ଋଣ ଦେବା ଆଳରେ ଅନଲାଇନ୍ ଆପ୍‌ରେ ଠକେଇ: ଇଓଡବ୍ଲୁ ପଞ୍ଝାରେ ମହାଗ୍ରାମ୍ ପେମେଣ୍ଟ୍‌ସ୍ ଏମ୍‌ଡି

୧୦୫୮ ଭର୍ଚୁଆଲ୍ ଆକାଉଣ୍ଟ୍ ଅଚଳ

ଭୁବନେଶ୍ବର : ଆର୍‌ବିଆଇ ଅନଧିକୃତ ଅଣପଂଜୀକୃତ ଆପ୍ ଖୋଲି ଅନ୍‌ଲାଇନ୍‌ରେ ଲୋକଙ୍କୁ ଋଣ ଦେବା ଆଳରେ ଠକିବା ଘଟଣାରେ ଇଓଡବ୍ଲୁ ପୁଣି ଜଣଙ୍କୁ ଗିରଫ କରିଛି। ମୁମ୍ବାଇର ସୋନମ୍ ହାଇଟ୍ସରେ ରହୁଥିବା ମହାଗ୍ରାମ୍ ପେମେଣ୍ଟ୍‌ସ୍ ପ୍ରାଇଭେଟ୍ ଲିମିଟେଡ୍‌ର ପରିଚାଳନା ନିର୍ଦ୍ଦେଶକ ରାମ ଶ୍ରୀରାମ ପାଥାଡେକୁ ଇଓଡବ୍ଲୁ ଗିରଫ କରିଛି। ନୂଆଦିଲ୍ଲୀ ଆଇଜିଆଇ ବିମାନବନ୍ଦରରୁ ରାମଙ୍କୁ ଇଓଡବ୍ଲୁ କାବୁ କରିଛି। ନୂଆଦିଲ୍ଲୀ ପଟିଆଲା ହାଉସ୍ କୋର୍ଟରେ ହାଜର କରାଇ ଟ୍ରାନ୍‌ଜିଟ୍ ରିମାଣ୍ଡରେ ତାଙ୍କୁ ଭୁବନେଶ୍ବରକୁ ଅଣାଯାଉଥିବା ଇଓଡବ୍ଲୁ ଏସ୍‌ପି ଦିଲ୍ଲୀପ ତ୍ରିପାଠୀ ସୂଚନା ଦେଇଛନ୍ତି।

ଭୁବନେଶ୍ବରରେ ପହଞ୍ଚିବା ପରେ ଅଭିଯୁକ୍ତକୁ ଏସ୍‌ଡିଜେଏମ୍ କୋର୍ଟରେ ହାଜର କରାଯିବ। ଅନଲାଇନ୍ ଋଣ ଦେବା ଆଳରେ ପୂର୍ବରୁ ଗିରଫ ହୋଇଥିବା ଆଇଡବ୍ଲୁଟି-ଇଣ୍ଡିଆର ନିର୍ଦ୍ଦେଶକ ମହମ୍ମଦ ଜାଭେଦ୍ ସୈଫି ଓ ତରୁଣ କୁମାର ଦୁଦେଜାଙ୍କ ସହ ମିଶି ଅଭିଯୁକ୍ତ ରାମ ମଧ୍ୟ ୫ଟି ଆର୍‌ବିଆଇ ଅନଧିକୃତ ଆପ୍ ଖୋଲିଥିଲା। କୋକୋ ଓ ଜୋଜୋ ଆପ୍ ଭଳି ରାମ ମଧ୍ୟ ନିଜ ଆପ୍ ମାଧ୍ୟମରେ ଲୋକଙ୍କୁ ଋଣ ଦେଉଥିଲା। ୩ ହଜାରରୁ ୧୦ହଜାର ଟଙ୍କା ପ୍ରାଥମିକ ଋଣ ଦେବା ପରେ ସପ୍ତାହେ ମଧ୍ୟରେ ଟଙ୍କା ଫେରସ୍ତ କରିବାକୁ ମେଲ୍‌ରେ ନୋଟିସ୍ ପଠାଉଥିଲା। ଏକାଧିକ ଅଣପଂଜୀକୃତ ଆପ୍ ଡାଉନଲୋଡ୍ କରି ସୁଧ ସହ ଟଙ୍କା ଫେରସ୍ତ କରିବାକୁ କୁହାଯାଉଥିଲା। ଏଥିପାଇଁ ମହାଗ୍ରାମ ୧୦୫୮ଟି ଭର୍ଚୁଆଲ୍ ଆକାଉଣ୍ଟ୍‌ ଖୋଲିଥିଲା। ଏହି ଭର୍ଚୁଆଲ୍ ଆକାଉଣ୍ଟ୍ ମାଧ୍ୟମରେ ଟଙ୍କା ମୁଖ୍ୟ ଆକାଉଣ୍ଟ୍‌କୁ ଆସିବା ବେଳକୁ ଅଧିକ ଟଙ୍କା ଦେବାକୁ ନିର୍ଦ୍ଦେଶ ଥାଏ। ଏହି କ୍ରମରେ ୩ହଜାର ଟଙ୍କା ଋଣ ଆଣିଥିବା ଲୋକଟି ସପ୍ତାହକ ମଧ୍ୟରେ ସୁଧ ସମେତ ମୂଳଟଙ୍କା ଫେରସ୍ତ ପାଇଁ ପ୍ରାୟ ୩୦ରୁ ୪୦ଗୁଣା ଅର୍ଥ ଦେଇଥାଏ ବୋଲି ତଦନ୍ତରୁ ଜଣାପଡ଼ିଛି। ତେଣୁ ଇଓଡବ୍ଲୁ ମହାଗ୍ରାମ ପେମେଣ୍ଟ୍‌ସ୍‌ର ସମସ୍ତ ଭର୍ଚୁଆଲ୍ ଆକାଉଣ୍ଟ୍ ଅଚଳ କରିଦେଇଛି।

ଉଲ୍ଲେଖଯୋଗ୍ୟ, ଗତ ଏପ୍ରିଲ୍‌ ୨୨ରେ ଅନଲାଇନ୍ ଲୋନ୍ ଆପ୍‌ର ଠକେଇ ବାବଦରେ ଇଓଡବ୍ଲୁରେ ଅଭିଯୋଗ ପରେ ଆଜିର ଅଭିଯୁକ୍ତକୁ ମିଶାଇ ମୋଟ ୩ଜଣଙ୍କୁ ଗିରଫ କରାଯାଇଛି। ୬କୋଟି ୫୭ଲକ୍ଷ ଟଙ୍କା ଅଚଳ କରାଯାଇଥିବା ବେଳେ ୪୧ଟି ପୋଷ୍ଟପେଡ୍ ସିମ୍ ଅଚଳ କରିଦିଆଯାଇଛି। ଏନେଇ ପୂର୍ବରୁ ଇଓଡବ୍ଲୁ ବିଜ୍ଞପ୍ତି ଜାରି କରିଛି। ଅନଧିକୃତ ଆପ୍‌ରୁ ଋଣ ନନେବା ଏବଂ ବ୍ୟାଙ୍କ୍ ଆକାଉଣ୍ଟ ତଥ୍ୟ ଓ ବ୍ୟକ୍ତିଗତ ତଥ୍ୟ ନ ଦେବାକୁ ସୂଚନା ଦେଇଛି।

ସମ୍ବନ୍ଧିତ ଖବର