ଭୁବନେଶ୍ବର, (ବିବୁଧ ମହାନ୍ତି): ବିଦ୍ୟୁତ୍ ବିଲ୍ ପ୍ରସ୍ତୁତିରେ ହେଉଛି ବଡ଼ଧରଣର କାରସାଦି। ମାସର ନିର୍ଦ୍ଦିଷ୍ଟ ତାରିଖରେ ବିଲ୍ ଦିଆନଯାଇ ଜାଣି ଜାଣି ବିଳମ୍ବରେ ଦିଆଯାଉଛି। ଫଳରେ ଗ୍ରାହକ ଯେଉଁଠି ୟୁନିଟ୍ ପିଛା ୩ଟଙ୍କା ହିସାବରେ ବିଲ୍ ପୈଠ କରିବା କଥା ସେଠାରେ ବେଶ୍ କିଛି ୟୁନିଟ୍ ୫ଟଙ୍କା ୮୦ ପଇସା ହିସାବରେ ବିଲ୍ ଆଦାୟ ଦେଉଛି। ବିଜୁଳି ବିଲ୍ର ଏଭଳି କାରସାଦିରେ ଜଣେ ଉପଭୋକ୍ତା ମାସକୁ ବିଲ୍ ପରିମାଣରୁ ଶହେ ଟଙ୍କାରୁ ଅଧିକ ଠକାମିର ଶିକାର ହେଉଛି। ଆଉ ଏମିତି ଯୋଜନାବଦ୍ଧ ଭାବେ ଉପଭୋକ୍ତାଙ୍କୁ ଭୁଆଁ ବୁଲାଇ କୋଟିକୋଟି ଟଙ୍କା ହରିଲୁଟ୍ ହେଉଛି। ରାଜଧାନୀ ଭୁବନେଶ୍ବରର ବିଭିନ୍ନ ଅଞ୍ଚଳରୁ ଏଭଳି ମାଳମାଳ ଅଭିଯୋଗ ଆସିଛି ବିଦ୍ୟୁତ ବଣ୍ଟନ ଓ ବିଲିଂ ଦାୟିତ୍ବରେ ଥିବା ଟିପିସିଓଡିଏଲ୍(ଟାଟା ପାୱାର ସେଣ୍ଟ୍ରାଲ ଓଡ଼ିଶା ଡିଷ୍ଟ୍ରିବ୍ୟୁସନ ଲିମିଟେଡ୍) ବିରୋଧରେ।
ଟିପିସିଓଡିଏଲ୍ ଏବେ ଖୋର୍ଦ୍ଧା ସମେତ ୮ଟି ଜିଲ୍ଲାରେ ବିଦ୍ୟୁତ ଯୋଗାଣ ଓ ବିଲ୍ ଆଦାୟ ଦାୟିତ୍ବ ନେଇଛି। ଏହିସବୁ ଜିଲ୍ଲାରେ ପ୍ରାୟ ୨୭ ଲକ୍ଷ ଉପଭୋକ୍ତା ଅଛନ୍ତି। ଉଚିତ୍ ସମୟରେ ବିଲ୍ ନ ଦେଲେ ତୁରନ୍ତ ବିଦ୍ୟୁତ ସଂଯୋଗ ବିଚ୍ଛିନ୍ନ କରିବା ପାଇଁ ସଂସ୍ଥା ଉପଭୋକ୍ତାଙ୍କୁ ଧମକ ଦେଉଛି। ସଂଯୋଗ ବିଚ୍ଛିନ୍ନ ହେବା ଭୟରେ ଉଚିତ ସମୟରେ ବିଲ୍ ଦେବାପାଇଁ ଉପଭୋକ୍ତା ତତ୍ପର ଅଛନ୍ତି। ଅର୍ଥାତ୍ ବିଜୁଳି ବିଲ୍କୁ ନେଇ ସଂସ୍ଥା ସହ ମୁହାଁମୁହିଁ ହେବାକୁ ଅଧିକାଂଶ ଉପଭୋକ୍ତା ଚାହୁନାହାନ୍ତି। ଯାହାର ସୁଯୋଗ ନେଇ ସଂସ୍ଥା ବିଲିଂରେ ଠକିବା ପାଇଁ ଏଭଳି କାରସାଦି କରିଛି। ଅନୁସନ୍ଧାନ ବେଳେ ‘ସମ୍ବାଦ’ ହାତରେ କମ୍ପାନିର ଏଭଳି ଅନେକ ଯୋଜନାବଦ୍ଧ ଚଞ୍ଚକତାର ପ୍ରମାଣ ଲାଗିଛି।
