବନେଶ୍ବର : ଯାହା ଅନୁମାନ କରାଯାଉଥିଲା, ସେୟା ହେଲା। କୋଭିଡ୍‌ ଆଳରେ ଜଣେ ୪୨୦ ଅଭିଯୁକ୍ତ ପ୍ରଭାକର ଜେନାକୁ କେବଳ ନୋଟିସ୍ ଦେଇ ଘରକୁ ଛାଡ଼ିବା ଦ୍ବାରା ତାକୁ ଜାମିନ୍‌ ପାଇବା ସୁଯୋଗ ମିଳିଗଲା। ତେଣୁ ବିଚାର ବିଭାଗୀୟ ହାଜତକୁ ଯିବା ପୂର୍ବରୁ ଅଭିଯୁକ୍ତ ପ୍ରଭାକରକୁ ଜାମିନ୍‌ ମିଳିଯାଇଛି। ଏଣୁ ଏବେ ଅଭିଯୋଗକାରୀମାନେ ମୁଣ୍ଡରେ ହାତ ଦେଇ ବସିଛନ୍ତି। ପୁଲିସ କବଳରୁ ଠକ ଅଭିଯୁକ୍ତ ଖସିଯିବା ପରେ ସେମାନଙ୍କୁ ଆଉ ନ୍ୟାୟ ମିଳିବ ନାହିଁ ବୋଲି ଅଭିଯୋଗକାରୀମାନେ କହିଛନ୍ତି। ଜଣେ ସଙ୍ଗିନ୍‌ ଅଭିଯୁକ୍ତ ପ୍ରତି କମିସନରେଟ୍‌ ପୁଲିସ ଦରଦ ପ୍ରଦର୍ଶନ କରିଛି ବୋଲି ଅଭିଯୋଗକାରୀମାନେ କହିଛନ୍ତି।

କେନ୍ଦ୍ରାପଡ଼ା ଜିଲ୍ଲା ରାଜନଗର ଅଞ୍ଚଳର ପ୍ରଭାକର ଜେନା ନିଜକୁ ଜଣେ ଶିଳ୍ପପତି ବୋଲି ପରିଚୟ ଦେଉଥିଲା। ହାଇଦ୍ରାବାଦ୍‌ସ୍ଥିତ ତା’ କମ୍ପାନି ପିପିଇ କିଟ୍‌ ଓ ମାସ୍କ ତିଆରି କରୁଛି ବୋଲି ସେ କହୁଥିଲା। ଏମିତିକି ରାଜ୍ୟ ବାହାରେ ସେ ଆଉ କିଛି କମ୍ପାନି ସହଯୋଗରେ କାରବାର କରୁଥିବା ପ୍ରଚାର କରୁଥିଲା। ତେଣୁ ତା’ କମ୍ପାନିରେ ପୁଞ୍ଜି ବିନିଯୋଗ କଲେ, ଅଧିକ ରିଟର୍ଣ୍ଣ ଦେବ ବୋଲି ପ୍ରଲୋଭନ ଦେଖାଉଥିଲା। ଫଳରେ ତା’ ପଡ଼ୋଶୀ ମହିଳା ଡାକ୍ତର ଫସିଯାଇଥିଲେ। ଚନ୍ଦକା ଗୋଠପାଟଣାସ୍ଥିତ ଏକ ଆପାର୍ଟମେଣ୍ଟରେ ରହୁଥିବା ପ୍ରଭାକର ନିଜ ପଡ଼ୋଶୀ ମହିଳା ଡାକ୍ତର ସସ୍ମିତା ମହାପାତ୍ରଙ୍କଠାରୁ ପାଖାପାଖି କୋଟିଏ ଟଙ୍କା ନେଇଯାଇଥିଲା। ମାତ୍ର ସୁଧମୂଳ କିଛି ଫେରସ୍ତ ଦେବା ନାଁ ଧରିନଥିଲା।

