ଅନ୍‌ଲାଇନ୍‌ ଆପ୍ ଜରିଆରେ ଟଙ୍କା ‌ରୋଜଗାର ନାଁରେ ଠକେଇ ଘଟଣା: ଓଡ଼ିଶାରେ ବି ୫୦୦ରୁ ଅଧିକ ଲୋକଙ୍କୁ ଲୁଟିଛନ୍ତି

ଉତ୍ତରାଖଣ୍ଡ ଏସ୍‌ଟିଏଫ୍ ସ୍କାନର୍‌ରେ ରାଜ୍ୟର ୨୫ ଆପ୍‌
ଚୀନ, ଆଫଗାନିସ୍ତାନରେ ଥିବା ଆକାଉଣ୍ଟକୁ ଯାଉଥିଲା ଟଙ୍କା

ଭୁବନେଶ୍ବର : ସାରା ଦେଶରେ ଏବେ ସାଇବର ଠକମାନେ ବିଭିନ୍ନ ଉପାୟରେ ଲୋକଙ୍କୁ ଲୁଟ୍ କରି ତଳିତଳାନ୍ତ କରୁଥିବା ବେଳେ ଏବେ ଏକ ନୂଆ ଧରଣର ଠକେଇର ପର୍ଦ୍ଦାଫାସ୍ ହୋଇଛି। ଅନ୍‌ଲାଇନ୍‌ରେ ପାୱାର ବ୍ୟାଙ୍କ୍ ଆପ୍ ଭଳି ବିଭିନ୍ନ ଆପ୍‌ରେ ଟଙ୍କା ଲଗାଇ ସ୍ବଳ୍ପ ସମୟ ମଧ୍ୟରେ ଟଙ୍କା ଦ୍ବିଗୁଣ କରିବାକୁ ଲୋଭ ଦେଖାଇ ଦେଶରୁ ପ୍ରାୟ ଶହ ଶହ କୋଟି ଟଙ୍କା ଲୁଟିଛନ୍ତି ସାଇବର ଠକ। ଆଜି ଦିଲ୍ଲୀ ପୁଲିସ୍ ସାଇବର ସେଲ୍ ଦୁଇଜଣ ଚାର୍ଟାଡ୍ ଆକାଉଣ୍ଟାଣ୍ଟ, ଜଣେ ତିବ୍ବତୀୟ ମହିଳାଙ୍କୁ ଗିରଫ କରିଥିବା ବେଳେ ଉତ୍ତରାଖଣ୍ଡ ଏସ୍‌ଟିଏଫ୍ ଜଣେ ଭାରତୀୟ କମ୍ପାନିର ନିର୍ଦ୍ଦେଶକଙ୍କୁ ଗିରଫ କରିଛି। ଏହି ବିଶାଳ ଅନଲାଇନ୍‌ ଠକେଇରେ ସଂପୃକ୍ତ ସାଇବର ଠକମାନେ ଓଡ଼ିଶାରୁ ମଧ୍ୟ ୫୦୦ରୁ ଅଧିକ ଲୋକଙ୍କୁ ଫସାଇ କୋଟି କୋଟି ଟଙ୍କା ଚୁନ ଲଗାଇଥିବା ଅନୁମାନ କରାଯାଉଛି।

