ଟାଓ୍ୱାର୍ ବସାଇବା ବାହାନାରେ ଠକେଇ ମାମଲା: ଫେକ୍ କଲ୍‌ ଏଡ଼ାଇବାକୁ ପିଆଇବିର ପରାମର୍ଶ

ଭୁବନେଶ୍ବର : ‘ଆପଣଙ୍କ ଜମିରେ, ଛାତ ଉପରେ କିମ୍ବା କୌଣସି ଫାଙ୍କା ସ୍ଥାନରେ ମୋବାଇଲ୍‌ ଟାଵାର୍ ବସାଇବାକୁ ଚାହୁଁଛନ୍ତି କି? ତା’ହେଲେ ଆମକୁ ମେଲ୍ କରନ୍ତୁ। ନଚେତ୍ ଟ୍ରାଇ ପକ୍ଷରୁ ଦିଆଯାଇଥିବା ନମ୍ବରରେ ଆମକୁ ଯୋଗାଯୋଗ କରନ୍ତୁ।’ ଏହିଭଳି ଫେକ୍ କଲ୍ ସାଙ୍ଗକୁ ଇମେଲ୍‌ ଓ ମେସେଜ୍ ଜରିଆରେ ସାଇବର ଠକମାନେ ଲୋକଙ୍କୁ ଠକୁଛନ୍ତି। ଏହି ଠକଙ୍କ ରୢାକେଟ୍‌ ରାଜ୍ୟରୁ ଆରମ୍ଭ କରି ସମଗ୍ର ଦେଶରେ କାମ କରୁଛି। ତେଣୁ ପତ୍ର ସୂଚନା କାର୍ଯ୍ୟାଳୟ(ପିଆଇବି) ଏ ନେଇ ବିଜ୍ଞପ୍ତି ଜାରି କରି ଜନସାଧାରଣଙ୍କୁ ସତର୍କ କରାଯାଇଛି।

ସିଧାସଳଖ ଟ୍ରାଇ ଓ ବିଭିନ୍ନ ସିମ୍ କମ୍ପାନିକୁ ଅନ୍ତର୍ଭୁକ୍ତ କରି ପିଆଇବି କହିଛି ଯେ ଟାଵାର ବସାଇବା ପାଇଁ ଲୋକଙ୍କ ପାଖକୁ କୌଣସି ସଂସ୍ଥା ମେସେଜ୍ ବା କଲ୍ କରନ୍ତି ନାହିଁ। ଏପରିକି ଡକ୍ୟୁମେଣ୍ଟେସନ୍ ପାଇଁ ଟଙ୍କା ମଧ୍ୟ ମାଗନ୍ତି ନାହିଁ। ତେଣୁ ଏସବୁ ମିଛ କଲ୍ ଓ ଇମେଲ୍‌କୁ ଏଡ଼ାଇ ଯିବାକୁ ପିଆଇବି ପରାମର୍ଶ ଦେଇଛି। ଅପରପକ୍ଷରେ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି ଯେ ଟା​ଵାର୍ ବସାଇବା ଆଳରେ ସାଇବର ଠକମାନଙ୍କ ରୢାକେଟ୍‌ର ଚେର ମୁଖ୍ୟତଃ ପଶ୍ଚିମବଙ୍ଗରେ ରହିଛି। ପୂର୍ବରୁ ସାଇବର ଠକମାନେ ମେସେଜ୍ ଓ ଫୋନ୍ କରି ଲୋକଙ୍କୁ ଭକୁଆ ବନାଉଥିଲେ। ଡକ୍ୟୁମେଣ୍ଟେସନ୍ ବାହାନାରେ ହଜାର ହଜାର ଟଙ୍କା ଠକୁଥିଲେ। ଅଧିକ ଟଙ୍କା ପାଇବାର ଲୋଭ ଦେଖାଇ କ୍ୟୁଆର୍ କୋଡ୍ ପଠାଇ ଲୋକଙ୍କ ଆକାଉଣ୍ଟ୍‌ରୁ ଟଙ୍କା ଖାଲି କରୁଥିଲେ। ଏବେ ମହିଳାଙ୍କୁ ଫୋନ୍ କଲ୍‌ରେ ବସାଇ ଡକ୍ୟୁମେଣ୍ଟେସନ୍ ପାଇଁ ଲୋକଙ୍କ ପାଖରୁ ତଥ୍ୟ ନେଉଛନ୍ତି। ଯେଉଁଥିରେ ବ୍ୟାଙ୍କ୍ ପାସବୁକ୍‌ର ପ୍ରଥମ ପେଜ୍, ଆଧାର କାର୍ଡ, ମୋବାଇଲ୍ ନମ୍ବର ନେବା ପରେ ଓଟିପି ପଠାଇ ଟଙ୍କା ଲୁଟୁଛନ୍ତି ବୋଲି ସେ କହିଛନ୍ତି। ଯଦି ବି କୌଣସି ପ୍ରକାରରେ କେହି ଠକେଇର ଶିକାର ହେଉଛନ୍ତି, ସଙ୍ଗେ ସଙ୍ଗେ ନିକଟସ୍ଥ ସାଇବର ସେଲ୍ ଓ ବ୍ୟାଙ୍କ ଶାଖାରେ ଅଭିଯୋଗ କରିବାକୁ ଶ୍ରୀ ମିଶ୍ର ପରାମର୍ଶ ଦେଇଛନ୍ତି। ନିକଟରେ କୋଲ୍‌କାତାରୁ ୨ଜଣ ଏଭଳି ଠକ ଗିରଫ ହୋଇଛନ୍ତି ବୋଲି ସେ କହିଛନ୍ତି।

ସମ୍ବନ୍ଧିତ ଖବର