ସେହିଭଳି ମଞ୍ଚେଶ୍ବର ଅଞ୍ଚଳର ସୌମ୍ୟଦୀପ୍ତ ନାୟକଙ୍କଠାରୁ ୫୨ ଲକ୍ଷ ଟଙ୍କା ନେଇ ଯାଇଥିଲା ଓ ଫେରସ୍ତ ପ୍ରସଙ୍ଗ ଉଠିବା ବେଳେ ପ୍ରଭାକର ପାଲଟା ଧମକ ଦେଇଥିଲା। ତେଣୁ ଠକାମିର ଶିକାର ହୋଇଥିବା ସୌମ୍ୟ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଖୋଜି ଖୋଜି ପ୍ରଭାକରକୁ ଗୋଠପାଟଣାରୁ ଗିରଫ କରିଥିଲା। ଏହା ପରେ ଡାକ୍ତର ଶ୍ରୀମତି ମହାପାତ୍ରଙ୍କ ଭଳି ଆହୁରି କିଛି ଲୋକ ପ୍ରଭାକର ଦ୍ବାରା ଠକାମିର ଶିକାର ହୋଇଥିବା ଅଭିଯୋଗ କରିଥିଲେ। ମୋଟାମୋଟି ପ୍ରଭାକର ୧୦ କୋଟି ଟଙ୍କା‌ ଠକି ନେଇଛି ବୋଲି ପୁଲିସକୁ ସୂଚନା ମିଳିଥିଲା। ତେଣୁ ପୁଲିସ କେସ୍‌ ନଂ-୧୩/୨୦୨୨ ବଳରେ ମାମଲା ରୁଜୁ କରିଥିଲା ଓ ପ୍ରଭାକର ବିରୋଧରେ ଆଇପିସି ଧାରା ୪୨୦, ୪୬୭, ୪୬୮, ୫୦୬ ଭଳି କଡ଼ା ଦଫା ଲଗାଇଲା। ଏଥିରେ ଅଭିଯୁକ୍ତକୁ ସହଜରେ ଜାମିନ୍‌ ମିଳିବା କଥା ନୁହଁ। କୋର୍ଟ ଚାଲାଣ ପରେ ତାକୁ ବିଚାର ବିଭାଗୀୟ ହାଜତକୁ ଯିବା ଥୟ ଥିଲା। ମାତ୍ର କୋର୍ଟ ଚାଲାଣ ପୂର୍ବରୁ ମେଡିକାଲ ଯାଞ୍ଚ ବେଳେ ସେ କୋଭିଡ୍‌ ଆକ୍ରାନ୍ତ ବୋଲି ଜଣାପଡ଼ିଥିଲା। ତେଣୁ ପୁଲିସ ତାକୁ ନୋଟିସ୍ ଦେଇ ଘରକୁ ଛାଡ଼ି ଦେଲା। ଏହି ମଉକାରେ ପ୍ରଭାକର ଏବେ କୋର୍ଟରୁ ଜାମିନ୍‌ ପାଇଯାଇଛି।

ଏଠି ପ୍ରଶ୍ନ ଉଠୁଛି ପ୍ରଭାକର ଭଳି ଜଣେ ଧୂର୍ତ୍ତକୁ ପୁଲିସ କୋଭିଡ୍‌ ହସ୍ପିଟାଲ୍‌ରେ ଭର୍ତ୍ତି ନକରି ଘରକୁ ଛାଡ଼ିଲା କାହିଁକି। ପ୍ରଥମେ ଖୋଜି ଖୋଜି ବାନ୍ଧିବା ଓ ସଂଗିନ୍ ଦଫା ଲଗାଇବା ପରେ ପୁଣି କ’ଣ ହେଲା ଯେ ତାକୁ ସିଆର୍‌ପିସି-୪୧ରେ ନୋଟିସ୍‌ ଦେଇ ପରିବାର ହେପାଜତରେ ଛାଡ଼ିଦିଆଗଲା। ବରିଷ୍ଠ ଆଇନଜୀବୀ ବନ ମହାନ୍ତିଙ୍କ କହିବା କଥା ଆଇନ୍‌ର ଅପବ୍ୟବହାର କରି ଅପରାଧୀଙ୍କୁ ଖସିବାକୁ ସୁଯୋଗ ଦିଆଯାଉଛି। ଠିକ୍‌ ସମୟରେ କେସ୍‌ ଡାଏରି ଓ ଚାର୍ଜସିଟ୍‌ ଦାଖଲ ହେଉନଥିବାରୁ ଏଭଳି ଶହ ଶହ ଅପରାଧୀ ସହଜରେ ଜାମିନ ପାଉଛନ୍ତି। ଏନେଇ ଡିସିପି ଉମାଶଙ୍କର ଦାଶ କହିଛନ୍ତି ଯେ ଆଇନ୍‌ ଅନୁସାରେ ପଦକ୍ଷେପ ନିଆଯାଇଛି। ତେବେ ଏହି ଘଟଣାର ତଦନ୍ତ ଜାରି ରହିଛି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର