କ୍ରାଇମ୍‌ବ୍ରାଞ୍ଚ୍‌ ନାଁ ନେଇ ଠକିବା ଘଟଣା, ସାଇବର ଠକକୁ ମହଙ୍ଗା ପଡ଼ିବ ଫେସବୁକ୍ ଆଇଡି!

ଫୋନ୍ କରି ବାରମ୍ବାର ଚ୍ୟାଲେଞ୍ଜ୍ ଦେଉଛି

ଭୁବନେଶ୍ବର: କ୍ରାଇମବ୍ରାଞ୍ଚ ନାଁ ନେଇ କଲେଜ ଛାତ୍ରୀଙ୍କୁ ବ୍ଲାକମେଲିଂ କରୁଥିବା ସାଇବର୍ ଠକର ସାମାନ୍ୟ ତ୍ରୁଟି ପାଇଁ ଏବେ ସେ ଖୁବ୍ ଶୀଘ୍ର ପୁଲିସ୍ ପଞ୍ଝାରେ ଧରାପଡ଼ିବା ସମ୍ଭାବନା ଉଜ୍ଜ୍ବଳ ହୋଇଛି। ଯେଉଁ ସାମାଜିକ ଗଣମାଧ୍ୟମକୁ ବ୍ୟବହାର କରି ଛାତ୍ରୀଙ୍କ ଫଟୋ ଓ ନମ୍ବର ଆଣୁଥିଲା ଏବଂ ପରେ ବ୍ଲାକମେଲିଂ କରୁଥିଲା ସେହି ମାଧ୍ୟମରେ ଏବେ ପୁଲିସ୍ ତା’ପାଖରେ ପହଞ୍ଚିବାକୁ ବାଟ କଢ଼ାଇଛି। ନଗ୍ନ ଫଟୋ ଓ ଭିଡିଓ ଭାଇରାଲ୍ କରିବାକୁ ଧମକ ଦେଉଥିବା ସାଇବର ଠକକୁ ଫେସବୁକ୍ ଆଇଡି ମହଙ୍ଗା ପଡ଼ିବ ‌ବୋଲି ସୂଚନା ମିଳିଛି।

ବିଶ୍ବସ୍ତ ସୂତ୍ରରୁ ମିଳିଥିବା ଏକ ସୂଚନା ମୁତାବକ, ସାଇବର ଠକ ଯେଉଁ ନମ୍ବରକୁ ବ୍ୟବହାର କରି ଛାତ୍ରୀଙ୍କୁ ଅନବରତ ହଇରାଣ କରୁଥିଲା, ସେହି ନମ୍ବର ଆଧାରରେ ସେ ଫେସବୁକ୍‌ ଆଇଡି ଖୋଲିଛି। ଫେସବୁକ୍‌ ଆଇଡିକୁ ଦେଖିଲେ ସହଜରେ ଯେପରି କେହି ଜାଣିନପାରିବେ ସେଥିପାଇଁ ଏକ ଅଜବ ନାଁ ‘ଡି… ଡି…’ ରଖିଛି।

ଏହି ଆକାଉଣ୍ଟରୁ ସାଇବର ଠକ ସମ୍ବନ୍ଧରେ ସେଭଳି କିଛି ବିଶେଷ ସୂଚନା ମିଳିନଥିବା ବେଳେ ସାଇବର ବିଶେଷଜ୍ଞଙ୍କ ସହାୟତାରେ ଏଥିରୁ ବହୁତ କିଛି ତଥ୍ୟ ପଦାକୁ ଆସିବ ବୋଲି ଜଣାପଡ଼ିଛି। ଆକାଉଣ୍ଟ୍‌ରେ ହ୍ୟାକର୍ କାହା ସହ ଚାଟିଂ କରୁଛି, କଣ ଚାଟିଂ କରୁଛି, ଠକିବା ପାଇଁ ସେ କାହିଁକି ଏଭଳି କରୁଛି ଏବଂ ତା’ ସହିତ ଏହି ଠକେଇରେ ଆଉ କିଏ କିଏ ସାମିଲ୍ ଅଛନ୍ତି ସବୁ କିଛି ପଦାକୁ ଆସିବ। ଏହା ସହିତ ସାଇବର ଠକ ଏହି ଆକାଉଣ୍ଟ ସହିତ ତା’ର ଆଉ ଏକ ବ୍ୟକ୍ତିଗତ ନମ୍ବର ମଧ୍ୟ ରଖିଛି। ଉକ୍ତ ନମ୍ବର ପ୍ରକୃତରେ ସାଇବର ଠକର ନାଁ’ ଆଉ କାହା ନମ୍ବର ଦେଇ ସେ ତଦନ୍ତକୁ ବାଟବଣା କରୁଛି ତାହା ମଧ୍ୟ ତଦନ୍ତସାପେକ୍ଷ।

ଗତକାଲିର ଏକ ଭାଇରାଲ୍ କଲ୍ ରେକର୍ଡିଂ ମୁତାବକ, ସାଇବର ଠକ ଫୋନ୍ କରି ଛାତ୍ରୀଙ୍କୁ ହଇରାଣ କରୁଥିବା ଶୁଣିବାକୁ ମିଳୁଛି। ଯେଉଁଥିରେ ସେ ବାରମ୍ବାର ବିଭିନ୍ନ ଅଶ୍ଳୀଳ ଭାଷା ବ୍ୟବହାର କରୁଥିବା ଜଣାପଡ଼ିଛି। ଏପରିକି ଅଧିକ କଥା କହିଲେ କି ଅଭିଯୋଗ କଲେ ନମ୍ବରକୁ ଭାଇରାଲ୍ କରି ଚାରିଆଡ଼ୁ ହଇରାଣ କରିବ ବୋଲି ଧମକ ଦେଉଛି। ପୂର୍ବରୁ ସାଇବର ହ୍ୟାକର୍ ସିମ୍ ନମ୍ବର୍ ଗୁଜୁରାଟ ଅଞ୍ଚଳର ବୋଲି ଜଣାପଡ଼ିଥିଲା। କଥାବାର୍ତ୍ତା କରିବା ଶୈଳୀ ଓ ଭାଷା ଉତ୍ତର ଓଡ଼ିଶାର ବୋଲି ଦର୍ଶାଉଥିଲେ ହେଁ ଏତେ ସୁରାକ୍ ପାଇବା ପରେ ପୁଲିସ୍ ଠକ ପାଖରେ ନ ପହଞ୍ଚିବା ପୁଲିସ୍‌ ଘଟଣା ପ୍ରତି ସମ୍ବେଦନହୀନ ବୋଲି ଦର୍ଶାଉଛି।

ସମ୍ବନ୍ଧିତ ଖବର