‘ସୌଭାଗ୍ୟ’ ଏବେ ଦୁର୍ଭାଗ୍ୟ! ବଲ୍‌ବ ଜଳୁନି, ବିଲ୍‌ ଆସୁଛି

ମିଟର ନ ବସାଇ ମାସକୁ ୫୦୦

ଚନ୍ଦ୍ରଶେଖରପୁର: ଘରକୁ ବିଜୁଳି ସଂଯୋଗ ହୋଇନି। କିନ୍ତୁ ମାସକୁ ମାସ ଆସୁଛି ବିଲ୍‌। କେଉଁ ମାସରେ ୫୦୦ ତ ଆଉ କେଉଁ ମାସରେ ୮୫୦ ଟଙ୍କା। ଗତ ୩ ମାସ ହେଲା ଲଗାତାର ଭାବେ ବିଲ୍‌ ଆସୁଥିବାରୁ ଲୋକଙ୍କ ଚିନ୍ତା ବଢ଼ିଗଲାଣି। ଘରେ ଗୋଟିଏ ବି ବଲ୍‌ବ ଜଳୁ ନଥିବା ବେଳେ ଘନ ଘନ ବିଲ୍‌ ଆସିବା ଦ୍ବାରା ‌ଅସ୍ତବ୍ୟସ୍ତ ହୋଇପଡ଼ିଲେଣି ଲୋକେ। କେମିତି ବିଲ୍‌ ଆସୁଛି, ସେ ବିଷୟରେ ଜାଣିବା ପାଇଁ ସେମାନେ ବିଦ୍ୟୁତ୍‌ ସେକ୍ସନ ଅଫିସ୍‌କୁ ଧାଉଁଛନ୍ତି। କାହାର ସମାଧାନ ହେଉଛି ତ ଆଉ କାହାର ସେମିତି ପ୍ରତି ମାସରେ ବିଲ୍‌ ଆସୁଛି। ଏପରିକି କିଛି ଗ୍ରାହକଙ୍କ ମିଟର ବସି ନଥିବା ବେଳେ ପ୍ରତି ମାସରେ ମନଇଚ୍ଛା ବିଦ୍ୟୁତ୍‌ ବିଲ୍‌ ଆସୁଛି। ଭୁବନେଶ୍ବର ସିଟି ଡିଷ୍ଟ୍ରିବ୍ୟୁସନ୍‌ ଡିଭିଜନ୍‌(ବିସିଡିଡି-୨) ଅଧୀନ ଚନ୍ଦ୍ରଶେଖରପୁର ସେକ୍ସନ-୧ରେ ‘ସୌଭାଗ୍ୟ’ ଯୋଜନାରେ ନୂଆ କରି ଗ୍ରାହକ ହୋଇଥିବା ଲୋକେ ଏଭଳି ସମସ୍ୟାର ସମ୍ମୁଖୀନ ହେଉଛନ୍ତି। ଏକାଧିକ ଅଭିଯୋଗ ପରେ ବିଦ୍ୟୁତ୍‌ ବିଭାଗ ଅଧିକାରୀଙ୍କ ‌ନିଦ ଭାଙ୍ଗିଛି। ସମସ୍ୟାର ସମାଧାନ ଦିଗରେ ପଦକ୍ଷେପ ନିଆଯାଇଥିବା ଅଧିକାରୀମାନେ କହିଛନ୍ତି। କେବଳ ଜଣେ କି ଦୁଇ ଜଣ ବ୍ୟକ୍ତିଙ୍କର ଏଭଳି ସମସ୍ୟା ହୋଇଛି, ତାହା ନୁହେଁ। ଡିଭିଜନ୍‌ର କେତେକ ଲୋକଙ୍କ ଘରକୁ ‘ସୌଭାଗ୍ୟ’ ଯୋଜନାରେ ବିଜୁଳି ତାର ଟଣାଯାଇଛି। ହେଲେ ଏ ପର୍ଯ୍ୟନ୍ତ ମିଟର ବସିନି। ଆଉ ମାସକୁ ମାସ ମନ ଇଚ୍ଛା ବିଲ୍‌ ଆସୁଛି। କେଉଁ ମାସରେ ୫୨୦ ଟଙ୍କା ଆସୁଛି ତ ଆଉ କେଉଁ ମାସରେ ୭୦୫ ଟଙ୍କା। ଚନ୍ଦ୍ରଶେଖରପୁର ସେକ୍ସନ-୧ ଅଧୀନ ନୀଳପଡ଼ିଆ ବସ୍ତି ବାସିନ୍ଦା ମମତା ମୋଡ଼ିଆଙ୍କ କହିବାନୁଯାୟୀ, ପ୍ରତିଦିନ ୩ଟି ବଲ୍‌ବ ଜଳୁଛି। ଶୀତ ଦିନ ହୋଇଥିବାରୁ ଫ୍ୟାନ୍‌ ଚାଲୁନି। ହେଲେ ମାସିକ ବିଲ୍‌ ୫୦୦ ଟଙ୍କା ଆସୁଛି। ଏନେଇ ଅଭିଯୋଗ କଲେ ମଧ୍ୟ କେହି ଶୁଣୁନାହାନ୍ତି। ଆଗକୁ ସବୁ ଠିକ୍‌ ହୋଇଯିବ କହି ଅଧିକାରୀମାନେ ସାନ୍ତ୍ବନା ଦେଉଛନ୍ତି। ଏହିପରି ଭାବେ ଗତ ୩ ମାସରେ ୧୬୦୦ ଟଙ୍କା ବିଲ୍‌ ଆସିସାରିଲାଣି। ହେଲେ ଟଙ୍କାଟିଏ ବି ଦେଇନୁ।

