ଚନ୍ଦ୍ରଶେଖରପୁର: ବୁଦ୍ଧବିହାର ଆବାସରେ ବାସଗୃହ ଆବଣ୍ଟନରେ ହୋଇଥିବା ଜାଲିଆତିକୁ ନେଇ ସାଲିଆସାହି ଆଞ୍ଚଳିକ କମିଟି ପ୍ରଶ୍ନ ଉଠାଇଛି। କମିଟି ପକ୍ଷରୁ ଆଜି ଏକ ସାମ୍ବାଦିକ ସମ୍ମିଳନୀରେ ଜଙ୍ଗଲ ଅଧିକାର ଆଇନର ଉଲ୍ଲଂଘନ ଏବଂ ଆବାସ ଗୃହ ବଣ୍ଟନରେ ହୋଇଥିବା ଅନିୟମିତା ସମ୍ପର୍କରେ ତଥ୍ୟ ଉପସ୍ଥାପନ କରାଯାଇଛି। କମିଟିର ସଭାପତି ଜୟଦେବ ନାୟକ କହିଛନ୍ତି ୨୦୦ ଫୁଟିଆ ରାସ୍ତା ତିଆରି କରିବାକୁ ସର୍ଭେ ନାମରେ ବାରମ୍ବାର ଲୋକଙ୍କୁ ଭୂଆଁ ବୁଲାଯାଉଛି। ହିତାଧିକାରୀଙ୍କ ତାଲିକା ଗୋପନ ରଖି ବୁଦ୍ଧବିହାର ଆବାସ ଯୋଜନାରେ କ୍ଷତିଗ୍ରସ୍ତଙ୍କୁ ଥଇଥାନ ପ୍ରହସନ ପାଲଟିଛି। ବିଏମ୍‌ସି ଓ ବିଡିଏର ଦୁର୍ନୀତିଗ୍ରସ୍ତ ଅଫିସରଙ୍କ ପାଇଁ ଏହି ଯୋଜନା, ଅର୍ଥ ଉପାର୍ଜନର ମାଧ୍ୟମ ହୋଇଛି। ଆଦିବାସୀ ଗାଁର ବସ୍ତିବାସିନ୍ଦାଙ୍କୁ ପୁଲିସ ନାଲିଆଖି ଦେଖାଇ ସର୍ଭେ ସମୟରେ ପାଖ ମାଡ଼ିବାକୁ ସୁଯୋଗ ଦେଇ ନଥିଲେ ଏବଂ ବେଆଇନ ଭାବେ ବେନାମୀ ହିତାଧିକାରୀଙ୍କ ତାଲିକା ପ୍ରସ୍ତୁତ କରି ୫୦୦ରୁ ଅଧିକ ଆବାସ ଘର ବଣ୍ଟନ କରିଛନ୍ତି।
 

Advertisment

ଗତକାଲି ବୁଦ୍ଧବିହାର ଆବାସରେ ବାସଗୃହ ପାଇଥିବା ଲୋକଙ୍କୁ ଖୋଜିବାକୁ ଆସିଥିବା ବିଏମ୍‌ସି ସର୍ଭେ ଦଳଠାରୁ ୧୭୪ ଜଣିଆ ଏକ ତାଲିକା ବସ୍ତିବାସିନ୍ଦାଙ୍କ ହାତରେ ଲାଗିବା ପରେ ଦୁର୍ନୀତି ପଦାକୁ ଆସିଛି। ୧୭୭ଜଣ ହିତାଧିକାରୀଙ୍କୁ ଆବାସଘର ଦିଆଯାଇଥିବା କୁହାଯାଉଥିବା ବେଳେ ବସ୍ତିରେ ମାତ୍ର ୬୫ ଜଣଙ୍କ ଘର ଚିହ୍ନଟ ହୋଇଛି। ସେଥିମଧ୍ୟରୁ ୮ଜଣ ଅନ୍ୟ ଲୋକଙ୍କ ଘର ଦେଖାଇ ଚମ୍ପଟ ମାରିଛନ୍ତି। ଭାଗୀରଥି ଗିରି ନାମକ ଜଣେ ବ୍ୟକ୍ତି ଖୋଲା ପଡ଼ିଆରେ ଘର ଥିଲା ବୋଲି କହି ଠକୁଥିବା ବେଳେ ଧରାପଡ଼ିଛନ୍ତି। ୨୦୦ ଫୁଟିଆ ରାସ୍ତା ବାହାରେ ଥିବା ଶକ୍ତିବିହାରରେ ତାଙ୍କ  ଘରକୁ ସର୍ଭେ ଟିମ୍‌ ଚିହ୍ନଟ କରି ଘର କାନ୍ଥରେ ଆବାସ ବାସଗୃହର ଫ୍ଲାଟ୍‌ ନମ୍ବର ଲେଖିଛନ୍ତି। ଅନ୍ୟ ୧୧୦ଜଣ ହିତାଧିକାରୀ ମଧ୍ୟ ତତ୍‌କାଳୀନ ଅଧିକାରୀଙ୍କ ଜାଲିଆତି ଦ୍ବାରା ୨୦୦ ଫୁଟିଆ ରାସ୍ତା ବାହାରେ ଥିବା ସ୍ପଷ୍ଟ ହୋଇଛି। ଏଭଳି ଦୁର୍ନୀତିକୁ ଲୁଚାଇବାକୁ ବର୍ତ୍ତମାନର ସରକାରଙ୍କୁ ବିଭିନ୍ନ ବାହାନାରେ ପ୍ରଭାବିତ କରି ଅଙ୍କାବଙ୍କା ରାସ୍ତା ତୁରନ୍ତ ନିର୍ମାଣ କରି ପ୍ରମାଣ ନଷ୍ଟ କରିବାରେ ଲାଗିପଡ଼ିଛନ୍ତି। ଏହି  ଅନିୟମିତତାର କ୍ରାଇମବ୍ରାଞ୍ଚ ତଦନ୍ତ କରାଗଲେ ଅନେକ ତଥ୍ୟ ପଦାକୁ ଆସିବ ବୋଲି କମିଟି ପକ୍ଷରୁ କୁହାଯାଇଛି। ସମସ୍ତ ହିତାଧିକାରୀଙ୍କ ତାଲିକା ସର୍ବସାଧାରଣରେ ପ୍ରକାଶ କରା ନଗଲେ ବିଏମ୍‌ସି ଅଫିସ ଘେରଉ କରାଯିବା ସହିତ ବିଏମ୍‌ସି ସର୍ଭେ ଟିମକୁ ବସ୍ତିରେ ପୁରାଇ ଦିଆଯିବ ନାହିଁ ବୋଲି କମିଟି ସଭାପତି ଜୟଦେବ ନାୟକ, ସାଲ ମାର୍ଣ୍ଡି, ଅଞ୍ଜନ ନାଥ, ଅନାଦି ପାତ୍ର, ଉମେଶ ଦାସ, ଜ୍ୟୋତ୍ସ୍ନା ତିର୍କି, ଜୟନ୍ତୀ ସୋରେନ, ସୁଶାନ୍ତ ମହାକୁଡ, ସୋମନାଥ ମୁର୍ମୁ, ଭୀମସେନ ମହାରଣା ପ୍ରମୁଖ ଏକ ସାମ୍ବାଦିକ ସମ୍ମିଳୀନରେ କହିଛନ୍ତି।