ଭୁବନେଶ୍ବର : ପ୍ରାୟ ୩ଟି କଲେଜ୍ ଓ ବିଶ୍ବବିଦ୍ୟାଳୟର ୫୦ରୁ ଅଧିକ ଛାତ୍ରୀଙ୍କୁ କ୍ରାଇମ୍ବ୍ରାଞ୍ଚ୍ ନାଁ ନେଇ ଠକେଇ କରିବା ଘଟଣାରେ ଏକ ଫଟୋ ଏବେ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ ହେଉଛି। ଫଟୋରେ ଜଣେ ଯୁବକ ଓ ଯୁବତୀଙ୍କ ମୁହଁ ଥିବା ଦେଖିବାକୁ ମିଳିଛି। ଯେଉଁ ନମ୍ବରରୁ ସାଇବର ଠକ ଫୋନ୍ କରିଥିଲା ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ହ୍ବାଟ୍ସଆପ୍ରେ ଏହି ଫଟୋ ଥିବା କୁହାଯାଉଛି। ତେବେ ପ୍ରଶ୍ନ ଉଠୁଛି, ସାଇବର୍ ଠକ କାହାକୁ ଫସାଇବା ପାଇଁ ଉକ୍ତ ଯୁବକ ଓ ଯୁବତୀଙ୍କ ଫଟୋକୁ ଜାଣିଶୁଣି ଅପରାଧ ଘଟାଉଥିବା ନମ୍ବରର ହ୍ବାଟ୍ସଆପ୍ର ପ୍ରୋଫାଇଲ୍ରେ ରଖିଛି ନା ଭୁଲବଶତଃ ନିଜ ଫଟୋ ହ୍ବାଟ୍ସଆପ୍ରୁ ହଟାଇବାକୁ ଭୁଲି ଯାଇଛି।
ଅନ୍ୟପକ୍ଷରେ କ୍ରାଇମବ୍ରାଞ୍ଚ ନାଁରେ ଆସୁଥିବା ମିଥ୍ୟା କଲ୍ ନେଇ ଛାତ୍ରୀମାନେ ଦ୍ବନ୍ଦ୍ବରେ ପଡ଼ିଛନ୍ତି। ଇତିମଧ୍ୟରେ ଗୋଟିଏ ବିଶ୍ବବିଦ୍ୟାଳୟର କିଛି ଛାତ୍ରୀ ସହିଦନଗର ଥାନାରେ ଏତଲା ଦେଇଥିବା ବେଳେ ଆସନ୍ତା କିଛି ଦିନରେ ଆଉ ଏକ ଥାନାରେ ଅଭିଯୋଗ ହେବ ବୋଲି ବିଶ୍ବସ୍ତ ସୂତ୍ରରୁ ଖବର ମିଳିଛି। ଥାନାରେ ଅଭିଯୋଗ ପରେ ଘଟଣା ସଂପର୍କରେ ଛାତ୍ରୀ ଓ ତାଙ୍କ କଲେଜର ଅଧ୍ୟାପିକା ଏନେଇ କ୍ରାଇମ୍ବ୍ରାଞ୍ଚ୍ ଦ୍ବାରସ୍ଥ ମଧ୍ୟ ହେବେ। ଅନେକ ଛାତ୍ରୀଙ୍କୁ ଏହିଭଳି ହଇରାଣ କରିବା ସହ ସେମାନଙ୍କ ଫଟୋ ଓ ବ୍ୟକ୍ତିଗତ ଜୀବନ ବିଷୟରେ ଏତେ ତଥ୍ୟ ଦେଉଥିବାରୁ ଏହାକୁ ଗୁରୁତ୍ବର ସହ ନେଇଛନ୍ତି ଛାତ୍ରୀ ଓ ତାଙ୍କ କଲେଜ କର୍ତ୍ତୃପକ୍ଷ। ଏହାସହ ଘଟଣାର ସତ୍ୟାସତ୍ୟ ମଧ୍ୟ ଉନ୍ମୋଚନ ହେବ ବୋଲି ଆଶାବାଦୀ ଥିବା କହିଛନ୍ତି ଛାତ୍ରୀ।
ଅପରପକ୍ଷରେ ଫୁଲବାଣୀର ଜଣେ ଯୁବତୀଙ୍କୁ ମଧ୍ୟ ସାଇବର ଠକ କଲ୍ କରି ବ୍ଲାକମେଲ୍ କରିବାକୁ ଉଦ୍ୟମ କରିଥିଲା। ମାତ୍ର ଛାତ୍ରୀ ଜଣକ କଲ୍ ବ୍ଲକ୍ କରିବା ପରେ ହ୍ବାଟ୍ସଆପ୍ରେ ମେସେଜ୍ କରି ହ୍ୟାକର୍ ତାଙ୍କ ଯୁକ୍ତ ୨ର ପାଠପଢ଼ା କଥା ଆରମ୍ଭ କରି ଯୁକ୍ତ ୩ ସବୁ ବିଷୟରେ ଉଲ୍ଲେଖ କରିଥିଲା। ଏହା ସହିତ ତାଙ୍କର ନଗ୍ନ ଫଟୋ ଏବେ ଫେସ୍ବୁକ୍ରେ ଘୂରିବୁଲୁଛି ବୋଲି କହିଥିଲା। ମାତ୍ର ଛାତ୍ରୀ ଜଣକ ବିଶ୍ବାସକୁ ନ ନେଇ ସାମାଜିକ ଗଣମାଧ୍ୟମରୁ ତାଙ୍କୁ ବ୍ଲକ୍ କରି ଦେଇଥିବା ଜଣାପଡ଼ିଛି।
/sambad/media/agency_attachments/2024-07-24t043029592z-sambad-original.webp)
/sambad/media/post_attachments/wp-content/uploads/2020/12/crime-branch-op.jpg)