ଲୋକେ ଆହୁରି ଅଭିଯୋଗ କରିଛନ୍ତି ଯେ ‘ସୌଭାଗ୍ୟ’ ଯୋଜନାରେ ମାଗଣାରେ ବିଜୁଳି ସଂଯୋଗ ହେଉଛି ବୋଲି କୁହାଯାଉଥିଲେ ମଧ୍ୟ ଅର୍ଥ ନିଆଯାଇଛି। ଯେଉଁମାନେ ଖୁଣ୍ଟରୁ ଘରକୁ ବିଦ୍ୟୁତ୍‌ ତାର ଟାଣିବାକୁ ଆସୁଛନ୍ତି, ସେମାନେ ଜୋର ଜବରଦସ୍ତ ଟଙ୍କା ମାଗୁଛନ୍ତି। ୫୦୦ ଟଙ୍କା ନ ଦେଲେ, ତାର ଟାଣିବୁ ନାହିଁ ବୋଲି କହୁଛନ୍ତି। ଏ ବାବଦରେ ଏତେ ଟଙ୍କା, ସେବାବଦରେ ସେତେଟଙ୍କା କହି ଦୁଇ ହଜାର ଟଙ୍କା ପର୍ଯ୍ୟନ୍ତ ନେଉଛନ୍ତି। ‘ସୌଭାଗ୍ୟ’ ଯୋଜନାରେ ନାଁ ନ ଥିଲେ ପଛରେ ୫ରୁ ୧୦ ହଜାର ଟଙ୍କା ନିଆଯାଇ ମାଗଣା ବିଜୁଳି ଯୋଗାଣ ହେଉଛି। ଏଥିରେ ବିଭାଗର କେତେଜଣ ଅସାଧୁ କର୍ମଚାରୀ ସାମିଲ ରହିଛନ୍ତି। ଅଭିଯୋଗ ନେଇ ଚନ୍ଦ୍ରଶେଖରପୁର ସେକ୍ସନ-୧ର ଜେଇ ସ୍ମୃତି ରଞ୍ଜନ ବେହେରା କହିଛନ୍ତି କିଛି ଦିନ ତଳେ ଏଭଳି ଗୋଟିଏ ଦୁଇଟି ଅଭିଯୋଗ ଆସିଥିଲା। ସମାଧାନ ହୋଇଛି। ଆଉ ସେଭଳି କିଛି ସମସ୍ୟା ନାହିଁ। ଯଦି କୌଣସି ସ୍ଥାନରେ ଏଭଳି ସମସ୍ୟା ରହିଥିବ ତାହାର ତୁରନ୍ତ ସମାଧାନ କରାଯିବ। ବହୁ ଲୋକଙ୍କ ଘରକୁ ବିଜୁଳି ସଂଯୋଗ ହୋଇସାରିଛି। ନିୟମ ବାହାରେ କିଛି ବି ହେଉ ନାହିଁ ବୋଲି ସେ କହିଛନ୍ତି। ବିସିଡିଡିର ଡିଜିଏମ୍‌ ବାଣୀଭୂଷଣ ମହାନ୍ତି କହିଛନ୍ତି ସେମିତି କିଛି ଅଭିଯୋଗ ଆମ ପାଖକୁ ଆସିନି। ସୌଭାଗ୍ୟ ଯୋଜନାରେ ଏହି ଡିଭିଜନ୍‌ର ପ୍ରାୟ ୮ରୁ ୧୦ ହଜାର ‌ନୂଆ ଗ୍ରାହକ ସାମିଲ ହୋଇଛନ୍ତି। ଡିଭିଜନ୍‌ର ଜଣେ ବରିଷ୍ଠ ଅଧିକାରୀ କହିଛନ୍ତି ‌ଯେ ନିର୍ଦ୍ଧାରିତ ସମୟ ପୂର୍ବରୁ ସବୁ ଘରକୁ ବିଦ୍ୟୁତ୍‌ ସଂଯୋଗ କରିବାକୁ ଟାର୍ଗେଟ୍‌ ଦିଆଯାଇଛି। ଆବଶ୍ୟକୀୟ କର୍ମଚାରୀ ନ ଥିବାରୁ ଏତେ କମ୍‌ ସମୟରେ ବିଦ୍ୟୁତ୍‌ ସଂଯୋଗ ସହ ସବୁ ଘରେ ମିଟର ବସାଇବା ସମ୍ଭବପର ହେଉ ନାହିଁ। ଯେଉଁଥିପାଇଁ ବହୁ ଗ୍ରାହକଙ୍କ ମିଟର ବସିପାରିନି। ତେଣୁ ବିଲ୍‌ରେ ତଫାତ୍‌ ଦେଖିବାକୁ ମିଳୁଛି। ବିଜୁଳି ସଂଯୋଗ ପରେ ସବୁ କିଛି ଠିକ୍‌ ହୋଇଯିବ।

