ତାଲିକାରେ ଭୁବନେଶ୍ବରରେ ସର୍ବାଧିକ ୨୦ ସ୍କୁଲ
ଝାଳନାଳ ହୋଇ ଖାତା ଖୋଜୁଛନ୍ତି ଶିକ୍ଷକ
ଟ୍ୟାଗ୍ଡ ସ୍କୁଲ ଉପରେ ମେଣ୍ଟର ସ୍କୁଲ ଚାପ
ଭୁବନେଶ୍ବର : ମାଟ୍ରିକ୍ ପରୀକ୍ଷା ତ ହେଲା ନାହିଁ। ଏବେ ପୁରୁଣା ପରୀକ୍ଷାର ଫଳାଫଳ ଆଧାରରେ ପରୀକ୍ଷାର୍ଥୀଙ୍କ ମୂଲ୍ୟାୟନ ହେବ। ମାତ୍ର ଏହି ପ୍ରକ୍ରିୟାରେ ନିଜ ନିଜ ସ୍କୁଲର ପିଲାଙ୍କ ମାର୍କ ବୃଦ୍ଧି କରିବାକୁ କାରସାଦି ଆରମ୍ଭ କରି ଦେଇଛନ୍ତି କିଛି ସ୍କୁଲ କର୍ତ୍ତୃପକ୍ଷ। ପରିସ୍ଥିତି ଏପରି ହୋଇଛି ଯେ ଖୋର୍ଧା ଜିଲ୍ଲାରେ ମାର୍କ ବୃଦ୍ଧିରେ ଜାଲିଆତି ହୋଇଥିବା ସନ୍ଦେହ ହେବାରୁ ଜିଲ୍ଲା ଶିକ୍ଷା ଅଧିକାରୀ ଏବେ ୫୩ ସ୍କୁଲକୁ ପିଲାଙ୍କ ଉତ୍ତର ଖାତା ମାଗିଛନ୍ତି। ଏହା ଏବେ ଏହିସବୁ ସ୍କୁଲର ଶିକ୍ଷକମାନଙ୍କ ନିଦ ହଜାଇ ଦେଇଛି।
ମିଳିଥିବା ସୂଚନା ଅନୁଯାୟୀ ଛାତ୍ରଛାତ୍ରୀଙ୍କ ୯ମ ଶ୍ରେଣୀ ପରୀକ୍ଷାର ଉତ୍ତର ଖାତା ସହ ଦଶମ ଶ୍ରେଣୀ ପ୍ରାକ୍ଟିସ୍ ପରୀକ୍ଷାର ଉତ୍ତର ଖାତା ମେଣ୍ଟର ସ୍କୁଲରେ ଦାଖଲ କରିବାକୁ ଜିଲ୍ଲାର ସ୍କୁଲଗୁଡ଼ିକୁ କୁହାଯାଇଛି। ଯେଉଁଥିରେ ଭୁବନେଶ୍ବରର ସର୍ବାଧିକ ୨୦ଟି ବିଦ୍ୟାଳୟ ରହିଛି। ଏହାବ୍ୟତୀତ ପ୍ରତି ବ୍ଲକରୁ ୨ରୁ ୪ଟି ସ୍କୁଲ କର୍ତୃପକ୍ଷଙ୍କଠାରୁ ଉତ୍ତର ଖାତା ମଗାଯାଇଛି। ଗତ ୨୮ ତାରିଖରେ ଖୋର୍ଧା ଡିଇଓ ମେଣ୍ଟର ସ୍କୁଲଗୁଡ଼ିକୁ ଚିଠି କରିବା ପରେ ଏବେ ହରଡ଼ଘଣାରେ ପଡ଼ିଛନ୍ତି ବିଦ୍ୟାଳୟ କର୍ତୃପକ୍ଷ। ଶହ ଶହ ପିଲାଙ୍କ ୯ମ ଓ ଦଶମ ଶ୍ରେଣୀ ପରୀକ୍ଷାର ଉତ୍ତର ଖାତା କେଉଁଠୁ ଆଣିବେ ତାହାକୁ ନେଇ ଚିନ୍ତାରେ ପଡ଼ିଛନ୍ତି। କେଉଁ ବିଦ୍ୟାଳୟର ଉତ୍ତର ଖାତା ରହିଛି ତ ଆଉ କାହାର ନାହିଁ। ଯେଉଁଥିପାଇଁ ଶିକ୍ଷକ ଶିକ୍ଷୟିତ୍ରୀ ଏବେ ଝାଳନାଳ ହୋଇ ଖାତା ଖୋଜିବାରେ ଲାଗିପଡ଼ିଛନ୍ତି। ମାଧ୍ୟମିକ ଶିକ୍ଷା ପରିଷଦ ପକ୍ଷରୁ ଉତ୍ତର ଖାତା ଦାଖଲ କରିବା ନେଇ କୌଣସି ସ୍ପଷ୍ଟ ନିର୍ଦେଶନାମା ନଥିବା ବେଳେ ଖୋର୍ଧା ଡିଇଓ ବିଦ୍ୟାଳୟଗୁଡ଼ିକ ଉପରେ ଚାପ ସୃଷ୍ଟି କରୁଥିବା ନେଇ ମଧ୍ୟ ଅଭିଯୋଗ ହୋଇଛି।
ଖୋର୍ଧା ଜିଲ୍ଲାର ୫୩ଟି ସ୍କୁଲକୁ ଉତ୍ତର ଖାତା ମଗାଯିବା ପରେ ଏବେ ଜିଲ୍ଲାରେ ନାନା କଳ୍ପନାଜଳ୍ପନା ଆରମ୍ଭ ହୋଇଛି। ମାଟ୍ରିକ୍ ମାର୍କ ଜାଲିଆତି ହୋଇଥିବା ନେଇ ଆଶଙ୍କା ପ୍ରକାଶ ପାଇଛି। କେତେକ ବିଦ୍ୟାଳୟ ଟାବୁଲେସନ ରେଜିଷ୍ଟାରରେ ପିଲାଙ୍କ ମାର୍କ ବଢ଼ାଇଥିବା ବି ଅନୁମାନ କରାଯାଉଛି। ଯଦି ଉତ୍ତର ଖାତା ଆବଶ୍ୟକତା ଥିଲା, ତେବେ ସବୁ ସ୍କୁଲର ସମସ୍ତ ପିଲାଙ୍କର ମଗାଗଲା ନାହିଁ କାହିଁକି? ନିର୍ଦ୍ଦିଷ୍ଟ ଭାବେ ୫୩ ସ୍କୁଲକୁ କାହିଁକି ଦାଖଲ କରିବାକୁ କୁହାଯାଇଛି? ଏହାପଛର କାରଣ ଜଣାପଡ଼ି ନ ଥିବା ବେଳେ ଖୋର୍ଧା ଡିଇଓ ବନ୍ଦନା ମହାପାତ୍ର କହିଛନ୍ତି ଯେ ଯେଉଁ ମାର୍କଗୁଡ଼ିକ ଓଭର ରାଇଟିଂ ହୋଇଛି ତାହାର ଯାଞ୍ଚ ଲାଗି ଖାତା ମଗାଯାଇଛି। କୌଣସି ପ୍ରକାର ଜାଲିଆତି ହୋଇ ନାହିଁ। ସ୍କୁଲଗୁଡ଼ିକ ନିକଟରେ ଉତ୍ତର ଖାତା ରହିଥିଲେ ସେମାନେ ଆଣି ଦାଖଲ କରିବେ। ଭୁବନେଶ୍ବରର ଅଧିକାଂଶ ସ୍କୁଲକୁ ମଗାଯାଇଛି।
ସ୍କୁଲ କର୍ତୃପକ୍ଷଙ୍କ ଅଭିଯୋଗ ହେଉଛି ଯେ କେଉଁ ଆଧାରରେ ପିଲାଙ୍କ ଉତ୍ତର ଖାତା ମଗାଯାଉଛି। ବର୍ଷେ ହେଲା ୯ମ ପରୀକ୍ଷା ସରିଲାଣି। ପରୀକ୍ଷା ପରେ ସେମାନଙ୍କ ଖାତା ମୂଲ୍ୟାୟନ କରାଯାଇ ବିଭିନ୍ନ ବିଷୟ ମାର୍କକୁ ଟାବୁଲେସନ ରେଜିଷ୍ଟାରରେ ଚଢ଼ାଯିବା ପରେ ଉତ୍ତର ଖାତା ନଷ୍ଟ କରି ଦିଆଯାଏ ନ ହେଲେ ବିକ୍ରି କରାଯାଏ। ଏଭଳି ସ୍ଥିତିରେ ପିଲାଙ୍କ ଖାତା