ଭୁବନେଶ୍ବର : ସଚେତନତା, ଗିରଫଦାରୀ କିଛି କାମ ଦେଉନି। ପୁଲିସ ଡାଳେଡାଳେ ଗଲେ, ଠକ ପତ୍ରେପତ୍ରେ ଚାଲୁଛନ୍ତି। କାହାକୁ ଚାକିରି ଦେବାକୁ କହି ତ କାହାକୁ ଶସ୍ତାରେ ପ୍ଲଟ୍, ଫ୍ଲାଟ୍ ନାଁରେ; ପୁଣି କାହାକୁ ପୁଞ୍ଜି ନିବେଶରେ ଅଧିକ ସୁଧର ଲୋଭ ଦେଖାଇ ଠକୁଛନ୍ତି। ଲୋକଙ୍କୁ ଏମିତି ନୂଆ ନୂଆ ତରିକାରେ ଠକୁଛନ୍ତି ଯେ ପୁଲିସର ମୁଣ୍ଡ ଘୂରି ଯାଉଛି। ପ୍ରାୟ ପ୍ରତିଦିନ ରାଜଧାନୀରେ କେହି ନା କେହି ଠକଙ୍କ ଶିକାର ହେଉଛନ୍ତି। କିଛି ମାମଲାରେ ପୁଲିସ ଠକଙ୍କୁ ଗିରଫ କରିବାରେ ସଫଳ ହେଉଥିଲେ ହେଁ ଅଧିକାଂଶ ମାମଲାରେ ଅପରାଧୀଙ୍କ ଟେର୍ ପାଇ ପାରୁନାହିଁ। ଠକେଇର ତରିକା ବୁଝୁ ବୁଝୁ ଠକ ଫେରାର୍ ହୋଇଯାଉଛି। ବଡ଼ କଥା ହେଲା, କିଛି ମାମଲାରେ ଯଦିଓ ପୁଲିସ ଠକଙ୍କୁ ଗିରଫ କରିବାରେ ସଫଳ ହେଉଛି, ସେମାନଙ୍କ ନିକଟରୁ ଠକେଇ ଅର୍ଥ, ସାମଗ୍ରୀ ଜବତ କରିପାରୁନାହିଁ।
ଅପରପକ୍ଷେ, ଠକମାନେ ରାଜଧାନୀକୁ ନିଜର ସୁରକ୍ଷାସ୍ଥଳ ବାଛି ନେଇଛନ୍ତି। ଅନ୍ୟ ରାଜ୍ୟରୁ ଠକେଇ କରି ରାଜଧାନୀରେ ଆତ୍ମଗୋପନ କରୁଛନ୍ତି ଅଥବା ଏଇଠାରେ ବସି ଅନ୍ୟ ରାଜ୍ୟରୁ କୋଟି କୋଟି ଟଙ୍କା ଠକୁଛନ୍ତି। ବେଙ୍ଗାଲୁରୁ, ହ୍ରାଇଦ୍ରାବାଦ, ରାଞ୍ଚି, ରାଜସ୍ଥାନ ଓ ଉତ୍ତରପ୍ରଦେଶ ପୁଲିସ ଏଠାରୁ ଠକଙ୍କୁ ଗିରଫ କରିବାର ଅନେକ ନଜିର ରହିଛି। ଗତ ଜାନୁଆରି ୨୮ ତାରିଖରେ ଦିଲ୍ଲୀ ଇଓଡବ୍ଲୁ(ଅର୍ଥନୈତିକ ଅପରାଧ ଶାଖା) ମାଷ୍ଟରକ୍ୟାଣ୍ଟିନ୍ ଛକରୁ ଧଉଳି ଅଞ୍ଚଳର ଜଣେ ଯୁବକ ମନୋଜ ସେଠକୁ ଗିରଫ କରିଥିଲା। ମନୋଜ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କ ଲେଟର ପ୍ୟାଡ୍ ଓ ଦସ୍ତଖତକୁ ଜାଲ୍ କରି ରାଷ୍ଟ୍ରାୟତ୍ତ କମ୍ପାନିରୁ କୋଟି କୋଟି ଟଙ୍କା ବିଜ୍ଞାପନ ମାଗିବା ନେଇ ଅଭିଯୋଗ ହୋଇଥିଲା। ସେହିପରି ଏଇ ମାସ ୫ ତାରିଖରେ ବେଙ୍ଗାଲୁରୁ ପୁଲିସ ଚନ୍ଦ୍ରଶେଖରପୁର ଡିଷ୍ଟ୍ରିକ୍ଟ ସେଣ୍ଟର୍ ଅଞ୍ଚଳରୁ ୩ ମୋଷ୍ଟୱାଣ୍ଟେଡ୍ ଠକଙ୍କୁ ଗିରଫ କରିଥିଲା। ଏହି ଅଭିଯୁକ୍ତମାନେ ସଫ୍ଟୱେୟାର୍ କମ୍ପାନିରେ ଚାକିରି କରାଇଦେବାର ଲୋଭ ଦେଖାଇ ସେଠାକାର କିଛି ବେକାର ଯୁବକ/ଯୁବତୀଙ୍କଠାରୁ କୋଟି କୋଟି ଟଙ୍କା ଠକି ନେଇଥିଲେ। କରୋନା ସମୟରେ ଭୁବନେଶ୍ବର ଚାଲି ଆସି ଠକେଇ ଟଙ୍କାରେ ଏକ ସଂସ୍ଥା ଖୋଲି ବେପାର ଚଳାଇ ଆସିଥିଲେ।
