ଫନି କ୍ଷୟକ୍ଷତି ତାଲିକାରେ ଅନିୟମିତତା ପ୍ରତିବାଦ

ବିଜେପି ପକ୍ଷରୁ ତହସିଲ ଘେରାଉ

ବାଲିଅନ୍ତା: ଫନି କ୍ଷୟକ୍ଷତି ତାଲିକାରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରି ଏହାର ପ୍ରତିବାଦରେ ବ୍ଲକ ବିଜେପି ସଂଗଠନ ପକ୍ଷରୁ ଆଜି ପୂର୍ବାହ୍ନରେ ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ଘେରାଉ କରାଯାଇଥିଲା। ଏହି ପରିପ୍ରେକ୍ଷୀରେ ସଂଗଠନର କର୍ମକର୍ତା ଓ ଶତାଧିକ କର୍ମୀ ପୂର୍ବାହ୍ନ ସାଢ଼େ ୧୧ଟା ସମୟରେ ପ୍ରଥମେ ଗଡ଼କଣ୍ଟୁଣିଆ ସ୍ଥିତ ସୁଦର୍ଶନ ଦେବଙ୍କ ଦାରୁପୀଠରେ ଏକାଠି ହୋଇଥିଲେ। ସେଠାରୁ ପୁରୁଣା ଜଗନ୍ନାଥ ରାସ୍ତାରେ ଏକ ରୢାଲିରେ ବାହାରି ବାଲିଅନ୍ତା ତହସିଲ କାର୍ଯ୍ୟାଳୟ ନିକଟରେ ପହଞ୍ଚିଥିଲେ। ସେଠାରେ ରାଜ୍ୟ ସରକାରଙ୍କ ବିରୋଧରେ ବିଭିନ୍ନ ସ୍ଲୋଗାନ ଦେଇ ବିକ୍ଷୋଭ ପ୍ରଦର୍ଶନ କରିଥିଲେ। ତହସିଲ କାର୍ଯ୍ୟାଳୟ ସମ୍ମୁଖରେ ସଂଗଠନ ପକ୍ଷରୁ ପରାଜିତ ବିଧାୟକ ପ୍ରାର୍ଥୀ ନରେନ୍ଦ୍ର ନାୟକଙ୍କ ନେତୃତ୍ବରେ ଏକ ପ୍ରତିବାଦ ସଭା ଅନୁଷ୍ଠିତ ହୋଇଥିଲା। ଏଥିରେ ସଂଗଠନର ନେତୃବୃନ୍ଦ କେନ୍ଦ୍ର ସରକାରଙ୍କ ପକ୍ଷରୁ ବିଭିନ୍ନ ଯୋଜନାରେ ଆସୁଥିବା ଅନୁଦାନ ରାଜ୍ୟ ସରକାର ଦୁରୂପଯୋଗ କରୁଥିବା ବେଳେ ଫନି ବାତ୍ୟା କ୍ଷୟକ୍ଷତି ସହାୟତା ଅର୍ଥ ପ୍ରଦାନରେ ବ୍ୟାପକ ଅନିୟମିତତା ହୋଇଥିବା ଅଭିଯୋଗ କରିଥିଲେ। ଏସଂପର୍କିତ ଏକ ଦାବିପତ୍ର ରାଜ୍ୟ ସରକାରଙ୍କ ଉଦ୍ଦେଶ୍ୟରେ ତହସିଲଦାର ରଶ୍ମିରେଖା ପ୍ରଧାନଙ୍କ ଅନୁପସ୍ଥିତିରେ ଅତିରିକ୍ତ ତହସିଲଦାରଙ୍କୁ ପ୍ରଦାନ କରିଥିଲେ। ଦାବିପତ୍ରରେ ସଂଗଠନ ପକ୍ଷରୁ ହୋଇଥିବା ଅଭିଯୋଗ ଅନୁଯାୟୀ ତଦନ୍ତ ତାଲିକା ରାତାରାତି ବଦଳିଯାଇଛି। ପ୍ରକୃତ କ୍ଷତିଗ୍ରସ୍ତ ପରିବାର ଲୋକଙ୍କ ନାମ ତାଲିକାଭୁକ୍ତ ହୋଇନଥିବା ବେଳେ ତହସିଲ କର୍ମଚାରୀ, ଆରଆଇ ଓ ସରପଞ୍ଚମାନେ ରୁଦ୍ଧଦ୍ବାର ବୈଠକ କରି ମନମୁଖୀ ଭାବେ ନିଜ ଲୋକଙ୍କ ନାମ ତାଲିକାଭୁକ୍ତ କରିଛନ୍ତି। ନଡ଼ିଆଗଛ, ଛତୁ ଓ ପାନବରଜ ଚିଠା ପ୍ରସ୍ତୁତରେ ବ୍ୟାପକ କେଳେଙ୍କାରୀ ହୋଇଛି। ଏହି ପ୍ରତିବାଦ ସଭାରେ ଅନ୍ୟମାନଙ୍କ ମଧ୍ୟରେ ରାଜ୍ୟ ସଂପାଦକ ପ୍ରଶାନ୍ତ ଆଦିତ୍ୟ, ରାଜ୍ୟ କୃଷକ ମୋର୍ଚ୍ଚା ଉପ ସଭାପତି ଦିଲ୍ଲୀପ କୁମାର ସ୍ବାଇଁ, ବାଲିଅନ୍ତା ଯୁବ ମୋର୍ଚ୍ଚା ସଭାପତି ସୁବାସ ସାହୁ ପ୍ରମୁଖ ଉପସ୍ଥିତ ଥିଲେ।

ସମ୍ବନ୍ଧିତ ଖବର