କଳିଙ୍ଗନଗରର ଜଣେ ଉପଭୋକ୍ତା ହେଉଛନ୍ତି ପ୍ରତାପ କୁମାର ପୃଷ୍ଟି। ଗତ ମେ’ ଓ ଜୁନ୍ ମାସର ବିଜୁଳି ବିଲ୍ ତାଙ୍କ ପାଖକୁ ଜୁନ୍ ୧୫ ତାରିଖରେ ଆସିଥିଲା। ଏଥିରେ ଦର୍ଶାଯାଇଥିବା ୧୬୪ ୟୁନିଟ୍ ବିଲ୍ ବାବଦରେ ସେ ୭୫୦ ଟଙ୍କା ଯଥା ସମୟରେ ପୈଠ କରିଥିଲେ। ନିୟମ ମୁତାବକ ପରବର୍ତ୍ତୀ ବିଜୁଳି ବିଲ୍ ଏହାର ୩୦ ଦିନ ପରେ ଅର୍ଥାତ ଜୁଲାଇ ୧୫ ତାରିଖରେ ଆସିବା କଥା। ପୂର୍ବରୁ ମିଟର ରିଡିଂ ପାଇଁ ଆସୁଥିବା କର୍ମଚାରୀ ଏଥିରେ ଦିନେ ଦୁଇଦିନ ବିଳମ୍ବ କଲେ କେହି କିଛି ଅଭିଯୋଗ କରୁ ନ ଥିଲେ। କିନ୍ତୁ ଚଳିତ ମାସ ୧୧ ଦିନ ପରେ ଅର୍ଥାତ୍ ଜୁଲାଇ ୨୬ ତାରିଖରେ ତାଙ୍କୁ ବିଲ୍ ଦିଆଗଲା ଏବଂ ଏଥିରେ ୨୮୪ ୟୁନିଟ୍ ବ୍ୟବହାର ହୋଇଥିବା ଦର୍ଶାଯାଇଥିଲା। ନିୟମ ଅନୁସାରେ ବିଦ୍ୟୁତ ବିଲ୍କୁ ୩ଟି ସ୍ଲାବ୍ରେ ବିଭକ୍ତ କରାଯାଇଥାଏ। ପ୍ରଥମ ୫୦ ୟୁନିଟ୍କୁ ୟୁନିଟ୍ ପିଛା ୩ଟଙ୍କା ଆଦାୟ ହିସାବରେ ୧୫୦ ଟଙ୍କା, ପରବର୍ତ୍ତୀ ଦେଢ଼ଶହ ୟୁନିଟ୍କୁ ୟୁନିଟ୍ ପିଛା ୪ ଟଙ୍କା ୮୦ ହିସାବରେ ୭୨୦ ଟଙ୍କା ଏବଂ ୨୦୦ ୟୁନିଟ୍ ପରେ ଅତିରିକ୍ତ ୟୁନିଟ୍ ପିଛା ୫ଟଙ୍କା ୮୦ ପଇସା ହିସାବରେ ବିଲ୍ ଆଦାୟ ହୁଏ। ଏହି କାରଣରୁ ଶ୍ରୀ ପୃଷ୍ଟିଙ୍କ ବିଲ୍ ପରିମାଣ ଅସ୍ବାଭାବିକ ଭାବେ ବଢ଼ିଗଲା। ଅର୍ଥାତ ମାସକୁ ହାରାହାରି ୨୦୦ ୟୁନିଟ୍ ବା ତା’ଠାରୁ କମ୍ ବିଦ୍ୟୁତ ବ୍ୟବହାର କରୁଥିବା ଶ୍ରୀ ପୃଷ୍ଟି ୭୦୦ରୁ ୮୦୦ ଟଙ୍କା ବିଲ୍ ଦେଉଥିବା ଶ୍ରୀ ପୃଷ୍ଟିଙ୍କ ବିଲ୍ରେ ଅତିରିକ୍ତ ୧୧ ଦିନର ବିଲ୍ ମିଶିଯିବାରୁ ଶେଷ ୮୪ ୟୁନିଟ୍କୁ ୟୁନିଟ୍ ପିଛା ୫ଟଙ୍କା ୮୦ ପଇସା ହିସାବରେ ୪୮୭ ଟଙ୍କା ମିଶାଇ ମୋଟ ବିଲ୍ ପରିମାଣ ୧୩୮୪ ଟଙ୍କା ହୋଇଗଲା। ଅର୍ଥାତ୍ ଯଦି ୧୧ ଦିନ ପୂର୍ବରୁ ତାଙ୍କର ମିଟର ରିଡିଂ ହୋଇ ବିଲ୍ ଆସିଥାଆନ୍ତା; ତେବେ ପ୍ରଥମ ସ୍ଲାବ୍ରେ ୫୦ ୟୁନିଟ୍, ଦ୍ବିତୀୟ ସ୍ଲାବ୍ରେ ଦେଢଶହ ୟୁନିଟ୍ ଏଭଳି ଦୁଇଟି ସ୍ଲାବ୍ରେ ବିଲିଂ ହୋଇଥାନ୍ତା। ତୃତୀୟ ସ୍ଲାବ୍ରେ ୮୪ ୟୁନିଟ୍କୁ ୫ଟଙ୍କା ୮୦ ପଇସା ହିସାବରେ ଯେଉଁ ୪୮୭ ଟଙ୍କା ନିଆଯାଇଛି; ତାହା ଦେବାକୁ ପଡ଼ିନଥାନ୍ତା। ଏହି ୧୧ଦିନର ବ୍ୟବହୃତ ୮୪ ୟୁନିଟ୍ ପରବର୍ତ୍ତୀ ମାସର ବିଲ୍କୁ ଯାଇଥିଲେ, ପ୍ରଥମ ସ୍ଲାବ୍ରେ ୫୦ ୟୁନିଟ୍ ପାଇଁ ୩ ଟଙ୍କା ହିସାବରେ ଦେଢଶହ ଟଙ୍କା ଏବଂ ଦ୍ବିତୀୟ ସ୍ଲାବ୍ରେ ୧୪ ୟୁନିଟ୍ ପାଇଁ ୪ଟଙ୍କା ୮୦ ହିସାବରେ ୬୩ ଟଙ୍କା, ଏଭଳି ମୋଟ ୨୧୩ ଟଙ୍କା ଦେବାକୁ ପଡ଼ିଥାନ୍ତା। ଏଥିରୁ ସ୍ପଷ୍ଟ ଯେ କମ୍ପାନି ବିଲ୍ ପ୍ରଦାନରେ ଜାଣିଶୁଣି ବିଳମ୍ବ କରି ଏହି ଉପଭୋକ୍ତାଙ୍କ ନିକଟରୁ ଗୋଟିଏ ମାସର ବିଲ୍ରେ ୨୭୪ ଟଙ୍କା ( ୪୮୭ଟଙ୍କା -୨୧୩ ଟଙ୍କା) ଠକି ନେଇଛି।
ସେହିଭଳି ଅନୁଗୁଳର ଜଣେ ଉପ ଭୋକ୍ତା ହେଉଛନ୍ତି ଅଲେଖ ନାୟକ। ତାଙ୍କର ଜୁନ୍ ମାସରେ ଆସିଥିବା ବିଜୁଳି ବିଲ୍ରେ ପ୍ରଥମ ସ୍ଲାବ୍ରେ ୩୮ ୟୁନିଟ୍କୁ ୩ଟଙ୍କା ହିସାବରେ, ଦ୍ବିତୀୟ ସ୍ଲାବ୍ରେ ୧୧୩ ୟୁନିଟ୍କୁ ୪ଟଙ୍କା ୮୦ ହିସାବରେ, ତୃତୀୟ ସ୍ଲାବ୍ରେ ୧୫୨ ୟୁନିଟ୍କୁ ୫ଟଙ୍କା ୮୦ ପଇସା ହିସାବରେ ଏବଂ ଚତୁର୍ଥ ସ୍ଲାବ୍ରେ ୧୩୮ ୟୁନିଟ୍କୁ ୬ଟଙ୍କା ୨୦ ପଇସା ହିସାବରେ ବିଲ୍ ପରିମାଣ ଉଲ୍ଲେଖ କରାଯାଇଛି। ଜଣେ ଘରୋଇ ଉପଭୋକ୍ତାଙ୍କ ବିଦ୍ୟୁତ ବିଲ୍ ପ୍ରଥମ ସ୍ଲାବ୍ରେ ୫୦ ୟୁନିଟ୍, ଦ୍ବିତୀୟ ସ୍ଲାବ୍ରେ ୧୫୦ ୟୁନିଟ୍, ତୃତୀୟ ସ୍ଲାବ୍ରେ ୨ଶହ ୟୁନିଟ୍ ଅନୁଯାୟୀ ବିଲ୍ ପରିମାଣ ହିସାବ ହେବା କଥା। ମାତ୍ର ଚଞ୍ଚକତା କରାଯାଇ ପ୍ରଥମ ସ୍ଲାବ୍ରୁ ୧୨ ୟୁନିଟ୍ର ଦେୟ ଦ୍ବିତୀୟ ସ୍ଲାବ୍ ହିସାବରେ ନିଆଯାଇଥିବାବେଳେ ଦ୍ବିତୀୟ ସ୍ଲାବ୍ର ୩୭ ୟୁନିଟ୍ର ଦେୟ ତୃତୀୟ ସ୍ଲାବ୍ ହିସାବରେ ନିଆଯାଇଛି।
