‘ଜି-ନେଟ୍‌ ଆଡ୍‌’ ନାମରେ ଠକେଇ, ୩ ହଜାର ଲୋକଙ୍କଠୁ ଲୁଟିଛି ଦେଢ଼କୋଟି

ରେଳବାଇ ଥାନାକୁ ସ୍ଥାନାନ୍ତର ହେବ ମାମଲା

ଭୁବନେଶ୍ବର : ବିଜ୍ଞାପନ ଦେଖ, ଟଙ୍କା ରୋଜଗାର କର। ଏମିତି ଲୋଭ ଦେଖାଇ ‘ଜି-ନେଟ୍‌ ଆଡ୍‌’ ସଂସ୍ଥାରେ ପଞ୍ଜୀକରଣ ବାବଦକୁ ଦେଢ଼ କୋଟି ଟଙ୍କାର ବଡ଼ ଧରଣର ଠକେଇ ହୋଇଥିବା ସାମ୍ନାକୁ ଆସିଛି। ପୂର୍ବତଟ ରେଳବାଇର ଭୁବନେଶ୍ବର କୋଚ୍‌ ଡିପୋରେ କାମ କରୁଥିବା ଜଣେ କର୍ମଚାରୀ ଏଭଳି ଠକେଇ କରିଥିବା ଅଭିଯୋଗ ହୋଇଛି। ଠକେଇର ଶିକାର ହୋଇଛନ୍ତି ରେଳ କର୍ମଚାରୀଙ୍କ ସମେତ ହଜାର ହଜାର ସାଧାରଣ ଲୋକ। ପ୍ରଥମେ ଏ ନେଇ ରେଳବାଇ ଥାନାରେ ଅଭିଯୋଗ ହେବା ପରେ କୌଣସି କାର୍ଯ୍ୟାନୁଷ୍ଠାନ ହୋଇନଥିଲା। ଏଣୁ ହାଇକୋର୍ଟରେ ଆବେଦନ ହୋଇଥିଲା। ତେବେ ହାଇକୋର୍ଟ ତୁରନ୍ତ ମାମଲା ରୁଜୁ କରିବା ପାଇଁ ଖାରବେଳ ନଗର ଥାନାକୁ ଆଦେଶ ଦେବା ପରେ ଏ ନେଇ ଖାରବେଳ ନଗର ପୁଲିସ ଏକ ମାମଲା ରୁଜୁ କରିଛି। କୋର୍ଟଙ୍କ ଆଦେଶ ବଳରେ ଖାରବେଳ ନଗର ଥାନା ପୁଲିସ ମାମଲା ରୁଜୁ କରିଥିଲେ ମଧ୍ୟ ଅଭିଯୁକ୍ତ ଓ ସର୍ବାଧିକ ଅଭିଯୋଗକାରୀ ରେଳ କର୍ମଚାରୀ ହୋଇଥିବାରୁ ମାମଲା ରେଳବାଇ ଥାନାକୁ ସ୍ଥାନାନ୍ତର ହେବ ବୋଲି ପୁଲିସ କହିଛି। ରେଳ କର୍ମଚାରୀ ତଥା ପୂର୍ବତନ ସେନା କର୍ମଚାରୀ ଡୁମୁଡୁମାର ଅଜୟ ନାଏକଙ୍କ ଅଭିଯୋଗକ୍ରମେ ଥାନାରେ ମାମଲା ହୋଇଥିବା ବେଳେ ହଜାର ହଜାର ଲୋକଙ୍କୁ ଠକେଇ ହୋଇଥିବାରୁ ଏତଲା ସଂଖ୍ୟା ଆହୁରି ବଢ଼ିବ ବୋଲି ପୁଲିସ ଆଶଙ୍କା କରୁଛି।

