ଭୁବନେଶ୍ୱର: ଭୁବନେଶ୍ୱର ମହାନଗର ନିଗମ ଅଞ୍ଚଳରେ ଦିନକୁ ଦିନ ଠକେଇ ବଢ଼ିଚାଲିଛି। ଏବେ ଏହି ଠକେଇର ଶିକାର ହେବାରେ ଲାଗିଛନ୍ତି ନିରୀହ ଉଠାଦୋକାନୀ। ନିଜକୁ ବିଏମ୍ସି ଅଧିକାରୀ ବୋଲି ପରିଚୟ ଦେଇ କିଛି ବ୍ୟକ୍ତି ବେଶ୍ କିଛିଦିନ ହେବ ଉଠାଦୋକାନୀଙ୍କୁ ନକଲି ପ୍ରମାଣପତ୍ର ଦେଇ ଠକିବାରେ ଲାଗିଛନ୍ତି। କିଛିଦିନ ତଳେ ଆର୍ଥିକ ସହାୟତା ରାଶି କରାଇଦେବା ନାମରେ ବାବୁ ନାମକ ଜଣେ ଉଠାଦୋକାନୀଙ୍କ ଠାରୁ କିଛି ବ୍ୟକ୍ତି ଟଙ୍କା ନେଇ ଫେରାର ହୋଇଯାଇଥିଲେ। ଏ ସଂପର୍କରେ ନିଖିଳ ଓଡ଼ିଶା ରାସ୍ତାପାର୍ଶ୍ବ ଉଠାଦୋକାନୀ ମହାସଂଘ ଖାରବେଳନଗର ଥାନାରେ ଲିଖିତ ଅଭିଯୋଗ କରିଛି। ଏହି ଘଟଣାରୁ ପରଦା ହଟିନଥିବା ବେଳେ ନିଜକୁ ବିଏମ୍ସି ଅଧିକାରୀ ପରିଚୟ ଦେଇ ଏଲ୍ଓଆର(ଲେଟର୍ ଅଫ୍ ରେକମେଣ୍ଡେସନ୍) ଓ ଟ୍ରେଡ ଲାଇସେନ୍ସ କରାଇ ଦେବାକୁ କହି ଜଣେ ଅଜଣା ବ୍ୟକ୍ତି ଲକ୍ଷାଧିକ ଟଙ୍କା ଠକି ନେଇଛନ୍ତି। ଯେଉଁ ଉଠାଦୋକାନୀମାନେ ଟ୍ରେଡ ଲାଇସେନ୍ସ କରିନାହାନ୍ତି, ସେମାନଙ୍କ ହାତରେ ନକଲି ଟ୍ରେଡ୍ ଲାଇସେନ୍ସ ଧରାଇ ଦେଇ ଫେରାର ହୋଇ ଯାଇଛନ୍ତି। ସଂପୃକ୍ତ ବ୍ୟକ୍ତି ଜଣକ ଠକ ବୋଲି ଜାଣିବା ପରେ ଉଠାଦୋକାନୀ ମହାସଂଘ ଆଜି ମେୟର ସୁଲୋଚନା ଦାସଙ୍କୁ ଭେଟି ଅଭିଯୋଗ କରିଛି। ଡିସିପିଙ୍କୁ ଭେଟି ଲିଖିତ ଅଭିଯୋଗ କରିଛନ୍ତି। ସଂପୃ୍କ୍ତ ବ୍ୟକ୍ତିଙ୍କୁ ଗିରଫ କରିବାକୁ ଦାବି କରିଛନ୍ତି।
