ବାରମ୍ବାର ପରିଚୟ ବଦଳାଉଛି ସାଇବର୍ ଠକ, କ୍ରାଇମ୍‌ବ୍ରାଞ୍ଚ୍ ନାଁ ନେଇ ଠକିବା ଘଟଣା

ଭୁବନେଶ୍ବର: କେତେବେଳେ ନିଜକୁ ରାକେଶ ମହାପାତ୍ର ତ କେତେବେଳେ ମାନସ କୁମାର ଜେନା ପରିଚୟ ଦେଉଛି। ଆଉ କେତେବେଳେ ପୁଣି ମହିଳା ହୋଇ ଅଶ୍ଳୀଳ ମେସେଜ୍ ତଥା ନଗ୍ନ ଫଟୋ ପଠାଇବା ଅଭିଯୋଗରେ ଗିରଫ କରିବାକୁ ଧମକ ଦେଉଛି ସାଇବର୍ ଠକ। କଲ୍ କରୁଥିବା ନମ୍ବରକୁ ଟ୍ରୁ କଲର୍‌ରେ ଫ୍ରଡ୍ ବୋଲି ଠକେଇର ଶିକାର ହୋଇଥିବା ଲୋକେ ଉଲ୍ଲେଖ କରୁଥିବାରୁ ସାଇବର ଠକ ଏବେ ନାଁ ବଦଳାଇବା ଆରମ୍ଭ କରୁଛି। ଟ୍ରୁ କଲର୍‌ରେ ନାଁ ବଦଳାଇବା ସହିତ ଫୋନ୍ ପେ’ ଆକାଉଣ୍ଟର ନାଁ ମଧ୍ୟ ପରିବର୍ତ୍ତନ କରୁଛି ଏବଂ ବହୁରୂପୀ ସାଇବର୍ ଠକ ଏବେ ନୂଆ ନୂଆ ଚାଲ୍ ଖେଳୁଛି।

ବିଭିନ୍ନ କଲେଜ ଛାତ୍ରୀଙ୍କୁ କ୍ରାଇମ୍‌ବ୍ରାଞ୍ଚର ନାଁ ନେଇ କଲ୍ ସାଇବର୍ ଠକ ପୂର୍ବରୁ କିଛି ଯୁବତୀଙ୍କ ସହାୟତାରେ ପୁରୁଷଙ୍କୁ ଫୋନ୍ କରୁଥିଲା। ଏହା ସହିତ ସେମାନଙ୍କୁ ଅଶ୍ଳୀଳ ମେସେଜ୍ ତଥା ନିଜର ନଗ୍ନ ଫଟୋ ପଠାଇଥିବା କହି ଭୟଭୀତ କରି ଟଙ୍କା ମାଗୁଥିଲା। ଏପରିକି ଜଣେ ବ୍ୟକ୍ତିଙ୍କୁ ଧୂର୍ତ୍ତ କଲ୍‌ କରିବା ଆଗରୁ ଏକ ପ୍ରତିଷ୍ଠିତ ସିିରିଏଲ୍‌ ଚ୍ୟାନେଲ୍‌ର କଳାକାର ବୋଲି ଟ୍ରୁ କଲର୍‌ରେ ଉଲ୍ଲେଖ କରି ଟଙ୍କା ମାଗିଥିବା ନଜରକୁ ଆସିଛି। ପୂର୍ବରୁ ମଧ୍ୟ ଜଣେ ଯୁବକଙ୍କୁ ସାଇବର ଠକ କ୍ରାଇମ୍‌ବ୍ରାଞ୍ଚ୍ ନାଁ ନେଇ ସମାନ ଢଙ୍ଗରେ ବ୍ଲାକ୍‌ମେଲ୍ କରି ୫ହଜାର ଟଙ୍କା ଲୁଟିଥିଲା। ଏହା ପରେ ପୁଣି ତାଙ୍କୁ ଟଙ୍କା ମାଗିବାରୁ ଶେଷରେ ସେ ବାଧ୍ୟ ହୋଇ ତାକୁ ବ୍ଲକ୍‌ କରିଥିବା କହିଛନ୍ତି। କ୍ରାଇମ୍‌ବ୍ରାଞ୍ଚ୍ ନାଁ ନେଇ ସାଇବର ଠକ ଏହିଭଳି ପୂର୍ବରୁ ଅନେକ ଲୋକଙ୍କୁ କଲ୍ କରି ଲୁଟିଥିବା କଥା ସାମାଜିକ ଗଣମାଧ୍ୟମରେ ଉଲ୍ଲେଖ କରିଛନ୍ତି। ଏପରିକି ଅନେକ ନିଜର ଅସହାୟତା ମଧ୍ୟ ପ୍ରକାଶ କରିଛନ୍ତି। ବାରମ୍ବାର ଅଭିଯୋଗ ପରେ ପୁଲିସ୍ ପକ୍ଷରୁ କାର୍ଯ୍ୟାନୁଷ୍ଠାନ ହେଉନଥିବାରୁ ମାସ ମାସ ଧରି ସାଇବର ଠକ ଏଭଳି ଅପରାଧ ଘଟାଇ ଚାଲିଛି।

ଏନେଇ ପୁଲିସ୍ ପକ୍ଷରୁ ସାଇବର ଠକକୁ ଧରିବା ପାଇଁ ସଂପୂର୍ଣ୍ଣ ପ୍ରସ୍ତୁତି କରାଯାଇଥିବା ବିଶ୍ବସ୍ତ ସୂତ୍ରରୁ ସୂଚନା ମିଳିଛି। ଏପରିକି ସାଇବର ଠକର ଠିକଣା ମଧ୍ୟ ଗୁଜୁରାଟର ବୋଲି ଠାବ କରାଯାଇଥିବା ଖବର ମିଳିଛି। ଖୁବ୍ ଶୀଘ୍ର ଏହି ହ୍ୟାକର୍ କମିସନରେଟ୍ ପୁଲିସ୍‌ର ପଞ୍ଝାକୁ ଆସିବ ବୋଲି ସୂଚନା ମିଳିଛି।

ସମ୍ବନ୍ଧିତ ଖବର