ଏମିତି ଜାଲରେ ଫସାଇଥିଲା ଠକ
୧୨ ହଜାର ଟଙ୍କା ଜମା କରିବା ପରେ ‘ଜି-ନେଟ୍‌ ୱାର୍ଲ୍ଡ’ ୱେବ୍‌ସାଇଟ୍‌ରେ ପଞ୍ଜୀକରଣ କରିବାକୁ ସମ୍ପୃକ୍ତ ରେଳ କର୍ମଚାରୀ ବିଜ୍ଞାପନ ଦେଇଥିଲେ। ଆଉ ପ୍ରଥମ ପଞ୍ଜୀକରଣରେ ଷ୍ଟାର୍‌ ହୋଟେଲରେ ଦୁଇଦିନ ତିନିରାତି ରହିବାର ସୁଯୋଗ ମିଳିବ ବୋଲି ଲୋକଙ୍କୁ ଲୋଭ ଦେଖାଇଥିଲେ। ପଞ୍ଜୀକରଣ ପରେ ଆଇଡି ଓ ପାସ୍‌ୱାର୍ଡ ମିଳୁଥିଲା। ଏହାକୁ ବ୍ୟବହାର କରି ଲଗ୍‌ ଇନ୍‌ କରିବା ପରେ ଏଥିରେ ବିଭିନ୍ନ ବିଜ୍ଞାପନ ଦେଖିବାକୁ କୁହା ଯାଉଥିଲା। ବିଜ୍ଞାପନ ପିଛା ପଞ୍ଜୀକୃତ ଲୋକଙ୍କୁ ୫ ଟଙ୍କା ମିଳିବାର ପ୍ରତିଶ୍ରୁତି ଦିଆ ଯାଇଥିଲା। ଅନ୍ୟ ଲୋକଙ୍କୁ ସେୟାର କଲେ ଏହି ଟଙ୍କା ୫ ଟଙ୍କାରୁ ବଢ଼ି ବଢ଼ି ଦିନକୁ ୨୫୦ ଟଙ୍କା ପର୍ଯ୍ୟନ୍ତ ମିଳିବ ବୋଲି କୁହାଯାଇଥିଲା। ତା’ ଛଡ଼ା ବିଜ୍ଞାପନରେ ବିଭିନ୍ନ ହୋଟେଲ୍‌ର ଟୁର୍‌ ପ୍ୟାକେଜ୍‌ ରହିଥିଲା। ବିଜ୍ଞାପନରୁ ସେହି ସବୁ ଟୁର୍‌ ପ୍ୟାକେଜ୍‌ ବ୍ୟବହାର କଲେ ଡିସ୍‌କାଉଣ୍ଟ ସହ ଆକର୍ଷଣୀୟ ଅଫର୍‌ ରହିଥିଲା। ପ୍ରଥମେ ଅଭିଯୁକ୍ତ ନିଜ ସଂସ୍ଥା ଅର୍ଥାତ୍‌ ଶହେରୁ ଊର୍ଦ୍ଧ୍ବ ରେଳ କର୍ମଚାରୀଙ୍କୁ ଜାଲରେ ପକାଇଥିଲା। ପ୍ରଥମେ ବିଜ୍ଞାପନ ଦେଖିଲେ କିଛି ଲୋକଙ୍କୁ ଟଙ୍କା ମଧ୍ୟ ମିଳିଥିଲା। ଏଥିରେ ଅନ୍ୟମାନେ ଆକର୍ଷିତ ହୋଇ ପଞ୍ଜୀକରଣ କରିଥିଲେ। କିନ୍ତୁ ପରେ ଯେତେବେଳେ ପଞ୍ଜୀକରଣ ସଂଖ୍ୟା ହଜାରେ ଟପିଥିଲା, ସେତେବେଳେ ଆଉ କାହାକୁ ଟଙ୍କା ମିଳିନଥିଲା। କାହାକୁ ଟୁର୍‌ ପ୍ୟାକେଜ୍‌ ମଧ୍ୟ ପ୍ରଦାନ କରା ଯାଇନଥିଲା। ଏଭଳି ଭାବେ ଠକ ଜଣକ ପଞ୍ଜୀକରଣ ବାବଦରେ ପ୍ରାୟ ୩ ହଜାର ଲୋକଙ୍କଠାରୁ ଦେଢ଼ କୋଟି ଟଙ୍କା ଠକି ନେଇଥିବା କୁହାଯାଉଛି। ଶେଷରେ ଅଭିଯୋଗକାରୀମାନେ ରେଳବାଇ ଥାନାର ଦ୍ବାରସ୍ଥ ହୋଇଥିଲେ। ଅଭିଯୁକ୍ତ ଜଣେ ରେଳ କର୍ମଚାରୀ ହୋଇଥିବାରୁ ରେଳବାଇ ପୁଲିସ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁନଥିବା ଦର୍ଶାଇ ଅଭିଯୋଗକାରୀ ହାଇକୋର୍ଟକୁ ଯାଇଥିଲେ।

ସମ୍ବନ୍ଧିତ ଖବର