ଏବେ ସାଇବର ଠକେଇକୁ ନେଇ ସବୁ ପ୍ରକାରର ସଚେତନତା ହେଉଥିବାରୁ ହ୍ୟାକର୍‌ ଏଭଳି ନୂଆ ଠକେଇକୁ ଆପଣାଇଛନ୍ତି। ପୂର୍ବରୁ ଯେମିତି ରୋଜ୍‌ଭ୍ୟାଲି, ଅର୍ଥତତ୍ତ୍ବ ଓ ସି’ ସୋର୍ ଭଳି ସଂସ୍ଥା ଟଙ୍କା ଦୁଇଗୁଣା କରିବା ଲୋଭ ଦେଖାଇ ଠକେଇ କରୁଥିଲେ, ଏହା ତା’ର ଅନ୍‌ଲାଇନ୍ ଭର୍ସନ୍। ବର୍ତ୍ତମାନ ସୁଦ୍ଧା ରାଜ୍ୟରେ ମୋଟ ୫୦୦ରୁ ଅଧିକ ଲୋକ ପାଵାର ବ୍ୟାଙ୍କ୍ ଆପ୍ ଭଳି ପ୍ରାୟ ୨୫ଟି ଆପ୍ ବ୍ୟବହାର କରି ଠକେଇର ଶିକାର ହୋଇଛନ୍ତି। ଯାହାକୁ ନେଇ ଉତ୍ତରାଖଣ୍ଡ ଏସ୍‌ଟିଏଫ୍ ତନାଘନା କରୁଥିବା ଜଣାପଡ଼ିଛି। ଏହି ଠକେଇ କରୁଥିବା ଆପ୍ ବା ସଂସ୍ଥା ବାଙ୍ଗାଲୋର୍‌ର ବୋଲି ପ୍ଲେଷ୍ଟୋର୍‌ରୁ ସୂଚନା ମିଳିଛି। ଏହାକୁ ସଂଚାଳନ କରୁଥିବା ବ୍ୟକ୍ତିମାନେ ଲୋକଙ୍କ ପାଖରୁ ଟଙ୍କା ଠକିବା ପରେ ଦେଶ ବାହାରେ ଅର୍ଥାତ୍ ଚୀନ, ଆଫଗାନିସ୍ତାନ ଭଳି ଦେଶରେ ଥିବା ବ୍ୟାଙ୍କ୍ ଆକାଉଣ୍ଟକୁ ଯାଉଥିଲା। ଏହା ପରେ ସମସ୍ତ ଟଙ୍କାକୁ କ୍ରିପ୍ଟୋକରେନ୍ସିରେ ବଦଳାଇ ଦିଆଯାଉଥିଲା। ଯାହାକି ପାସ୍‌ଵାର୍ଡ ଓ କୋଡ୍ ମାଧ୍ୟମରେ ହିଁ ଖୋଲିଥାଏ। ଏହି କ୍ରିପ୍ଟୋକରେନ୍ସିକୁ ସାଧାରଣତଃ କଳାଟଙ୍କା କାରବାର ଓ ବେଆଇନ୍ ଭାବେ ହଡ଼ପ ହୋଇଥିବା ଅର୍ଥକୁ ଚାଲାଣ ପାଇଁ ବ୍ୟବହାର କରାଯାଏ।

