ଭୁବନେଶ୍ବର: ଚାକିରି ନାଁରେ ଠକେଇ କରିଥିବା ଅଭିଯୋଗରେ ନୂଆପଲ୍ଲୀ ଥାନା ପୁଲିସ ଗୋଲ୍ଡ ଷ୍ଟାର୍ ସିକ୍ୟୁରିଟି ମୁଖ୍ୟ ପଞ୍ଚାନନ ସାମଲ(୩୫)କୁ ଗିରଫ କରିଛି। ପୁଲିସ ସୂଚନାନୁସାରେ ବାଲେଶ୍ବର ଜିଲ୍ଲା ଭୋଗରାଇ ଅଞ୍ଚଳର ପଞ୍ଚାନନ ରାଜଧାନୀର ଏକ ପ୍ରତିଷ୍ଠିତ ଶିକ୍ଷାନୁଷ୍ଠାନରୁ ଏମ୍ବିଏ ଡିଗ୍ରି ହାସଲ କରିବା ପରେ ଆଇଆର୍ସି ଭିଲେଜ୍ ଏନ୍-୩ ଅଞ୍ଚଳରେ ନିଜର ସଂସ୍ଥା ଆରମ୍ଭ କରିଥିଲା। ତେବେ ଏହା ଭିତରେ ସେ ବେକାର ଯୁବକ ଯୁବତୀଙ୍କୁ ରେଲ୍ୱେରେ ଚାକିରି ଦେବାର ପ୍ରତିଶ୍ରୁତି ଦେଇ ଠକେଇ କରୁଥିଲା।
କିଛିଦିନ ତଳେ ଯାଜପୁର ଜିଲ୍ଲା ମଙ୍ଗଳପୁର ଅଞ୍ଚଳର ଶଶିକାନ୍ତ ବିଶ୍ବାଳ ଚାକିରି ଖୋଜିଖୋଜି ପଞ୍ଚାନନ ନିକଟରେ ପହଞ୍ଚିଥିଲେ। ଶଶିକାନ୍ତଙ୍କୁ ସେ ଏନ୍-୩ସ୍ଥିତ ନିଜ ଅଫିସ୍ରେ ସବୁ ବୁଝାଇଥିଲା ଏବଂ ଅଗ୍ରିମ ଆକାରରେ ଏକ ଲକ୍ଷ ଟଙ୍କା ଦାବି କରିଥିଲା। ତେବେ ଶଶିକାନ୍ତ ଧୂର୍ତ୍ତ ପଞ୍ଚାନନକୁ ବୁଝିପାରି ପୁଲିସକୁ ଘଟଣା ବିଷୟରେ ଜଣାଇଥିଲେ। ନୂଆପଲ୍ଲୀ ଥାନା ପୁଲିସ ପଞ୍ଚାନନ ଅଫିସ୍ରେ ଚଢ଼ଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିବା ସହ ତାକୁ ଗିରଫ କରିଥିଲା।