ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଜ୍ୱାଇଁ କହି ଠକେଇ ଘଟଣା: ଦୁବାଇରୁ ଆସିଛି ଟଙ୍କା, ଆଜି ରିମାଣ୍ଡରେ ଆସିବ ଠକ

ପୁରୁଣା ଭୁବନେଶ୍ୱର : ରିଜର୍ଭ ବ୍ୟାଙ୍କ ଗଭର୍ଣ୍ଣରଙ୍କ ଜ୍ୱାଇଁ କହି ଅଢ଼େଇ କୋଟି ଟଙ୍କା ଠକେଇ କରିଥିବା ଘଟଣାରେ ପୁଲିସ ସମ୍ପୃକ୍ତ ଠକକୁ ରିମାଣ୍ଡରେ ଆଣିବ। ଶ୍ରୀଲିଙ୍ଗରାଜ ଥାନା ପୁଲିସ ୭ଦିନ ପାଇଁ ରିମାଣ୍ଡ ପାଇଁ ଆବେଦନ କରିଥିବା ବେଳେ ଆସନ୍ତା ବୁଧବାର ରିମାଣ୍ଡରେ ଆଣିବ ବୋଲି ଜଣାପଡ଼ିଛି। ଦୁବାଇର ଜଣେ ବ୍ୟକ୍ତିଙ୍କ ଆକାଉଣ୍ଟ୍‌ରୁ ଠକ ପାଖକୁ ଟଙ୍କା ଆସିଛି ବୋଲି ଜଣାପଡ଼ିଛି। ଉକ୍ତ ଅଭିଯୁକ୍ତର ଠକେଇ ଚେର ବିଦେଶକୁ ଲମ୍ବିଥିବା ପୁଲିସ ଅନୁମାନ କରୁଛି।

ପ୍ରକାଶ ଥାଉକି, ଠକ ପ୍ରଜ୍ଞା ପ୍ରକାଶ ନାୟକ ଦୁବାଇରେ ରହୁଥିବା କୋଲକାତାର ବ୍ୟବସାୟୀ ସୈକାତ କୁମାରଙ୍କୁ ଠକି ଟଙ୍କା ହଡ଼ପ କରିଥିଲା। ସେ ଶ୍ରୀଲିଙ୍ଗରାଜ ମନ୍ଦିର ନିକଟରେ ଥିବା ପାର୍କରେ ବସି ସୈକତଙ୍କ ସହ ଡିଲ୍‌ କରିଥିଲା। ମୁଁ ଆରବିଆଇ ଗଭର୍ଣ୍ଣରଙ୍କ ଜ୍ୱାଇଁ। ରାଜ୍ୟ ଓ କେନ୍ଦ୍ର ସରକାରଙ୍କ ସହ ଭଲ ସମ୍ପର୍କ ରହିଛି। ମୋର ଅନେକ କମ୍ପାନି ଅଛି। ସବୁ ଚଳାଇ ହେଉନି। ଗୋଟିଏ ବିକ୍ରି କରିଦେବି। ଏମିତି କହି ସୈକାତଙ୍କ ଠାରୁ ୨ କୋଟି ୩୫ ଲକ୍ଷ ଟଙ୍କା ଠକିଥିଲା। ସୈକତ ଭାରତ ଆସିଲା ପରେ ଲିଙ୍ଗରାଜ ମନ୍ଦିର ଓ କେଦାରଗୌରୀ ମନ୍ଦିର ନିକଟରେ ପ୍ରଜ୍ଞା ପ୍ରକାଶ ସହ ଭେଟ ହୋଇଥିଲା। ତେବେ ଟଙ୍କା ଦେବାର ୩ ମାସ ତଳେ ସୈକତ ଠକାମିର ଶିକାର ହୋଇଥିବା ଜାଣିବାକୁ ପାଇଥିଲେ। ପ୍ରଜ୍ଞା ପ୍ରକାଶକୁ ଯୋଗାଯୋଗ କରି ସେ ବିଫଳ ହୋଇଥିଲେ। କିଛି ଉପାୟ ନ ପାଇ ଗତ ୩ ତାରିଖରେ ଲିଙ୍ଗରାଜ ଥାନାରେ ଏତଲା ଦେଇଥିଲେ। ଅଭିଯୋଗକୁ ଭିତ୍ତିକରି ପୁଲିସ ପ୍ରଜ୍ଞାକୁ ଗିରଫ କରି କୋର୍ଟ ଚାଲାଣ କରି ରିମାଣ୍ଡରେ ଆଣିବାକୁ ଆବେଦନ କରିଛି।

ସମ୍ବନ୍ଧିତ ଖବର