ସେନା ଅଧିକାରୀ କହି ଲୋକଙ୍କୁ ଲୁଟୁଥିବା ଠକ ଗିରଫ, ଋଣ ଫାଙ୍କିବାକୁ ଅନ୍ୟ କାର୍ ନମ୍ବର ଲଗାଇ ଚଳାଉଥିଲା ଗାଡ଼ି

ଜୟଦେବ ବିହାର ଛକରେ ଗୋଡ଼ାଇ ଧରିଲେ ଗାଡ଼ି ମାଲିକ, ଶୀତଳଭଣ୍ଡାର କରିବ କହି ଜଣକୁ କୋଟିଏରୁ ଅଧିକ ଠକିଛି

ଭୁବନେଶ୍ବର: ଋଣ କରି ଦାମୀ କାର୍ କିଣିଲା। ଋଣ କରିଥିବା ସଂସ୍ଥାକୁ ଟଙ୍କା ଫାଙ୍କିବା ପାଇଁ ଅନ୍ୟ କାର୍‌ର ନମ୍ବର ଲଗାଇ ଗାଡ଼ି ଚଳାଉଥିଲା। ଏପରିକି ଯେମିତି ଧରା ନ ପଡ଼ିବେ ସେଥିପାଇଁ ଯେଉଁ କମ୍ପାନିର କାର୍ କିଣିଥିଲା, ସେଇ କମ୍ପାନିର ସମାନ କାର୍ କିଣିଥିବା ଗାଡ଼ି ମାଲିକଙ୍କ ନମ୍ବର ବ୍ୟବହାର କରି ଗାଡ଼ି ଚଳାଉଥିଲା। ପୁଣି କେତେବେଳେ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରୁଥିଲା ତ କେତେବେଳେ ରଙ୍ଗ୍ ରୁଟ୍‌ରେ ତଥା ଦ୍ରୁତ ଗତିରେ ଗାଡ଼ି ଚଳାଉଥିଲା। ଏହି ଭଳି ଦୀର୍ଘ ୨ ବର୍ଷ ହେଲା ଋଣ ଫାଙ୍କିବା ସାଂଗକୁ ବେପରୱା ଗାଡ଼ି ଚାଳନା କରୁଥିବା ଠକ ଜଣକ ଶେଷରେ ଶନିବାର ଜୟଦେବ ବିହାର ଛକରେ ଧରାପଡ଼ିଛି। ଏହି ଠକ ଜଣକ ହେଉଛି ଦାରୁଠେଙ୍ଗସ୍ଥିତ ଅଭୟମୁଖୀର ରତିକାନ୍ତ ଶତପଥୀ(୪୩)। କେଉଁ ପୁଲିସ୍ କି ଟ୍ରାଫିକ୍ କର୍ମଚାରୀ ନୁହେଁ; ବରଂ ଯେଉଁ ଗାଡ଼ି ନମ୍ବର ବ୍ୟବହାର କରି ରତିକାନ୍ତ ରାସ୍ତାରେ ଉତ୍ପାତ କରୁଥିଲେ, ସେହି ଗାଡ଼ିର ମାଲିକ ଧନଞ୍ଜୟ ହୋତା ହିଁ ତାଙ୍କୁ କାବୁ କରିଛନ୍ତି।

ଧରାପଡ଼ିବା ପରେ ରତିକାନ୍ତ ନିଜକୁ ସେନା ଅଧିକାରୀ ‌ବୋଲି ପରିଚୟ ଦେଇ ପୁଣି ଉତ୍ପାତ ଆରମ୍ଭ କରିଥିଲା। ତେବେ ଶ୍ରୀ ହୋତା ତ‌ାକୁ ନୂଆପଲ୍ଲୀ ପୁଲିସ୍ ହାତରେ ଦେବା ପରେ ଆହୁରି ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ରତିକାନ୍ତ ନିଜକୁ ସେନା ଅଫିସର୍ ବୋଲି ପରିଚୟ ଦେଇ ଲୋକଙ୍କୁ ଧମକାଉଥିଲା। ନିଜ ଗାଡ଼ି ମହିନ୍ଦ୍ରା ଏସ୍‌ୟୁଭିରେ ଅସଲି ନମ୍ବର ନ ଲଗାଇ ଆଉ ଅନ୍ୟ ଏକ ମହିନ୍ଦ୍ରା ଏକ୍ସୟୁଭି କାର୍(ଓଡି୦୨ଵାଇ୦୦୨୩)ର ନମ୍ବର ଲଗାଇ ବୁଲୁଥିଲା। ଏହା ସହ ଗାଡ଼ି ପଛପଟେ ଆର୍ମି ଲେଖିବା ସହ ଆର୍ମି ଟୋପି ଓ ଡ୍ରେସ୍ ପିନ୍ଧି ସାଧାରଣ ଲୋକଙ୍କୁ ଠକୁଥିଲା। ଗତ କିଛି ମାସ ତଳେ ସେ ଶୀତଳଭଣ୍ଡାର କରିବାକୁ କହି ଜଣେ ବ୍ୟକ୍ତିଙ୍କୁଠାରୁ କୋଟିଏରୁ ଅଧିକ ଟଙ୍କା ଠକିଥିବା ଜଣାପଡ଼ିଛି। ଏ ନେଇ ଇନ୍‌ଫୋସିଟି ଥାନାରେ ଏକ ମାମଲା ମଧ୍ୟ ରୁଜୁ ହୋଇଛି।