ଚଳିତ ବର୍ଷ ଫେବ୍ରୁଆରିରେ ପାୱାର ବ୍ୟାଙ୍କ ଆପ୍ ପ୍ଲେ ଷ୍ଟୋର୍‌ରେ ଉପଲବ୍ଧ ହୋଇଥିଲା। ଏହି ଆପ୍‌ର ନିୟମ ମୁତାବକ ୪୫ହଜାର ଟଙ୍କା ଏଥିରେ ବିନିଯୋଗ କଲେ ପ୍ରତିଘଣ୍ଟାରେ ୪୩.୭୫ ଟଙ୍କା ମିଳିବ। ସେହିଭଳି ୧୫ହଜାର ଟଙ୍କା ଦେଲେ ଘଣ୍ଟା ପିଛା ୩୦ଟଙ୍କା ଓ ୬ହଜାର ଟଙ୍କାରେ ଘଣ୍ଟାକୁ ୧୨.୫୦ଟଙ୍କା ମିଳିବ। ଲୋକଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ଫେବ୍ରୁଆରି ୧୫ ପର୍ଯ୍ୟନ୍ତ ଏହି ଆପ୍ ଲୋକଙ୍କୁ ନିଜ ନିୟମିତ ଟଙ୍କା ଫେରସ୍ତ କରିଥିଲା। ଟଙ୍କା କାରବାରର ଏଭଳି ଏକ ନୂଆ ଅନ୍‌ଲାଇନ୍ ଆପ୍ ଲୋକଙ୍କ ଟଙ୍କା ରୋଜଗାରର ଏକ ଭଲ ମାଧ୍ୟମ ସାଜିଥିବାରୁ ସାମାଜିକ ଗଣମାଧ୍ୟମରେ ଏହାର ବହୁଳ ପ୍ରଚାର ପ୍ରସାର ହୋଇଥିଲା। ମାତ୍ର ୪ମାସ ମଧ୍ୟରେ ଏହି ଆପ୍ ୫୦ଲକ୍ଷ ଭାରତୀୟଙ୍କୁ ଯୋଡ଼ିଥିଲା। ତେବେ ଟଙ୍କା ବିନିଯୋଗ କରିବା ପରେ ଲୋକେ ଯେତେବେଳେ ଟଙ୍କା ଫେରିପାଇବାକୁ ବିକଳ୍ପ ଖୋଜିଲେ ସେତେବେଳେ କେବଳ ଏଟିଏମ୍‌ ମାଧ୍ୟମରେ ଏହା ସମ୍ଭବ ବୋଲି ଉଲ୍ଲେଖ ଥିଲା। ଏଥିପାଇଁ ଏଟିଏମ୍ କାର୍ଡ ନମ୍ବର, ଆଇଏଫ୍‌ସି କୋଡ୍ ଓ ଏଟିଏମ୍‌ ପିନ୍ ମାଗିଥିଲା। ଯେଉଁଥିରୁ ଏହି ଆପ୍‌ର ଠକାମି ପଦାକୁ ଆସିଥିଲା। ସେଥିପାଇଁ ଏହାକୁ ବ୍ୟବହାର କରୁଥିବା ୟୁଜର୍ସ ରିଭ୍ୟୁରେ ଠକ ସଂସ୍ଥା ବା ଆପ୍ ବୋଲି ଅଭିଯୋଗ କରିବା ପରେ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ମେ’ ୧୨ ତାରିଖରେ ଏହାକୁ ହଟାଇ ଦିଆଯାଇଥିଲା। ବର୍ତ୍ତମାନ ସୁଦ୍ଧା ଏହି ଆପ୍ ଜରିଆରେ ଠକମାନେ ଭାରତ ବାହାରକୁ ପ୍ରାୟ ୨୦୫ କୋଟି ଟଙ୍କା କ୍ରିପ୍ଟୋକରେନ୍ସି ମାଧ୍ୟମରେ ପଠାଇଥିବା ଜଣାପଡ଼ିଛି।

ପାଵାର ବ୍ୟାଙ୍କ୍ ବ୍ୟତୀତ ସନ୍ ଫ୍ୟାକ୍ଟ୍ରି, ଇଜେଡ୍ ପ୍ଲାନ୍, ଟେଲ୍‌ସା ପାଵାର୍ ବ୍ୟାଙ୍କ, ଟୋକିୟୋ ପାଵାର୍ ବ୍ୟାଙ୍କ, ଟାଟା ପାଵାର୍ ବ୍ୟାଙ୍କ୍, ରାଜେର୍ ପେ’, ପେ’ ୟୁ ଗେଟ୍‌ୱେ, ସେୟାର୍ ପାଵାର୍, ଏମ୍‌ଜି ୟର୍ନିଂ ଆପ୍, ଓଏମ୍‌ଜି ବୁର୍ସ, ସନଲାଇଟ୍ ଆପ, ପ୍ଲାନୋଲି, ଟି ଟାଡ୍ସ, ବ୍ଲାକଷ୍ଟୋନ୍, ୫ଜି ମ୍ୟାଜିକ୍ କ୍ୟୁବ୍, ଆମାଜନ ଆସୋସିଏଟ୍ ୟର୍ନିଂ ଆପ୍, ଥ୍ରାଇବ୍ ୟର୍ନିଂ ଆଦି ଆପ୍‌ ଅନଲାଇନ୍‌ରେ ଠକେଇ ବା ଚିଟ୍‌ଫଣ୍ଡ୍ ସ୍କାମ୍ କରିଥିବା ଜଣାପଡ଼ିଛି। ଗୁରୁତ୍ବପୂର୍ଣ୍ଣ କଥା ହେଉଛି ଏହି ଆପ୍‌ଗୁଡ଼ିକ ଟଙ୍କା କାରବାର ପାଇଁ ଆଇସିଆଇସିଆଇ ବ୍ୟାଙ୍କ ଓ ପେଟିଏମ୍‌ ଜରିଆରେ ଦେଶ ବାହାରକୁ ପଠାଉଥିଲେ। ଏହାପରେ ଚୀନ, ଥାଇଲାଣ୍ଡ୍ ଓ ଆଫ୍‌ଗାନିସ୍ତାନରେ ବିଟ୍‌କଏନ୍ କ୍ରିପ୍ଟୋକରେନ୍ସିରେ ବଦଳାଯାଉଥିଲା। କ୍ରିପ୍ଟୋକରେନ୍ସିର ପାସଵାର୍ଡ ବ୍ୟବସ୍ଥା ରହିଥିବାରୁ ହ୍ୟାକର୍ ବିନା ସହଯୋଗରେ ଟଙ୍କା ଫେରିପାଇବା ସମ୍ଭବ ନୁହେଁ।

