ଭୁବନେଶ୍ବର: ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ମାତିଛନ୍ତି ଦଲାଲ। କାହାକୁ ଜଲଦି ସାର୍ଟିଫିକେଟ୍ କରିଦେବା ବାହାନାରେ ତ ଆଉ କାହାକୁ ସାର୍ଟିଫିକେଟ୍ରେ ରହିଥିବା ତ୍ରୁଟି ସୁଧାରିବା ବାହାନାରେ ଲୁଟୁଛନ୍ତି। ପରିସ୍ଥିତି ଏପରି ହୋଇଛି ଯେ ଦଲାଲଙ୍କୁ ଧରିବା ପାଇଁ ପ୍ରତି ସପ୍ତାହରେ ଅତି କମ୍ରେ ୨/୩ଦିନ ପିସିଆର ଭ୍ୟାନ୍ ଡାକିବାକୁ ପଡ଼ୁଛି। ତଥାପି ଦଲାଲଙ୍କ ପ୍ରାଦୁର୍ଭାବ କମିନାହିଁ।
ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟର କିଛି ତଳିଆ କର୍ମଚାରୀଙ୍କ ଦଲାଲଙ୍କ ସହ ସଂପୃକ୍ତି ଅଭିଯୋଗ ହେଉଛି। କେବଳ କର୍ମଚାରୀ ନୁହନ୍ତି, କାର୍ଯ୍ୟାଳୟର ଆଖପାଖରେ ଥିବା ଦୋକାନୀମାନେ ଏଥିରେ ସଂପୃକ୍ତ ଅଛନ୍ତି। ସେମାନଙ୍କ ନିକଟରେ ଆବେଦନ ଫର୍ମ ମିଳୁଛି। ଯାହାକୁ ସେମାନେ ଚଢ଼ା ଦରରେ ବିକ୍ରି କରୁଛନ୍ତି। ଦଲାଲଙ୍କୁ ପ୍ରୋତ୍ସାହିତ କରିବା ପାଇଁ ଅନେକ ସମୟରେ ଜାଣିଶୁଣି ସାର୍ଟିଫିକେଟ୍ରେ ନାଁ, ଜନ୍ମ ତାରିଖ ଓ ଠିକଣା ଭୁଲ କରି ଦିଆଯାଉଛି। ଫଳରେ ଆବେଦନକାରୀଙ୍କୁ ବାରମ୍ବାର ଜନ୍ମ/ମୃତ୍ୟୁ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ଯାହାର ସୁଯୋଗ ନେଇ ଦଲାଲମାନେ ଲୋକଙ୍କଠାରୁ ଶହ ଶହ ଟଙ୍କା ଲୁଟୁଛନ୍ତି। ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟରେ ପ୍ରତ୍ୟେକ ଦିନ ୪୦୦/୫୦୦ ଜନ୍ମ ଓ ୫୦/୬୦ଟି ମୃତ୍ୟୁ ପଞ୍ଜୀକରଣ ହେଉଛି। ଏଥିରୁ ଅଧିକା˚ଶ ଅଫ୍ଲାଇନ୍ ଜରିଆରେ ହେଉଛି। ଜନ୍ମ/ମୃତ୍ୟୁର ପଞ୍ଜୀକରଣ ପାଇଁ ନଗର ଉନ୍ନୟନ ବିଭାଗ ପକ୍ଷରୁ ଦୀର୍ଘ ଦିନରୁ ‘www.ulbodisha.gov.in’ େଵବସାଇଟ୍ ରହିଛି। ଟିସିଏସ୍ ଦ୍ବାରା ଏହା ପରିଚାଳିତ ହେଉଛି। ତେବେ ଅଧିକା˚ଶ ଲୋକ ଅନଲାଇନ୍ ଜରିଆରେ ଜନ୍ମ/ମୃତ୍ୟୁର ପଞ୍ଜୀକରଣ ହେଉଥିବା ସ˚ପର୍କରେ ଜାଣି ନାହାନ୍ତି। ଏହାସହ ୱେବସାଇଟ୍ଟି ଜନାଦୃତ ହୋଇପାରିନାହିଁ।
ଅନଲାଇନ୍ରେ ଆବେଦନ କରିବା ପରେ ଫର୍ମ ଡାଉନଲୋଡ୍ କରି ନଗର ସ୍ବାସ୍ଥ୍ୟ କାର୍ଯ୍ୟାଳୟରେ ଦାଖଲ କରିବାକୁ ପଡ଼ୁଛି। କାର୍ଯ୍ୟାଳୟରେ ଧାର୍ଯ୍ୟ ଫି’ ଦାଖଲ କରିବା ପରେ ଆବେଦନକାରୀଙ୍କୁ ନିର୍ଦ୍ଦିଷ୍ଟ ତାରିଖରେ ସାର୍ଟିଫିକେଟ୍ ନେବା ପାଇଁ କୁହାଯାଉଛି। ଯାହାକୁ ନେଇ ଆବେଦନକାରୀଙ୍କ ମଧ୍ୟରେ ଅସନ୍ତୋଷ ରହିଛି। ଫଳରେ ଅଧିକାଂଶ ଆବେଦନକାରୀ ଜନ୍ମ/ମୃତ୍ୟୁ ପଞ୍ଜୀକରଣ କାର୍ଯ୍ୟାଳୟକୁ ଯିବା ପାଇଁ ପସନ୍ଦ କରୁଛନ୍ତି। ତେଣୁ ଅଧିକାଂଶ ଦିନଗୁଡ଼ିକରେ ସେଠାରେ ପ୍ରବଳ ଗହଳି ହେଉଛି। ଦଲାଲଙ୍କ ପ୍ରାଦୁର୍ଭାବ ଏତେ ବଢ଼ିଛି ଯେ ପ୍ରତ୍ୟେକ ଦିନ କେହି ଜଣେ ଆବେଦନକାରୀ ସେମାନଙ୍କ ଶିକାର ହୋଇ କର୍ତୃପକ୍ଷଙ୍କୁ ଅଭିଯୋଗ କରୁଛନ୍ତି। କର୍ତୃପକ୍ଷ ଅଧିକାଂଶ ସମୟ ପିସିଆର ଭ୍ୟାନ୍କୁ ଡକାଇ ଦଲାଲଙ୍କୁ ଧରିବା ପାଇଁ ଯୋଜନା କରୁଛନ୍ତି। ମାତ୍ର ଏଥିରେ କିଛି ଫରକ ପଡ଼ୁନି। ଦିନ କି ମାସ ନୁହେଁ, ବର୍ଷ ବର୍ଷ ଧରି ଦଲାଲ ସେଠାରେ ଆଡ଼ା ଜମାଇ ବସିଛନ୍ତି। ସମସ୍ତେ ଏ ବିଷୟରେ ଜାଣିଛନ୍ତି, ହେଲେ କିଭଳି ଏହାର ସମାଧାନ କରାଯିବ ସେଥିପାଇଁ ଉଦ୍ୟମ କରୁନାହାନ୍ତି।
ଜନ୍ମ ସାର୍ଟିଫିକେଟ୍ ପାଇଁ ଆବେଦନ କରିବାକୁ ଆସିଥିବା ଅନସୂୟା କରଙ୍କ କହିବାନୁଯାୟୀ, ଦୁଇ ଜଣ ପିଲାଙ୍କ ଜନ୍ମ ସାର୍ଟିଫିକେଟ୍ ପାଇଁ ଆବେଦନ କରିଥିେଲ। ହେଲେ ତହିଁରୁ ଜଣେ ପିଲାର ସାର୍ଟିଫିକେଟ୍ରେ ଥାନା ନାଁ ଭୁଲ ଥିବା ଜଣାପଡ଼ିଥିଲା। ଏଥିପାଇଁ ପୁଣିଥରେ କାର୍ଯ୍ୟାଳୟକୁ ଦୌଡ଼ିବାକୁ ପଡ଼ୁଛି। ତେବେ ଥାନା ନାଁକୁ ଠିକ୍ କରିବା ପାଇଁ କୋର୍ଟରେ ଆଫିଡାଭିଟ୍ କରିବାକୁ ପଡ଼ିବ ବୋଲି ଅଧିକାରୀ କହିଥିଲେ। କର୍ମଚାରୀଙ୍କ ତ୍ରୁଟି ପାଇଁ ବାରମ୍ବାର ଏଭଳି ଦୌଡ଼ିବାକୁ ପଡ଼ୁଛି ବୋଲି ଶ୍ରୀମତୀ କର ଅଭିଯୋଗ କରିଛନ୍ତି। କେବଳ ଜଣେ ନୁହେଁ, ପ୍ରତ୍ୟେକ ଦିନ କାର୍ଯ୍ୟାଳୟକୁ ଆସୁଥିବା ଆବେଦନକାରୀ ଏଭଳି ଅଭିଯୋଗ ଆଣୁଛନ୍ତି। ନଗର ସ୍ବାସ୍ଥ୍ୟ ଅଧିକାରୀ ଡା. ରାମଚନ୍ଦ୍ର ରାଉତଙ୍କ କହିବାନୁଯାୟୀ, ଯେଉଁ ବ୍ୟକ୍ତି ଦଲାଲର ଶିକାର ହେଉଥିବା ଅଭିଯୋଗ ଆଣୁଛନ୍ତି, ସଙ୍ଗେ ସଙ୍ଗେ ଏଥିପାଇଁ ପୁଲିସକୁ ଖବର ଦିଆଯାଉଛି। ପିସିଆର ଭ୍ୟାନ୍ କାର୍ଯ୍ୟାଳୟକୁ ଆସି ଦଲାଲଙ୍କୁ ଧରୁଛନ୍ତି। ୨/୩ଜଣ ଦଲାଲ ମଧ୍ୟ ଧରା ପଡ଼ିଛନ୍ତି। ଫଳରେ ଦଲାଲ ସଂପୃକ୍ତି ଅନେକ ମାତ୍ରାରେ ହ୍ରାସ ପାଇଛି। ଆବେଦନକାରୀ ଯେପରି ଆଗାମୀ ଦିନରେ ଏହାର ଶିକାର ନ ହେବେ, ସେଥିପାଇଁ ଉଦ୍ୟମ କରାଯାଉଛି। କାର୍ଯ୍ୟାଳୟର କର୍ମଚାରୀ ଯେପରି ଏଥିରେ ସଂପୃକ୍ତ ନ ରହିବେ, ସେଥିପାଇଁ ପ୍ରତି ସପ୍ତାହରେ ଏହାର ସମୀକ୍ଷା କରାଯାଉଛି। ଅଧିକା˚ଶ ଲୋକ ଅନଲାଇନ୍ ବ୍ୟବସ୍ଥା ସ˚ପର୍କରେ ଅଜ୍ଞ। ତେଣୁ ଲୋକମାନଙ୍କୁ ସଚେତନ କରିବା ପାଇଁ ଉଦ୍ୟମ କରାଯାଉଛି। ଲୋକମାନେ ଅନଲାଇନ୍ରେ ଆବେଦନ କଲେ କାର୍ଯ୍ୟାଳୟ ସମ୍ମୁଖରେ ଗହଳି କମିବା ସହିତ ଦଲାଲଙ୍କ ପ୍ରାଦୁର୍ଭାବ କମିବ ବୋଲି ଡା. ରାଉତ ସୂଚନା ଦେଇଛନ୍ତି।