ଖାଲି ଠକେଇକୁ ନେଇ କମିସନରେଟ୍ ପୁଲିସ ନିକଟରୁ ହସ୍ତଗତ ହୋଇଥିବା ତଥ୍ୟ ଅନୁଯାୟୀ, ଖାଲି ଭୁବନେଶ୍ବରରେ ଗତ ତିନି ବର୍ଷରେ ୨ ହଜାରରୁ ଊର୍ଧ୍ବ ଠକେଇ ମାମଲା ରୁଜୁ ହୋଇଥିବା ବେଳେ ମାତ୍ର ୪୩୫ ଠକଙ୍କୁ ପୁଲିସ ଗିରଫ କରିପାରିଛି। ୨୦୧୯ରେ ୬୫୦ଟି ଠକେଇ ମାମଲା ରୁଜୁ ହୋଇଥିବା ବେଳେ ପୁଲିସ ମାତ୍ର ୧୩୬ଜଣଙ୍କୁ ବାନ୍ଧିଥିବା ବେଳେ ୨୦୨୦ରେ ୫୧୮ ମାମଲା, ୧୧୮ ଗିରଫ ଓ ୨୦୨୧ରେ ୭୯୧ ମାମଲାରେ ୧୮୧ଜଣଙ୍କୁ ବାନ୍ଧିଛି। ୨୦୨୨ରେ ବି ବର୍ଷ ଆରମ୍ଭରୁ ଠକେଇର ଧାରା ଜାରି ରହିଛି। ଜାନୁଆରି ପହିଲାରୁ ଏଯାବତ୍ ଭୁବନେଶ୍ବରରେ ଶହେରୁ ଊର୍ଧ୍ବ ମାମଲା ରୁଜୁ ହେଲାଣି।
/sambad/media/post_attachments/wp-content/uploads/2022/01/arrest-new-indian-express.jpg)
ଗତ ୨ ମାସରେ ଘଟିଥିବା କିଛି ଚର୍ଚ୍ଚିତ ଠକେଇ ଘଟଣା
୫/୧: ନିଜକୁ ପିପିଇ କିଟ୍ ଓ ମାସ୍କ ତିଆରି କରୁଥିବା ଏକ ସଂସ୍ଥାର ମାଲିକ କହି କେନ୍ଦ୍ରାପଡ଼ା ରାଜନଗର ଅଞ୍ଚଳର ପ୍ରଭାକର ଜେନା ଚନ୍ଦକା ଥାନା ଗୋଠପାଟଣା ଅଞ୍ଚଳର ଡାକ୍ତର ସସ୍ମିତା ମହାପାତ୍ରଙ୍କୁ ଜାଲରେ ଫସାଇଥିଲା। କମ୍ପାନିରେ ପୁଞ୍ଜି ବିନିଯୋଗ ନାଁରେ ତାଙ୍କଠାରୁ ଏକ କୋଟି ଟଙ୍କା ଠକିଥିଲା। ସେହିପରି ମଞ୍ଚେଶ୍ବର ଅଞ୍ଚଳର ସୌମ୍ୟଦୀପ୍ତ ନାୟକଙ୍କୁ ସମାନ ଢ଼ଙ୍ଗରେ ଫସାଇ ତାଙ୍କଠାରୁ ୫୨ଲକ୍ଷ ଟଙ୍କାର ଚୂନ ଲଗାଇଥିଲା। ମଞ୍ଚେଶ୍ବର ଥାନା ପୁଲିସ ତାକୁ ଗିରଫ କରିବା ପରେ ଅନ୍ୟ ଲୋକଙ୍କଠାରୁ ମଧ୍ୟ କୋଟି କୋଟି ଟଙ୍କା ଠକିଥିବା ଘଟଣା ପଦାକୁ ଆସିଥିଲା। ତା’ ନାମରେ ୧୦ କୋଟିରୁ ଊର୍ଧ୍ବ ଠକେଇର ଅଭିଯୋଗ ଥିବା ଜଣାଯାଇଛି। ଦୁଇ ଦିନ ତଳେ ଚନ୍ଦକା ପୁଲିସ ତାକୁ ଗିରଫ କରି କୋର୍ଟଚାଲାଣ କରିଛି।୧୩/୧: ଫଟୋ ଗୋଟିଏ। ହେଲେ ନାଁ ଭିନ୍ନ ଭିନ୍ନ କରି ବ୍ୟାଙ୍କ ଓ ଫାଇନାନ୍ସ ସଂସ୍ଥାକୁ ଠକିବା ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ କଟକ ଓଲଟପୁର ଅଞ୍ଚଳର ସ୍ମୃତିରଂଜନ ସାହୁ ଓରଫ ରମଣ(୩୭)କୁ ଗିରଫ କରିଥିଲା।