ଏଭଳି ଠକେଇ ସଂପର୍କରେ ସାଇବର ବିଶେଷଜ୍ଞ ଆକାଶ ମିଶ୍ର କହିଛନ୍ତି, ଏହିସବୁ ଫେକ୍ ଆପ୍‌ଗୁଡ଼ିକ ପ୍ଲେଷ୍ଟୋର୍‌ରେ ଉପଲବ୍ଧ। ଯଦି ଆପଣ କୋଡିଂ ଜାଣିଛନ୍ତି ତେବେ ଆପଣ ବି ଏହି ଭଳି ଆପ୍ ତିଆରି କରିପାରିବେ। ତେବେ ଏହି ଆପ୍ ହ୍ୟାକର୍‌ ଦ୍ବାରା ସଂଚାଳନ ହେଉଛି ବୋଲି ଜାଣିବା ବହୁତ ସହଜ। ଏହା ସମ୍ବନ୍ଧରେ ଖୋଜିଲେ ଅଫିସିଆଲ୍ସ ଡିଟେଲ୍ସ ଖାଲି ରହିଥାଏ। ଯୋଗାଯୋଗ ପାଇଁ ନମ୍ବର ମଧ୍ୟ ନଥାଏ। ବଡ଼କଥା ହେଉଛି, ଏହା ଅଣପଂଜୀକୃତ ହୋଇଥିବାରୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ ପାଖରେ ମଧ୍ୟ ସବିସ୍ତୃତ ତଥ୍ୟ ନଥାଏ। ଯାହା ଦ୍ବାର ହ୍ୟାକର୍‌କୁ ଧରିବା ସମ୍ଭବ ହୁଏନାହିଁ। ଆପ୍ ଗୁଡ଼ିକ ଲୋକଙ୍କୁ ଠକିଥିବାରୁ ୟୁଜର୍ସ ରିଭ୍ୟୁରେ ଏହାକୁ ଅଭିଯୋଗ କରିଥାନ୍ତି। ତେଣୁ ପାଵାର୍ ବ୍ୟାଙ୍କ୍ ପରି ଆପ୍ ଗୁଡ଼ିକୁ ଗୁଗୁଲ୍ ପ୍ଲେ ଷ୍ଟୋର୍‌ରୁ ୨ରୁ ୬ମାସ ମଧ୍ୟରେ ହଟାଇ ଦିଆଯାଇଥାଏ ନଚେତ୍ ଅଟୋ ଫିଲ୍ଟର ହୋଇ ଡିଲିଟ୍ ହୋଇଥାଏ। ଏଭଳି ଅନ୍‌ଲାଇନ୍ ଟଙ୍କା ରୋଜଗାରର ଲୋଭ ଦେଖାଉଥିବା ମିଥ୍ୟା ଆପ୍‌ଗୁଡ଼ିକୁ ଇନଷ୍ଟଲ୍ କଲେ ଆପଣ କେବଳ ଟଙ୍କା ନୁହେଁ, ବ୍ୟକ୍ତିଗତ ତଥ୍ୟ ମଧ୍ୟ ହରାଇବାର ଆଶଙ୍କା ରହିଛି। ରାଜ୍ୟରେ ମଧ୍ୟ ଏଭଳି ଠକାମି ହୋଇଥିବାରୁ ଓଡ଼ିଶା ପୁଲିସ୍ ଏହା ଉପରେ ବିଜ୍ଞପ୍ତି ଜାରି କରିବା ସହିତ ଲୋକଙ୍କୁ ସଚେତନ କରୁ।

ସମ୍ବନ୍ଧିତ ଖବର