ରାଜଧାନୀ ପୂଜା ସମିତି କେଳେଙ୍କାରୀର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ

ଭୁବନେଶ୍ୱର: ଭୁବନେଶ୍ବର ରାଜଧାନୀ ପୂଜା ସମିତିରେ ହୋଇଥିବା ୩ କୋଟି ୧୦ ଲକ୍ଷ ଟଙ୍କା ଦୁର୍ନୀତି ମାମଲାର ତଦନ୍ତ କରିବ କ୍ରାଇମ୍‌ବ୍ରାଞ୍ଚ। ଅଡିଟ୍‌ ରିପୋର୍ଟ ପାଇବା ପରେ ଆଜି କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିଛନ୍ତି ଦେବୋତ୍ତର କମିସନ ଜଷ୍ଟିସ୍‌ ଚିତ୍ତରଞ୍ଜନ ମହାପାତ୍ର। ଘଟଣାର ତଦନ୍ତ କରି ଉପଯୁକ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ପାଇଁ ସେ ଚିଠିରେ ଉଲ୍ଲେଖ କରିଛନ୍ତି। ତେବେ ପୂର୍ବରୁ ଦୁଇଦୁଇ ଥର କମିସନର ଏଭଳି ଚିଠି କ୍ରାଇମ୍‌ବ୍ରାଞ୍ଚକୁ ଲେଖିଥିଲେ। କିନ୍ତୁ ଏହାକୁ ଗୁରୁତ୍ବର ସହ କ୍ରାଇମ୍‌ବ୍ରାଞ୍ଚ ନେଇ ନ ଥିଲା କିମ୍ବା ମାମଲା ରୁଜୁ କରି ନ ଥିଲା। ଏବେ ଏଜି ଅଡିଟ୍‌ ରିପୋର୍ଟ ସହ ତଦନ୍ତ ସୁପାରିସ ହୋଇଥିବାରୁ ମାମଲା ରୁଜୁ ହେବା ସହ କାର୍ଯ୍ୟାନୁଷ୍ଠାନ ହେବା ସ୍ପଷ୍ଟ ହୋଇଛି।

ଅନ୍ୟପଟେ ଏଜି ଏହି ଦୁର୍ନୀତିର ପ୍ରମାଣ ଧରିବା ପରେ ବର୍ଷ ବର୍ଷ ଧରି ଦୋକାନ ଭଡ଼ା ଓ ଏଗ୍ରିମେଣ୍ଟ ବାବଦରେ ଠକୁଥିବା ବ୍ୟବସାୟୀଙ୍କ ମଧ୍ୟରେ ଭାଳେଣି ପଡ଼ିଛି। ଆଜି କେତେକ ଦୋକାନୀ ସରକାରୀ ସର୍ତ୍ତ ମୁତାବକ, ପୁନଃ ବୁଝାମଣାପତ୍ର ସ୍ବାକ୍ଷର କରିବା ପାଇଁ ପ୍ରସ୍ତୁତ ହେବା ସହ ସମିତି ଅନ୍ତରୀଣ ଟ୍ରଷ୍ଟବୋର୍ଡ ସହ ଯୋଗାଯୋଗ କରିଛନ୍ତି। ସରକାର ଧାର୍ଯ୍ୟ କରିଥିବା ବା ଏଜି ତାଙ୍କ ରିପୋର୍ଟରେ ସୁପାରିସ କରିଥିବା ଦର ଅନୁସାରେ ଏଗ୍ରିମେଣ୍ଟ କରିବା ସହ ନିୟମିତ ଭଡ଼ା ପ୍ରଦାନ କରିବା ପାଇଁ ରାଜି ହୋଇଛନ୍ତି। ଆଉ କିଛି ବ୍ୟବସାୟୀ ଅଛନ୍ତି, ଯେଉଁମାନେ ପୂର୍ବରୁ ଭଡ଼ା ନିୟମିତ ଦେଇଥିଲେ ମଧ୍ୟ ଦୁର୍ନୀତି କରିଥିବା ଅଧିକାରୀ ଓ ଟ୍ରଷ୍ଟ ବୋର୍ଡର ପୂର୍ବତନ ସଦସ୍ୟ ଟଙ୍କା ହଡ଼ପ କରିଦେଇଥିବାରୁ ସେମାନେ ଅର୍ଥ ଜମା କରିଥିବା ନେଇ କୌଣସି ପ୍ରମାଣ ନାହିଁ। ଏଣୁ ସେମାନେ ଚିନ୍ତାରେ ପଡ଼ିଛନ୍ତି।

