ଖଣ୍ଡଗିରି: ବାତ୍ୟା ଫନିରେ ଘରଦ୍ବାର ଭାଙ୍ଗିଗଲା। ପ୍ରଧାନମନ୍ତ୍ରୀ ଆବାସ ଯୋଜନା କିମ୍ବା ବିଜୁ ପକ୍କା ଘର ଯୋଜନାରେ ଘର ମିଳିବ ବୋଲି କହି ତାଲିକା କଲେ। ତେଣୁ ଭଙ୍ଗା ଘର ମରାମତି ପାଇଁ ସହାୟତା ଦିଆଗଲା ନାହିଁ। ତେଣୁ ପକ୍କା ଘର ଖଣ୍ଡେ ପାଇବା ଆଶାରେ ନିଜ ହାତରୁ ଭଙ୍ଗା ଘରକୁ ମରାମତି କରି ମୁଣ୍ଡ ଗୁଞ୍ଜିଲେ। ମାତ୍ର ଏବେ ପକ୍କା ଘର ହିତାଧିକାରୀ ତାଲିକାରୁ ନାଁ ଗାଏବ୍। ବାତ୍ୟା ଫନି ସହାୟତା ଯାଇଥିଲା ଏବେ ପକ୍କା ଘର ପାଇବା ଆଶା ବି ପାଣିରେ ମିଳେଇଗଲା। ଅନ୍ୟପକ୍ଷରେ ବହୁ ଅଯୋଗ୍ୟ ହିତାଧିକାରୀ ପକ୍କା ଘର ପାଇବାକୁ ଯୋଗ୍ୟତା ଅର୍ଜନ କରିଛନ୍ତି। ତେଣୁ ଏହି ମହାଦୁର୍ନୀତିର ଯାଞ୍ଚ ହେବା ଜରୁରୀ। ଏମିତି ଅଭିଯୋଗ କରିଛନ୍ତି ଜଟଣୀ ବ୍ଲକ ଅଙ୍ଗାରପଡ଼ା ପଞ୍ଚାୟତର କିଛି ଅଧିବାସୀ। ଯାଞ୍ଚ କରିବାକୁ ଦାବି କରି ଜିଲ୍ଲାପାଳଙ୍କୁ ଜନଶୁଣାଣି କାର୍ଯ୍ୟକ୍ରମରେ ଦରଖାସ୍ତ ଦେଇଛନ୍ତି।
ସୋମବାର ଜଟଣୀ ବ୍ଲକରେ ଖୋର୍ଧା ଜିଲ୍ଲାପାଳଙ୍କ ଜନଶୁଣାଣି କାର୍ଯ୍ୟକ୍ରମ ଥିଲା। ଏହି ଅବସରରେ ଅଙ୍ଗାରପଡ଼ା ପଞ୍ଚାୟତର ମହୁଲ, ପଳାଶପୁର, ମଧୁପୁର ଆଦି ଗାଁର କିଛି ଲୋକ ଜିଲ୍ଲାପାଳଙ୍କୁ ଏକ ଦାବି ପତ୍ର ଦେଇଛନ୍ତି। ସେମାନଙ୍କ ଅଭିଯୋଗ ଅନୁସାରେ ବାତ୍ୟା ଫନି ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ କ୍ଷୟକ୍ଷତି ଆକଳନ କରାଯାଇଥିଲା। କୋଠା ଘର ନଥିବା ଓ ଚାଳ ଛପର ଘର ଭାଙ୍ଗି ପଡ଼ିଥିବା ଲୋକଙ୍କୁ ପକ୍କା ଘର ଯୋଜନାରେ ସାମିଲ୍ କରାଯାଇଥିଲା। ଏମିତିକି ପକ୍କା ଘର ପାଇବାକୁ ଯୋଗ୍ୟ ହିତାଧିକାରୀ ତାଲିକାରେ ବି ସେମାନଙ୍କ ନାମ ଉଲ୍ଲେଖ ଥିଲା। ମାତ୍ର ଏବେ ସେମାନଙ୍କ ନାମ ତାଲିକାରେ ନାହିଁ। ଜିଲ୍ଲାପାଳ ଏହି ମାମଲାରେ ହସ୍ତକ୍ଷେପ କରି ଉପଯୁକ୍ତ ଅଧିକାରୀଙ୍କ ଜରିଆରେ ତଦନ୍ତ କଲେ, ପ୍ରକୃତ ସତ ପଦାକୁ ଆସିବ ବୋଲି ସେମାନେ ଦାବି କରିଛନ୍ତି।