ଏ ନେଇ ଗାଡ଼ି ନମ୍ବରର ମୂଳ ମାଲିକ ଶ୍ରୀ ହୋତା କହିଛନ୍ତି, ଦୀର୍ଘ ୨ବର୍ଷ ତଳେ ତାଙ୍କ ପାଖକୁ ଟ୍ରାଫିକ୍ ନିୟମ ଉଲ୍ଲଙ୍ଘନ କରିଥିବା ଅଭିଯୋଗରେ ଅନ୍‌ଲାଇନ୍‌ରେ ଚାଲାଣ କଟିଥିବା ଏକ ମେସେଜ୍ ଆସିଥିଲା। ଏହିଭଳି ବର୍ତ୍ତମାନ ସୁଦ୍ଧା ୪ରୁ ୫ଥର ମୋଟ ୮ରୁ ୧୦ହଜାର ଟଙ୍କା ତାଙ୍କ ଗାଡ଼ି ଉପରେ ଜରିମାନା ଲାଗିଥିଲା। ତାଙ୍କ ଗାଡ଼ି ଘରେ ଥିବା ସମୟରେ ଏଭଳି ବାରମ୍ବାର ଚାଲାଣ ଆସିବାରୁ ସେ ଏ ନେଇ ଟ୍ରାଫିକ୍ ପୁଲିସ୍ ପାଖରେ ଅଭିଯୋଗ କରିଥିଲେ। ମାତ୍ର କିଛି ଲାଭ ହୋଇନଥିଲା। ଶେଷରେ ବାଧ୍ୟ ହୋଇ ସେ ତାଙ୍କ ଗାଡ଼ି ନମ୍ବରରେ କିଏ କାର୍ ଚଳାଉଛି ସେ ଲୋକକୁ ଖୋଜିଥିଲେ । ପ୍ରାୟ ବର୍ଷେ ତଳେ ସେ ଏହି ଗାଡ଼ିକୁ ଠାବ କରିଥିଲେ ମଧ୍ୟ ଧରିବାକୁ ସକ୍ଷମ ହୋଇନଥିଲେ। ତେବେ ଗତକାଲି ପ୍ରାୟ ୧୨ଟା ବେଳେ ଶାସ୍ତ୍ରୀନଗର ଯାଉଥିବା ସମୟରେ ପୁଣି ଏହି ଗାଡ଼ିକୁ ଦେଖିଥିଲେ। ପ୍ରାୟ ଅଧଘଣ୍ଟା ଗୋ଼ଡାଇବା ପରେ ଶେଷରେ ସେ ରତିକାନ୍ତକୁ ଜୟଦେବ ବିହାର ଛକରେ କାବୁ କରିଥିଲେ। ତେବେ ଏନେଇ ବର୍ତ୍ତମାନ କୋର୍ଟରେ ମାମଲା ଚାଲିଥିବା ସେ କହିଛନ୍ତି। ଦୁଇବର୍ଷ ତଳେ ଠିକ୍ ଏହିଭଳି ଏକ ଘଟଣା ଘଟିଥିଲା। ରାଜଧାନୀରେ ବାଇକ୍ ଥିବା ବେଳେ ସମ୍ବଲପୁରରୁ ଏକ ଜରିମାନା ମେସେଜ୍ ଜରିଆରେ ଭୁବନେଶ୍ବରକୁ ଆସିଥିଲା। ଏନେଇ ସେ ଟ୍ବିଟର୍‌ ଯୋଗେ ଟ୍ରାଫିକ୍ ପୁଲିସ୍ ପାଖରେ ଅଭିଯୋଗ କରିଥିଲେ ମଧ୍ୟ କିଛି ଲାଭ ହୋଇନଥିଲା।

ସମ୍ବନ୍ଧିତ ଖବର