ସୂଚନାଯୋଗ୍ୟ, ୧୯୭୦ ମସିହାରେ ଏଠାରେ ଦୋକାନ ଘର ତିଆରି ହୋଇ ଭଡ଼ା ଲାଗିଛି। ଏବେ ଏଠାରେ ୭୩ଦୋକାନ ଘର ରହିଛି। ଦେବୋତ୍ତର ବିଭାଗ ଏହାକୁ ପରିଚାଳନା କରିବା ପାଇଁ ୨୦୦୫ ମସିହାରେ ଏକ ଟ୍ରଷ୍ଟ ବୋର୍ଡ ଗଠନ କରିଥିଲା। ଏହି ବୋର୍ଡ ବ୍ୟାପକ ଦୁର୍ନୀତି କରିଥିଲା। ୧୦ ଟଙ୍କିଆ ଷ୍ଟାମ୍ପ ପେପର୍‌ରେ ଦୋକାନୀଙ୍କ ସହ ଚୁକ୍ତିନାମା ହୋଇଥିବା ବେଳେ ଅନେକ ଦୋକାନ ବିନା ଏଗ୍ରିମେଣ୍ଟରେ ଦେଇ ଦିଆଯାଇଛି। ବଜାର ଦରଠାରୁ ଢେର୍‌ କମ୍‌ରେ ଦୋକାନ ଭଡ଼ା ସ୍ଥିର ହୋଇଥିବା ବେଳେ ୨୬ ଦୋକାନ ଜବରଦଖଲରେ ତିଆରି ହୋଇଛି। ୩୨ ମାସରେ ୧୬ ଲକ୍ଷ ୮୨ ହଜାର ୯୧୨ ଟଙ୍କା ଭଡ଼ା ବାବଦକୁ ଆଦାୟ ହେବା କଥା, ହେଲେ ଟଙ୍କାଟିଏ ଆଦାୟ ହୋଇନାହିଁ। ଏଭଳି ସମସ୍ତ କାରବାରକୁ ବିଚାରକୁ ନେଲେ ୩ କୋଟି ୧୦ ଲକ୍ଷ ୭୫ ହଜାର ୩୩୮ ଟଙ୍କା ଲୁଟ୍‌ ହୋଇଛି। ୨୦୧୮ ମସିହାରେ ଅନ୍ତରୀଣ ଟ୍ରଷ୍ଟି ଗଠନ ହୋଇ ଏହାକୁ ପରିଚାଳନା କରୁଛି। ଏଠାରେ ଦୁର୍ନୀତି ହୋଇଥିବା ଜଣାପଡ଼ିବା ପରେ ସରକାର ରାଜଧାନୀ ପୂଜା ସମିତି ସହ ୬୧ ଧାର୍ମିକ ଅନୁଷ୍ଠାନକୁ ଅଡିଟ୍‌ କରିବା ପାଇଁ ଏଜିକୁ ସୁପାରିସ କରିଥିଲେ। ରାଜଧାନୀ ପୂଜା ସମିତି ଦୁର୍ନୀତି ଧରାପଡ଼ିବା ପରେ ସରକାରଙ୍କ ସୁପାରିସକ୍ରମେ ଏଜି ଆଉ ୧୫୦ ଧାର୍ମିକ ଅନୁଷ୍ଠାନ ଅଡିଟ୍‌ କରୁଛି। ଅଦ୍ୟାବଧି ହୋଇଥିବା କେତେକ ଅନୁଷ୍ଠାନରେ ଅନୁରୂପ ଢଙ୍ଗରେ ଅନିୟମିତତାର ପ୍ରମାଣ ମିଳିଛି। ପୂର୍ବତନ ଆକାଉଣ୍ଟାଣ୍ଟଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ପାଇଁ ଦେ‌ବୋତ୍ତର କମିସନ କ୍ରାଇମ୍‌ବ୍ରାଞ୍ଚକୁ ଚିଠି ଲେଖିବା ପରେ ସେ ଚାକିରି ଛାଡ଼ି ଚାଲି ଯାଇଛନ୍ତି।

ସମ୍ବନ୍ଧିତ ଖବର