ଭୁବନେଶ୍ବର: ମାସିକ ୭ ପ୍ରତିଶତ ରିଟର୍ଣ୍ଣ ଦେବାର ଲୋଭ ଦେଖାଇ ଟ୍ରେଡିଂ ବାହାନାରେ ଏକ ସାଇବର ଠକ ରୢାକେଟ୍ ୧୨ ଲକ୍ଷ ଟଙ୍କା ଚଳୁ କରିଦେଇଥିଲେ। ଠକାମିର ଶିକାର ହୋଇଥିବା ମିଲନ୍ ବେହେରା ଏନେଇ ଗତ ମାସ ୭ ତାରିଖରେ ସାଇବର ଥାନାରେ ଅଭିଯୋଗ କରିଥିଲେ। ଏହି ମାମଲାରେ ୨୪ ତାରିଖ ଦିନ ସାଇବର ପୁଲିସ ବାଲେଶ୍ବରରୁ ଅଭିଯୁକ୍ତ ପ୍ରମୋଦ ମହାନ୍ତିକୁ ବାନ୍ଧିଥିଲା। ଆଜି ସେହି ରୢାକେଟ୍ର ପୁଣି ୨ଜଣଙ୍କୁ କୋର୍ଟ ଚାଲାଣ କରାଯାଇଛି। ସେମାନେ ହେଲେ କଟକ ଜିଲ୍ଲା ବାଙ୍କୀ ଥାନା ଶ୍ରୀଚନ୍ଦନପୁରରେ ରହୁଥିବା ପୁରୀ ଦୋଳମଣ୍ଡପସାହିର ରାହୁଲ୍ ପ୍ରଧାନ ଓ ଭୁବନେଶ୍ବର ପୋଖରୀପୁଟ ଅନନ୍ତବିହାର ଫେଜ୍-୨ରେ ରହୁଥିବା ବାଲିପାଟଣା ମାର୍ଥାପୁରର ପ୍ରସନ୍ନ ବେହେରା। ସେମାନଙ୍କଠାରୁ ୨୪ଟି ଚେକ୍ ବୁକ୍, ୮ଟି ପାସ୍ବୁକ୍, ୪ଟି ମୋବାଇଲ୍ ଫୋନ୍ ହ୍ୟାଣ୍ଡସେଟ୍, ଗୋଟିଏ ଲାପ୍ଟପ୍, ୨୭ଟି ଏଟିଏମ୍ ଓ ଡେବିଟ୍ କାର୍ଡ ଆଦି ଜବତ କରାଯାଇଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ଏହି ୨ଜଣଙ୍କ ଆକାଉଣ୍ଟ ମାଧ୍ୟମରେ ଓଡ଼ିଶା ସମେତ ଦିଲ୍ଲୀ, ମହାରାଷ୍ଟ୍ର, ଉତ୍ତର ପ୍ରଦେଶ, ପଶ୍ଚିମବଙ୍ଗ, ତେଲେଙ୍ଗାନା, ବିହାର, ଚଣ୍ଡୀଗଡ଼, ଜମ୍ମୁ-କାଶ୍ମୀର ଓ କର୍ଣ୍ଣାଟକ ଆଦି ୧୦ଟି ରାଜ୍ୟରୁ ଦେଢ଼ କୋଟି ଟଙ୍କାର କାରବାର ହୋଇଥିବା ଜଣାପଡ଼ିଛି। ସାଇବର ଠକେଇ ହୋଇଥିବା ଖୋଳତାଡ଼ରୁ ଜଣାପଡିଛି।
ରାହୁଲ୍ ପିଜି, ପ୍ରସନ୍ନ ମାଟ୍ରିକ୍ ଫେଲ୍
ଲାପ୍ଟପ୍, ୪ ମୋବାଇଲ, ୨୪ ଚେକ୍ ବୁକ୍, ୨୭ ଏଟିଏମ୍ କାର୍ଡ ଜବତ
୧୦ ରାଜ୍ୟରୁ ଦେଢ଼କୋଟି ଚଳୁ
ଅଭିଯୁକ୍ତ ରାହୁଲ୍ ପ୍ରାଣୀବିଜ୍ଞାନରେ ପିଜି କରିଛି ଏବଂ ପ୍ରସନ୍ନ ମାଟ୍ରିକ୍ ଫେଲ୍। ପ୍ରଥମରୁ ଗିରଫ ହୋଇଥିବା ପ୍ରମୋଦ ଭଳି ରାହୁଲ୍ ଓ ପ୍ରସନ୍ନ ଏକ ସାଇବର ରୢାକେଟ୍ର ଏଜେଣ୍ଟ ବୋଲି ଜଣାପଡ଼ିଛି। ପ୍ରମୋଦ ଯେମିତି ବୈଷ୍ଣବୀ ଏଣ୍ଟରପ୍ରାଇଜେସ୍ ନାମକ ସଂସ୍ଥାର ଏମ୍ଡି ହୋଇ ଆକାଉଣ୍ଟ ଖୋଲିଥିଲା, ସେମିତି ରାହୁନ୍ ନାଁରେ ରହିଛି ଅନନ୍ୟା ଇନ୍ଫ୍ରା ପ୍ରାଇଭେଟ୍ ଲିମିଟେଡ୍ ନାଁରେ ଏକ ନକଲି ସଂସ୍ଥା। ଏମାନେ ସାଇବର ରୢାକେଟ୍ର ସାମିଲ ହେବା ପରେ ପୁଞ୍ଜି ନିବେଶ କରାଇବାକୁ ଗରାଖ ଯୋଗାଡ଼ କରୁଥିଲେ। ହ୍ବାଟ୍ସ୍ଆପ୍ ଓ ଟେଲିଗ୍ରାମ୍ରେ ଗରାଖଙ୍କ ସହ ଯୋଡ଼ି ହେବା ପରେ ଅଧିକ ରିଟର୍ଣ୍ଣ ମିଳିବାର ଲୋଭ ଦେଖାଇ ଫସାଉଥିଲେ। ନିଜକୁ ଟ୍ରେଡିଂ ବ୍ରୋକର୍ ପରିଚୟ ଦେଉଥିଲେ ଏବଂ ନିଜେ କରିଥିବା ନକଲି କମ୍ପାନିରେ ନିବେଶ କରିବାକୁ କହୁଥିଲେ। ଯିଏ ଫସିଲା, ତାଙ୍କ ଟଙ୍କାକୁ ବିଭିନ୍ନ ଆକାଉଣ୍ଟ ଜରିଆରେ ଅନ୍ୟତ୍ର ଟ୍ରାନ୍ସଫର୍ କରି ଚଳୁ କରୁଥିଲେ। ତଦନ୍ତରୁ ଜଣାପଡ଼ିଛି ଯେ ମୂଳ ରୢାକେଟ୍ ଏମାନଙ୍କ ଜାଲ୍ କମ୍ପାନି ଓ ଆକାଉଣ୍ଟକୁ ବ୍ୟବହାର କରିଛନ୍ତି। ମୂଳ ରୢାକେଟ୍କୁ ଠାବ କରିବାକୁ ଅଧିକ ତଦନ୍ତ ଜାରି ରହିଛି ବୋଲି ପୁଲିସ କହିଛି। ରିମାଣ୍ଡରେ ଆଣି ଅଧିକ ଖୋଳତାଡ଼ କରାଯିବ ବୋଲି ସୂଚନା ମିଳିଛି।