ମହାସଂଘ ଅଭିଯୋଗ କରିଛି, ଏହି ନକଲି ବିଏମ୍ସି ଅଧିକାରୀ ଭିଏସ୍ଏସ୍ନଗରର ନାରାୟଣ ସାହୁ ଓ ଶରତ ସାହୁ ନାମକ ଦୁଇଜଣ ଉଠାଦୋକାନୀଙ୍କ ପାଖରୁ ଟ୍ରେଡ୍ ଲାଇସେନ୍ସ କରାଇଦେବାକୁ କହି ବହୁ ଟଙ୍କା ନେଇଥିଲେ। ଟ୍ରେଡ୍ ଲାଇସେନ୍ସ ବି ଦେଇଥିଲେ। କିନ୍ତୁ ଲାଇସେନ୍ସକୁ ନେଇ ସନ୍ଦେହ ହେବାରୁ ଏ ବାବଦରେ ମହାସଂଘର ସଭାପତି ପ୍ରତାପ କୁମାର ସାହୁ ବିଏମ୍ସିର ଅତିରିକ୍ତ କମିସନର୍ ଶୁଭେନ୍ଦୁ କୁମାର ସାହୁ ଓ ଡେପୁଟି କମିସନର୍ ଅଜୟ କୁମାର ମହାନ୍ତିଙ୍କୁ ଦେଖା କରିଥିଲେ। ଟ୍ରେଡ୍ ଲାଇସେନ୍ସ ଦେଖିବା ପରେ ଅଧିକାରୀମାନେ ଏହା ନକଲି ବୋଲି କହିଥିଲେ। ଏହାପରେ ମହାସଂଘର ୧୧ ଜଣିଆ ପ୍ରତିନିଧିମଣ୍ଡଳୀ ଆଜି ମେୟର ଶ୍ରୀମତୀ ଦାସଙ୍କୁ ଭେଟି ଏହି ଠକେଇ ସଂପର୍କରେ ଜଣାଇଥିଲେ। ଶ୍ରୀମତୀ ଦାସ ବିଏମ୍ସି ଅଧିକାରୀଙ୍କୁ ଡାକି ଏକ ତଦନ୍ତ କମିଟି ଗଠନ କରିବା ପାଇଁ ପରାମର୍ଶ ଦେଇଥିଲେ। ଏହାସହ ଥାନାରେ ଏତଲା ଦେବା ପାଇଁ ପରାମର୍ଶ ଦେଇଥିଲେ। ସୂର୍ଯ୍ୟମଣି ସାହୁ, ନିରଞ୍ଜନ ପାଣ୍ଡେ, ଲଲାଟ କୁମାର ଓଝା, ସସ୍ମିତା ସାହୁ, ଶୁଭଲକ୍ଷ୍ମୀ ମହାନ୍ତି, ଶରତ ସାହୁ, ସୁଦର୍ଶନ ସାହୁ, ମୁରଲୀଧର ଜେନା, ପ୍ରକାଶ ମୁଖୀ, କଇନ ସ୍ୱାଇଁ, ପ୍ରଶାନ୍ତ ନାୟକ ପ୍ରମୁଖଙ୍କ ନେଇ ଗଠିତ ଏହି ପ୍ରତିନିଧି ମଣ୍ଡଳୀ ଭୁବନେଶ୍ୱର ଡିସିପି ଜଗମୋହନ ମୀନାଙ୍କୁ ଭେଟି ଅଭିଯୋଗ କରିଛନ୍ତି। ଶ୍ରୀ ମୀନା ଘଟଣାର ତଦନ୍ତ କରି ଦୋଷୀଙ୍କୁ ଧରିବା ସହ ଆଇନ ଅନୁଯାୟୀ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବାର ପ୍ରତିଶ୍ରୁତି ଦେଇଛନ୍ତି। ସୂଚନାଯୋଗ୍ୟ, ୨୦୨୪-୨୫ ମସିହାରେ ୨୦୦ ଅଧିକ ଉଠାଦୋକାନୀଙ୍କୁ ନକଲି ଟ୍ରେଡ ଲାଇସେନ୍ସ ଦେଇ ଏହି ନକଲି ବିଏମ୍ସି ଅଧିକାରୀ ଲକ୍ଷାଧିକ ଟଙ୍କା ଠକେଇ କରିଛନ୍ତି।