ଋଣ ଦେବା ନାଁରେ ଠକେଇ: ଫିଙ୍ଗର ପ୍ରିଣ୍ଟ ନେଇ ମହିଳାଙ୍କୁ ଲୁଟିଲେ,୫ଟି କିସ୍ତିରେ ୩୬ ହଜାର ଗାଏବ

ଭୁବନେଶ୍ବର : ଋଣ ଦେବା ନାଁରେ ଲୋକଙ୍କୁ ଚୂନ ଲଗାଉଛନ୍ତି ଲୁଟେରା। ଫିଙ୍ଗର ପ୍ରିଣ୍ଟ ନେଇ‌ ବ୍ୟାଙ୍କ ଆକାଉଣ୍ଟରୁ ଗାଏବ କରୁଛନ୍ତି ଟଙ୍କା। ଏଭଳି ଅଭିଯୋଗ ଆସିଛି ମଞ୍ଚେଶ୍ବର ଅଞ୍ଚଳରେ ଥିବା ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଏଜେଣ୍ଟଙ୍କ ବିରୋଧରେ। ଏ ନେଇ ଠକେଇର ଶିକାର ହୋଇଥିବା ପୁରୁଣା ଭୁବନେଶ୍ବର ଅଞ୍ଚଳର ସୁଷମା ନାୟକ ମଞ୍ଚେଶ୍ବର ଥାନାରେ ଅଭିଯୋଗ ପରେ ଘଟଣା ପଦାକୁ ଆସିଛି।

ଅଭିଯୋଗ ମୁତାବକ, କିଛିଦିନ ତଳେ ମଞ୍ଚେଶ୍ବର ସ୍ଥିତ ଏକ ଘରୋଇ ଫାଇନାନ୍ସ ସଂସ୍ଥାର ଜଣେ ଏଜେଣ୍ଟ ସୁଷମାଙ୍କୁ ଋଣ ଦେବା କହି ତାଙ୍କ ପରିଚୟପତ୍ର, ଫଟୋ, ବ୍ୟାଙ୍କ ତଥ୍ୟ ଏବଂ ଫିଙ୍ଗର ପ୍ରିଣ୍ଟ ନେଇଥିଲା। ତେବେ ହଠାତ୍‌ ସୁଷମାଙ୍କ ଆକାଉଣ୍ଟରୁ ୫ଟି କିସ୍ତିରେ ୩୬ ହଜାର ଟଙ୍କା ଗାଏବ ହୋଇଯାଇଥିଲା। ସୁଷମା କିଛି ବୁଝିପାରି ନଥିଲେ। ବ୍ୟାଙ୍କ ଯାଇ ଆକାଉଣ୍ଟ ଯାଞ୍ଚ ପରେ ଏଜେଣ୍ଟ ଜଣଙ୍କ ଟଙ୍କା ନେଇଥିବା ଜାଣିବାକୁ ପାଇଥିଲେ। ତାକୁ ପଚରାଉଚରା ପରେ ସେ ଟଙ୍କା ଗାଏବ କଥା ମାନିବା ସହ ୪ହଜାର ଟଙ୍କା ଫେରାଇଥିଲା। ବାକି ଟଙ୍କା ଗତ ୫ ତାରିଖ ମଧ୍ୟରେ ଫେରାଇ ଦେବ ବୋଲି କହିଥିଲା। ହେଲେ ସପ୍ତାହେ ବିତିଯାଇଥିଲେ ବି ସେ ଟଙ୍କା ଫେରାଉ ନ ଥିବାରୁ ସୁଷମା ଥାନାରେ ଅଭିଯୋଗ କରିଛନ୍ତି। ପୁଲିସ ମାମଲା ରୁଜୁକରି ଘଟଣାର ତଦନ୍ତ ଜାରି ରଖିଛି।

ସମ୍ବନ୍ଧିତ ଖବର