ଭାତହାଣ୍ଡିରୁ ଗୋଟିଏ ଭାତ ଚିପିବା ଭଳି ଏ ଦୁଇଟି ଉଦାହରଣରୁ କମ୍ପାନି କିଭଳି ଉପଭୋକ୍ତାଙ୍କୁ ଲୁଟୁଛି, ତାହା ସମ୍ବାଦ ଅନୁସନ୍ଧାନ ବେଳେ ନଜରକୁ ଆସିଛି। ଅଧିକାଂଶ ଉପଭୋକ୍ତା ବିଲିଂ ନିୟମ ବାବଦରେ ସଚେତନ ନାହାନ୍ତି କିମ୍ବା ଏଥିପ୍ରତି ଧ୍ୟାନ ଦେଇ ନାହାନ୍ତି। ତେଣୁ ସରଳ ବିଶ୍ବାସରେ ଯାହା ବିଲ୍ ଆସୁଛି, ତାହା ପୈଠ କରି ଚାଲୁଛନ୍ତି। ଉପଭୋକ୍ତାଙ୍କ ସରଳତା ଏବଂ ଅଜ୍ଞତାର ସୁଯୋଗ ନେଇ ଯଦି ଏଭଳି ଉପାୟରେ ବିଳମ୍ବିତ ବିଲିଂ କରି ୨୭ ଲକ୍ଷ ଉପଭୋକ୍ତାଙ୍କୁ ଚୂନ ଲଗାଇବାକୁ କମ୍ପାନି କାରସାଦି କରିଥିବ, ତେବେ ଇତିମଧ୍ୟରେ କୋଟି କୋଟି ଟଙ୍କା ଲୁଟି ସାରିବଣି।
ଏ ଭଳି ଅଭିଯୋଗ ସଂପର୍କରେ ଆମେ ଟିପିସିଓଡିଏଲ୍ର ବରିଷ୍ଠ ପରିଚାଳାକ(ବାଣିଜ୍ୟିକ) ମନୋଜ ସିଂହଙ୍କ ସହ ଯୋଗାଯୋଗ କରିଥିଲୁ। ତାଙ୍କ କହିବା କଥା ହେଉଛି; କେତେବେଳେ କେଉଁଠି ଏଭଳି ଭୁଲ୍ଭାଲ୍ ହେଇଯାଉଛି। ତେବେ ଅଭିଯୋଗ ଆସିଲେ ଯଥାଶୀଘ୍ର ସମାଧାନ କରାଯାଉଛି। ଅନୁଗୁଳ ଅଲେଖ ନାୟକଙ୍କ ବିଲ୍କୁ ଜୁଲାଇ ମାସରେ ଆଡ୍ଜଷ୍ଟ କରାଯାଇଛି। ବିଲିଂ ବ୍ୟବସ୍ଥାକୁ ଯଥାସମ୍ଭବ ଅପ୍-ଟୁ-ଡେଟ୍ କରାଯାଉଛି। ଯଦି କାହାର କିଛି ଏଭଳି ସମସ୍ୟା ରହୁଛି , ସେମାନେ ତୁରନ୍ତ ୧୯୧୨(ଟୋଲ୍ ଫ୍ରି) ନମ୍ବରରେ ଅଭିଯୋଗ ପଞ୍ଜୀକରଣ କରନ୍ତୁ। ଆଗକୁ ଏଭଳି ସମସ୍ୟା ନ ରହିବା ପାଇଁ ଟିପିସିଓଡିଏଲ୍ ଉଦ୍ୟମ ଅବ୍ୟାହତ ରଖିଛି।
ଅଧିକାରୀଙ୍କ ଏ ପ୍ରକାର ଉତ୍ତରରୁ ସ୍ପଷ୍ଟ ହୋଇଛି କି ଯେଉଁଠି ଅଭିଯୋଗ ହେଉଛି ସେଠାରେ ଠକି ନିଆଯାଇଥିବା ଟଙ୍କା ଫେରାଇ ଦିଆଯାଉଛି। ଆଉ ଯେଉଁଠି ଅଭିଯୋଗ ହେଉ ନାହିଁ, ସେଠାରେ ସଂସ୍ଥା ଉପଭୋକ୍ତାଙ୍କ ଝାଳବୁହା ଟଙ୍କାକୁ ଯୋଜନାବଦ୍ଧ ଭାବେ ଲୁଟି କମ୍ପାନି ମାଲାମାଲ ହେଉଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2021/08/ele.jpg)