ଏଏସ୍‌ଓ ଚାକିରି କରାଇଦେବା ନାଁରେ ଠକେଇ: ୫ଜଣଙ୍କଠାରୁ ୧୫ଲକ୍ଷ ଚଳୁ

ପୁରୁଣା ଭୁବନେଶ୍ୱର : ପୁଣି ସରକାରୀ ଚାକିରି କରାଇଦେବା ନାଁରେ ଠକେଇ। ଏଥର ଜଣେ ମହିଳାଙ୍କ ସମେତ ୫ଜଣଙ୍କୁ ଏଏସ୍‌ଓ ଚାକିରି କରାଇଦେବାକୁ କହି ପ୍ରାୟ ୧୫ଲକ୍ଷ ଟଙ୍କା ଚଳୁ କରିଛି ଧୂର୍ତ୍ତ। ଏନେଇ ଆଜି ଠକେଇର ଶିକାର ହୋଇଥିବା ମହିଳାଙ୍କ ସ୍ବାମୀ ଅଶୋକ ସାହୁ କ୍ୟାପିଟାଲ ଥାନାରେ ଅଭିଯୋଗ କରିଛନ୍ତି।

ଖବର ଅନୁଯାୟୀ, ଖଣ୍ଡଗିରିରେ ରହୁଥିବା ଅଭିଯୋଗକାରୀ ଅଶୋକ ସାହୁଙ୍କ ପତ୍ନୀ ଗତ ୨୦୧୯ରେ ତାଙ୍କ ଗାଁ କେନ୍ଦ୍ରାପଡ଼ାର ବିଧାନ ନାମକ ଜଣେ ବ୍ୟକ୍ତି ସହିତ ପରିଚିତ ହୋଇଥିଲା। ବିଧାନ ନିଜକୁ ସଚିବାଳୟର ଜଣେ ବରିଷ୍ଠ ଅଧିକାରୀ କହିବା ସହିତ ତାଙ୍କର ବିଭିନ୍ନ ସାମ୍ବାଦିକ, ମନ୍ତ୍ରୀ ଓ ସଚିବଙ୍କ ପରିଚୟ ଅଛି ବୋଲି କହିଥିଲେ। ତେଣୁ ସେ ତାଙ୍କୁ ଏଏସଓ ଚାକିରି କରାଇଦେବେ ବୋଲି ପ୍ରତିଶ୍ରୁତି ଦେଇଥିଲେ। ଚାକିରି ପାଇଁ ୧୦ଲକ୍ଷ ଟଙ୍କା ନେବାକୁ ସ୍ଥିର କରିଥିବା ବେଳେ ଅଗ୍ରୀମ ୩ଲକ୍ଷ ଏହା ସହିତ ଅତିକମ୍‌ରେ ୫ଜଣଙ୍କୁ ଚାକିରି କରାଇବା ପାଇଁ ତାଙ୍କୁ ଟଙ୍କା ଦେବାକୁ ପଡ଼ିବ ବୋଲି କହିଥିଲେ। ଏହି କ୍ରମରେ ଧୂର୍ତ୍ତ କଥାରେ ବିଶ୍ବାସ କରି ଅଶୋକ ତାଙ୍କ ପତ୍ନୀ ଓ ୪ଜଣ ସଂପର୍କୀୟଙ୍କ ପାଇଁ ୧୫ଲକ୍ଷ ଟଙ୍କା ଦେଇଥିଲେ। ପ୍ରଥମେ ବ୍ୟାଙ୍କ୍ ଆକାଉଣ୍ଟ୍‌କୁ ୩ଲକ୍ଷ ଓ ପରେ ନଗଦ ୧୨ଲକ୍ଷ ଟଙ୍କା କ୍ୟାପିଟାଲ ହାଟ ନିକଟରେ ଦେଇଥିଲେ। ଏପରିକି ଧୂର୍ତ୍ତ ନଗଦ ୧୨ଲକ୍ଷ ଟଙ୍କା ନେଇଛି, ଏକ ସାଦା ଚେକ୍ ଦେଇ ଅଶୋକଙ୍କ ମନରେ ବିଶ୍ବାସ ଜନ୍ମାଇଥିଲା।

ମାତ୍ର ମାସ ପରେ ମାସ ଗଡ଼ିଥିଲେ ବି ଧୂର୍ତ୍ତ ଚାକିରି କରାଇ ନ ଦେବାରୁ ଅଶୋକ ଉକ୍ତ ସାଦା ଚେକ୍‌କୁ ବ୍ୟାଙ୍କ୍‌ରେ ଲଗାଇଥିଲେ। ମାତ୍ର ଚେକ୍ ବାଉନ୍ସ ହୋଇଯାଇଥିଲା। ଏହିଭଳି ଏକାଧିକ ଚେକ୍ ବାଉନ୍ସ ହେବା ପରେ ଟଙ୍କା ନ ମିଳିଲେ ଅଶୋକ ଥାନାରେ ଅଭିଯୋଗ କରିବେ ବୋଲି ଧୂର୍ତ୍ତକୁ କହିଥିଲେ। ମାତ୍ର ଧୂର୍ତ୍ତ ଟଙ୍କା ଦେବା ପରିବର୍ତ୍ତେ ଆହୁରି ଅଧିକ ଟଙ୍କା ମାଗି ଚାକିରି କରାଇଦେବ ବୋଲି କହିଥିଲେ। ଟଙ୍କା ଦେବାର ୩ବର୍ଷ ପରେ ବି ଚାକିରି କି ଟଙ୍କା ଫେରସ୍ତ ନ ମିଳିବାରୁ ଅଶୋକ ଆଜି ବାଧ୍ୟ ହୋଇ କ୍ୟାପିଟାଲ୍ ଥାନାରେ ଧୂର୍ତ୍ତ ନାଁରେ ଠକେଇ ଅଭିଯୋଗ କରିଥିବା ଜଣାପଡ଼ିଛି। କ୍ୟାପିଟାଲ ଥାନା ପୁଲିସ ମାମଲା ରୁଜୁ କରି ଘଟଣାର ତଦନ୍ତ କରୁଥିବା ଜଣାପଡ଼ିଛି।

ସମ୍ବନ୍ଧିତ ଖବର