ଟ୍ୟୁସନ୍‌ କେନ୍ଦ୍ର ଖୋଲିବା ବାହାନାରେ ଠକେଇ, ଥାନାର ଦ୍ବାରସ୍ଥ ହେଲେ ୧୦ ମହିଳା

ଧଉଳି: ବ୍ଲକ୍‌ ଓ ପଞ୍ଚାୟତସ୍ତରରେ ଗରିବ ପିଲାଙ୍କ ପାଇଁ ଟ୍ୟୁସନ କେନ୍ଦ୍ର ଖୋଲିବା ବାହାନାରେ ଟ୍ୟୁସନ ଶିକ୍ଷକ ଓ ବ୍ଲକ ସଂଯୋଜକ ନିଯୁକ୍ତି ଦେଇ ଜଣେ ଧୂର୍ତ୍ତ ଲକ୍ଷ ଲକ୍ଷ ଟଙ୍କା ଠକି ନେଇଛି। ଏମିତି ଠକାମିର ଶିକାର ହୋଇଥିବା ବିଭିନ୍ନ ବ୍ଲକ୍‌ର ପ୍ରାୟ ୧୦ ଜଣ ମହିଳା ଆଜି ଧଉଳି ଥାନାରେ ଅଭିଯୋଗ କରିଛନ୍ତି। କିନ୍ତୁ ଅଭିଯୁକ୍ତ ମଦନ ବିଶ୍ବାଳ ଲିଙ୍ଗିପୁରସ୍ଥିତ ତା’ର ଟ୍ରୁ ଡ୍ରିମ୍ସ ପ୍ରୋଜେକ୍ଟସ ଇଣ୍ଡିଆ ପ୍ରାଇଭେଟ ଲିମିଟେଡ୍‌ କାର୍ଯ୍ୟାଳୟରେ ତାଲା ପକାଇ ଛୁ’ ମାରିଛି। ଆଜି ଥାନାକୁ ଆସିଥିବା ମହିଳାମାନେ ବାଲିପାଟଣା, ଡେଲାଙ୍ଗ, ପୁରୀ ଓ ଖୋର୍ଦ୍ଧା ଆଦି ବ୍ଲକ୍‌ରୁ ଆସିଥିବା ଜଣାପଡ଼ିଛି।
ମହିଳାମାନଙ୍କ ଅଭିଯୋଗ ଅନୁସାରେ ମଦନ ଏକ ଏନ୍‌ଜିଓ ସଂସ୍ଥାର ମାଲିକ ବୋଲି ପରିଚୟ ଦେଇଥିଲେ।

ସେ କହିଥିଲା ଯେ ଗରିବ ପିଲାଙ୍କ ପାଇଁ ମାଗଣାରେ ଟ୍ୟୁସନ ଯୋଗାଇବାକୁ ତାଙ୍କ ସଂସ୍ଥା କାମ କରୁଛି। କିନ୍ତୁ ଟ୍ୟୁସନ ଶିକ୍ଷକ ଓ ବ୍ଲକ୍‌ ସଂଯୋଜକ ଚାକିରି ପାଇଁ ଦରମା ମିଳିବ। ତେବେ ଟ୍ୟୁସନ୍ ଶିକ୍ଷକ ପଦବି ପାଇଁ ୫ ହଜାର ଟଙ୍କା ଓ ବ୍ଲକ୍‌ ସଂଯୋଜକ ପାଇଁ ୨୦ ହଜାର ଟଙ୍କା ଦେବାକୁ ପଡ଼ିବ ବୋଲି ସେ କହିଥିଲା। କେବଳ ସେତିକି ନୁହେଁ, ପ୍ରତି କେନ୍ଦ୍ରରେ ଯେତିକି ପିଲା ନାମ ଲେଖାଇବେ, ସେମାନଙ୍କ ବାବଦରେ ପଞ୍ଜୀକରଣ ବାବଦରେ ୫୫୦ ଟଙ୍କା ଓ ମାତ୍ର ଗୋଟିଏ ମାସର ଟ୍ୟୁସନ ଫି’ ବାବଦରେ ୨୫୦ ଟଙ୍କା ଜମା କରିବାକୁ କହିଥିଲା। ତା’ର ଏହି ସଂସ୍ଥା କେନ୍ଦୁଝର, କନ୍ଧମାଳ, କଳାହାଣ୍ଡି, ମୟୂରଭଞ୍ଜ ଓ ବାଲେଶ୍ବର ଆଦି ଜିଲ୍ଲା‌ରେ କାମ କରୁଛି ବୋଲି ବୁଝାଇଥିଲା।

ତେଣୁ ଚାକିରି ଲୋଭରେ ଏହି ମହିଳାମାନେ ମଦନକୁ ଟଙ୍କା ଦେଇଥିଲେ। ଏମିତିରେ ୬ ମାସ କାମ କଲା ପରେ କିନ୍ତୁ ସେମାନଙ୍କୁ ପଇସାଟିଏ ମିଳିନଥିଲା। ଆଜି କାଲି କହି ଧୂର୍ତ୍ତ ମଦନ ଦିନ ଗଡ଼ାଇ ଚାଲିଥିଲା। ଶେଷରେ ସେମାନେ ଲିଙ୍ଗିପୁର କାର୍ଯ୍ୟାଳୟକୁ ଆସି ତାକୁ ଭେଟିବାକୁ ଚେଷ୍ଟା କଲେ ମଧ୍ୟ ପାଇନଥିଲେ। ଫୋନ୍‌ ଯୋଗେ ଯୋଗାଯୋଗ କଲେ, ସେ ପାଲଟା ଧମକଚମକ ଦେଇଥିଲା ବୋଲି ମହିଳାମାନେ କହିଛନ୍ତି।

ସମ୍ବନ୍ଧିତ ଖବର