କର୍ପୋରେଟରଙ୍କ ପାଖରେ ଅଟକିଛି ଆବେଦନପତ୍ର
ଦେଶର ସବୁ ପରିବାରଙ୍କ ନିକଟରେ ବିଜୁଳି ପହଞ୍ଚାଇବା ଲକ୍ଷ୍ୟରେ ୨୦୧୭ ସେପ୍ଟେମ୍ବର ୨୫ରେ କେନ୍ଦ୍ର ସରକାରଙ୍କ ଦ୍ବାରା ‘ସୌଭାଗ୍ୟ’ ଯୋଜନାର ଆରମ୍ଭ ହୋଇଥିଲା। ଗ୍ରାମାଞ୍ଚଳ ସମେତ ସହରାଞ୍ଚଳରେ ବସବାସ କରୁଥିବା ଗରିବ ଲୋକଙ୍କୁ ସହଜ, ସୁବିଧା ଓ ମାଗଣାରେ ବିଜୁଳି ଯୋଗାଇବାକୁ ପ୍ରାଥମିକତା ଦିଆଯାଇଥିଲା। ୨୦୧୮ ଡିସେମ୍ବର ଶେଷ ସୁଦ୍ଧା ଓଡ଼ିଶାର ସମସ୍ତ ଘରକୁ ବିଜୁଳି ସଂଯୋଗ ହୋଇଥିବା ନେଇ ସୌଭାଗ୍ୟ ପୋଟାର୍ଲରେ ଦର୍ଶାଯାଉଥିଲେ ମଧ୍ୟ ଏବେ ବି ଓଡ଼ିଶାର ସବୁ ଘରକୁ ବିଜୁଳି ପହଞ୍ଚିପାରିନି। ଏପରିକି ରାଜଧାନୀରେ ବି ସୌଭାଗ୍ୟକୁ ଶତ ପ୍ରତିଶତ ସଫଳତା ମିଳି ନଥିବା ଦେଖିବାକୁ ମିଳିଛି। ଲୋକମାନେ ସୌଭାଗ୍ୟରେ ସାମିଲ ହେବାକୁ ଆବେଦନ କରିଥିଲେ ମଧ୍ୟ ଏପର୍ଯ୍ୟନ୍ତ ସଂଯୋଗ ଦିଆଯାଇନି। ସ୍ଥାନୀୟ ଲୋକ ପ୍ରତିନିଧି(କର୍ପୋରେଟର)ଙ୍କ ନିକଟରେ ଆବେଦନପତ୍ର ପଡ଼ି ରହିଛି। ଇତି ମଧ୍ୟରେ କର୍ପୋରେଟରଙ୍କ କାର୍ଯ୍ୟକାଳ ଶେଷ ହୋଇଥିବାରୁ ଆଗକୁ ହେବ କି ନାହିଁ ତାହାକୁ ନେଇ ଲୋକଙ୍କ ମଧ୍ୟରେ ଆଶଙ୍କା ବଢ଼ିବାରେ ଲାଗିଛି।

ସମ୍ବନ୍ଧିତ ଖବର