ଏବେ କେଉଁଠୁ ଆଣିବୁ? ଏହାବାଦ୍ ଗତବର୍ଷ ପରୀକ୍ଷା ପରଠାରୁ ସ୍କୁଲ ବନ୍ଦ ରହିଥିବାରୁ ଖାତା ନଷ୍ଟ ହୋଇଯାଇଛି। କେତେକ ସ୍ଥାନରେ କୋଭିଡ୍-୧୯ ସେଣ୍ଟର ହୋଇଥିଲା। ତେଣୁ ସବୁ ପିଲାଙ୍କ ଉତ୍ତର ଖାତା ରଖିବା ସମ୍ଭବପର ନ ଥିଲା। ତେଣୁ ବାଧ୍ୟ ହୋଇ ନଷ୍ଟ କରିଦେଇଛୁ। ସେହିପରି ଦଶମ ପ୍ରାକ୍ଟିସ୍ ପରୀକ୍ଷାର ଉତ୍ତର ଖାତା ରଖିବା ଲାଗି ବୋର୍ଡ କିମ୍ବା ଡିଇଓଙ୍କ ପକ୍ଷରୁ ଆଗରୁ କୌଣସି ସୂଚନା ଦିଆଯାଇ ନ ଥିଲା। ତେଣୁ ଆମେ ସେହି ଖାତାକୁ ନିଜ ପାଖରେ ସାଇତି ରଖିବାର ବି କୌଣସି ଆବଶ୍ୟକତା ନାହିଁ। ପିଲାଙ୍କ ମାର୍କ ଆମ ପାଖରେ ରହିଛି। ଯାହାକୁ ମେଣ୍ଟର ସ୍କୁଲରେ ଦାଖଲ କରିଛୁ। ଏବେ ଉତ୍ତର ଖାତା ମାଗିଲେ ଆମେ କେଉଁଠୁ ଆଣିବୁ ବୋଲି ପ୍ରଶ୍ନ କରିଛନ୍ତି। ନିର୍ଦ୍ଦିଷ୍ଟ ଭାବେ କେତେକ ବିଦ୍ୟାଳୟକୁ ଟାର୍ଗେଟ୍ କରାଯିବା ପଛରେ କିଛି ମନ୍ଦ ଉଦ୍ଦେଶ୍ୟ ଥିବାର ଅନୁମାନ କରାଯାଉଛି। କାରଣ ଯଦି ଉତ୍ତର ଖାତାର ଆବଶ୍ୟକତା ରହିଛି ତେବେ ସବୁ ହାଇସ୍କୁଲକୁ ମଗାଯାଇଥାନ୍ତା। ମେଣ୍ଟର ସ୍କୁଲକୁ ମଗା ନ ଯାଇ କେବଳ ଟ୍ୟାଗ୍ଡ ସ୍କୁଲଗୁଡ଼ିକଠାରୁ ମଗାଯାଇଛି। ଯେଉଁଥିରେ ଅଧିକାଂଶ ଘରୋଇ ସ୍କୁଲ ରହିଛନ୍ତି। ଘରୋଇ ସ୍କୁଲର ପିଲାମାନେ ଭଲ ରେଜଲ୍ଟ କରୁଥିବାରୁ ଆକ୍ରୋଶମୂଳକ ଭାବେ ସେମାନଙ୍କ ମାର୍କ କମାଇବାକୁ ଏଭଳି କରାଯାଉଛି। ଖୋର୍ଧା ଡିଇଓଙ୍କଠାରୁ ଚିଠି ପାଇବା ପରେ ମେଣ୍ଟର ସ୍କୁଲ ପ୍ରଧାନଶିକ୍ଷକମାନେ ନିଜ କ୍ଷମତା ପ୍ରୟୋଗ କରୁଛନ୍ତି। ଟ୍ୟାଗ୍ଡ ସ୍କୁଲ ଅଧ୍ୟକ୍ଷଙ୍କୁ ଫୋନ୍ କରି ଖରାପ ବ୍ୟବହାର କରିବା ସହ ଶୀଘ୍ର ଖାତା ଦାଖଲ କରିବାକୁ କହୁଛନ୍ତି। ଯାହାକୁ ନେଇ ସ୍କୁଲଗୁଡ଼ିକ ମଧ୍ୟରେ ଅସନ୍ତୋଷ ବଢ଼ିବାରେ ଲାଗିଛି।