ୱେବ୍ସିରିଜ୍ ନାମରେ ଲକ୍ଷାଧିକ ଟଙ୍କା ଠକେଇ, ନବାଗତ କଳାକାରଙ୍କଠାରୁ ଟଙ୍କା ନେଇଛନ୍ତି
ଥାନାର ଦ୍ବାରସ୍ଥ ହେଲେ ଟେକ୍ନିସିଆନ
ଚନ୍ଦ୍ରଶେଖରପୁର: ଓଡ଼ିଆରେ ୱେବ୍ ସିରିଜ୍ ନିର୍ମାଣ କରିବା ନାଁରେ ଠକେଇ ଅଭିଯୋଗ ଆସିଛି। ଅବିନାଶ ରାଉତ ନାମକ ଯୁବକ ନିଜକୁ ମୁମ୍ବାଇ ଫେରନ୍ତା ଚଳଚ୍ଚିତ୍ର ନିଦେର୍ଶକ ବୋଲି କହି କିଛି ନବାଗତ କଳାକାରଙ୍କଠାରୁ ଠକେଇ କରିବା ସହ ଯୁବତୀଙ୍କୁ କାଷ୍ଟିଂକାଉଚ୍ ଜାଲରେ ଫସାଇଥିବା ଅଭିଯୋଗ ହୋଇଛି। ଏହାଛଡ଼ା ସିରିଜ୍ ନିର୍ମାଣ ପାଇଁ ସୁଟିଂରେ ନିୟୋଜିତ ଟେକ୍ନିସିଆନଙ୍କୁ ପାରିଶ୍ରମିକ ଦେଇନଥିବାରୁ ସେମାନେ ମଧ୍ୟ ବିଭିନ୍ନ ଥାନାର ଦ୍ବାରସ୍ଥ ହୋଇଛନ୍ତି।
ସୂଚନା ମୁତାବକ, ଅବିନାଶ ଓଟିଟି ପ୍ଲାଟଫର୍ମ ପାଇଁ ୱେବ୍ ସିରିଜ୍ ନିର୍ମାଣ କରିବାକୁ ଯାଉଥିବା କହି ଯୁବ କଳାକାରଙ୍କୁ ଜାଲରେ ଫସାଇଥିଲେ। ପ୍ରଥମେ ସିରିଜ୍ ପାଇଁ ଅର୍ଥ ଲଗାଇଲେ ପରେ ତାହା ଦୁଇ ଗୁଣ ହୋଇ ଫେରିପାଇବା ଲୋଭ ଦେଖାଇ ଅଭିନେତା ଓ ଅଭିନେତ୍ରୀଙ୍କଠାରୁ ଅର୍ଥ ଆଦାୟ କରିଥିଲେ। ଏହାଛଡ଼ା ସେ ଗତ କିଛି ମାସ ହେବ ସୁଟିଂ କରିଥିବା ବେଳେ ଏଯାବତ୍ କୌଣସି ଟେକ୍ନିସିଆନଙ୍କୁ ପାରିଶ୍ରମିକ ଦେଇନାହାନ୍ତି। ତେଣୁ ସେମାନେ କଟକ ଓ ଭୁବନେଶ୍ବର ଉଭୟ କମିସନରେଟ ପୁଲିସରେ ଅଭିଯୋଗ କରିଛନ୍ତି।
କିଛି ଟେକ୍ନିସିଆନ ପାରିଶ୍ରମିକ ମାଗିବାରୁ ଅଭିଯୁକ୍ତ ତାଙ୍କୁ ଧମକ ଚମକ ଓ ଅଭିନେତ୍ରୀଙ୍କୁ ଅସଦାଚରଣ କରିବା ସହ ମିଥ୍ୟା ଅଭିଯୋଗରେ ଫସାଇଦେବ ବୋଲି କହି ଅର୍ଥ ଦେଉନଥିବା ଟେକ୍ନିସିଆନ ସୁଧାଂଶୁ ଦାସ କହିଛନ୍ତ। ଏହି ଠକ ଚଳଚ୍ଚିତ୍ର ନିର୍ଦେଶକଙ୍କ ବିରୋଧରେ କିଛି ଦିନ ପୂର୍ବେ ଜଣେ କିନ୍ନର ମଧ୍ୟ ଅଭିଯୋଗ କରିଥିଲେ। ତାଙ୍କୁ ହିରୋଇନ୍ ହେବାର ସ୍ବପ୍ନ ଦେଖାଇ ଅର୍ଥ ଲୁଟ୍ କରିଥିବା ଅଭିଯୋଗ ହୋଇଥିଲା। ଦିନକୁ ଦିନ ସଂପୃକ୍ତ ନିଦେର୍ଶକଙ୍କ ବିରୋଧରେ ଅଭିଯୋଗ ସଂଖ୍ୟା ବଢ଼ୁଥିବାରୁ ପୁଲିସ ଘଟଣାର ତଦନ୍ତ ଆରମ୍ଭ କରିଛି। ଅନ୍ୟପକ୍ଷରେ ଅଭିଯୁକ୍ତଙ୍କ ତରଫରୁ କିଛି ମଧ୍ୟସ୍ଥି ଘଟଣାର ସମାଧାନ ପାଇଁ ବୁଝାମଣା ଆରମ୍ଭ କରିଥିବା ସୂଚନା ମିଳିଛି।