୧୭/୧: ଜମି ଦେବା ନାଁରେ ଜଣେ ଅବସରପ୍ରାପ୍ତ ଅଧ୍ୟକ୍ଷଙ୍କୁ ୨କୋଟିରୁ ଊର୍ଧ୍ବ ଟଙ୍କା ଠକେଇ ଅଭିଯୋଗରେ ମଞ୍ଚେଶ୍ବର ଥାନା ପୁଲିସ ବାପ୍ସା ଏଣ୍ଟରପ୍ରାଇଜେସ୍ର ଏମ୍ଡି ପଦାରବିନ୍ଦ ମହାପାତ୍ର(୪୩)କୁ କଟକ ପୁରୀଘାଟ ଥାନାସ୍ଥିତ ଘରୁ ଗିରଫ କରିଥିଲା।
୪/୨: ମହାନଦୀ କୋଲ୍ ଫିଲ୍ଡ୍ସ ଲିମିଟେଡ୍ (ଏମସିଏଲ୍) ଜମି ଅଧିଗ୍ରହଣରେ ଜମି ହରାଇଥିବା ପରିବାରକୁ କ୍ଷତିପୂରଣ ବାବଦରେ କୋଟି କୋଟି ଟଙ୍କା ଚୂନ ଲଗାଇଥିଲେ ଏମ୍ସିଏଲ୍ ଓ କ୍ଲେମିଂ କମିସନର ୩ କର୍ମଚାରୀ। ଠକେଇରେ ସମ୍ପୃକ୍ତ କ୍ଲେମିଂ କମିସନଙ୍କ କାର୍ଯ୍ୟାଳୟର କାର୍ଯ୍ୟରତ ଦୁଇ କର୍ମଚାରୀ ସ୍ବାଗତ ପ୍ରକାଶ ବରାଳ(୩୫), ଦୁଷ୍ମନ୍ତ ପଟେଲ(୪୩) ଏବଂ ଏମସିଏଲ୍ କର୍ମଚାରୀ ତ୍ରିଲୋଚନ ଦଣ୍ଡସେନା(୩୩)ଙ୍କୁ ଖାରବେଳନଗର ଥାନା ପୁଲିସ ଗିରଫ ପରେ ଧୀରେ ଧୀରେ ରହସ୍ୟ ଉପରୁ ପର୍ଦ୍ଦା ହଟୁଛି।
୫/୨: ନାଲ୍କୋରେ ଚାକିରି ଦେବା ନାଁରେ ଏକ କନ୍ସଲ୍ଟାନ୍ସି ସଂସ୍ଥା ଯୁବତୀଙ୍କଠାରୁ ଲକ୍ଷାଧିକ ଟଙ୍କା, ସମସ୍ତ ଅରିଜିନାଲ୍ ସାର୍ଟିଫିକେଟ୍ ନେଇଥିଲା। ଯୁବତୀଜଣଙ୍କ ସତ ଜାଣିବା ପରେ ଟଙ୍କା ମାଗିବାରୁ ଠକ ଶାରୀରିକ ସର୍ମ୍ପକ ରଖିବାକୁ ସର୍ତ୍ତ ରଖିଥିଲା। ସଂସ୍ଥାର ମାଲିକଙ୍କ ଏଭଳି ହରକତ ନେଇ ଠକାମିର ଶିକାର ହୋଇଥିବା ଜଣେ ଯୁବତୀ ଚନ୍ଦ୍ରଶେଖରପୁର ଥାନାରେ ଅଭିଯୋଗ କରିଥିଲେ।
୫/୨: ସଫ୍ଟୱେର୍ କମ୍ପାନିରେ ଚାକିରି କରାଇଦେବା ଆଳରେ କୋଟି କୋଟି ଟଙ୍କା ଠକିଥିବା ଏକ ଗ୍ୟାଙ୍ଗକୁ ବେଙ୍ଗାଲୁରୁ ପୁଲିସ ରାଜଧାନୀରୁ ଠାବ କରିଥିଲା। ଚନ୍ଦ୍ରଶେଖରପୁର ଥାନା ପୁଲିସ ସହାୟତାରେ ବେଙ୍ଗାଲୁରୁ ପୁଲିସ ଏହି ଗ୍ୟାଙ୍ଗର୍ ୩ ସଦସ୍ୟଙ୍କୁ ଡିଷ୍ଟ୍ରିକ୍ଟ ସେଣ୍ଟର୍ରୁ ଗିରଫ କରିଥିଲା। ବେଙ୍ଗାଲୁରୁରେ ଠକେଇ କରିବା ପରେ ସେମାନେ ଏଠାରେ ଏକ ପାର୍ସଲ ସଂସ୍ଥା ଖୋଲି ବ୍ୟବସାୟ ଚଲାଇଥିଲେ।