ଋଣ ନାଁରେ କୋଟିଏ ଠକେଇ ମାମଲା: ରିମାଣ୍ଡରେ ଆସିବ ନକଲି ଚାର୍ଟାର୍ଡ ଆକାଉଣ୍ଟାଣ୍ଟ୍‌

ସାନଭାଇ ଆକାଉଣ୍ଟକୁ ଯାଇଛି ଲକ୍ଷାଧିକ ଟଙ୍କା

ଭୁବନେଶ୍ବର: ଋଣ କରାଇଦେବାର ଲୋଭ ଦେଖାଇ ଏକାଧିକ ବ୍ୟବସାୟୀଙ୍କଠାରୁ କୋଟିଏରୁ ଊର୍ଧ୍ବ ଟଙ୍କା ଠକିନେବା ଅଭିଯୋଗରେ ଗିରଫ ହୋଇଥିବା ନକଲି ଚାର୍ଟାର୍ଡ ଆକାଉଟାଣ୍ଟ ସୁଶାନ୍ତ ତ୍ରିପାଠୀର ଗୁମର ଖୋଲିବାରେ ଲାଗିଛି। ଏବେ କେବଳ ଚାରିଜଣ ଅଭିଯୋଗ କରିଥିଲେ ବି ଆହୁରି ଅଧିକ ବ୍ୟବସାୟୀ ତା’ ଜାଲରେ ଫସିଥିବା ଜଣାପଡ଼ିଛି। ତେଣୁ ଅଧିକ ତଦନ୍ତ ପାଇଁ ପୁଲିସ ତାକୁ ରିମାଣ୍ଡରେ ଆଣିବାକୁ ଯୋଜନା କରୁଥିବା ସୂଚନା ମିଳିଛି।

ପୁଲିସ ସୂଚନାନୁସାରେ ଅଭିଯୁକ୍ତ ସୁଶାନ୍ତ ଠକି ନେଇଥିବା ଟଙ୍କାରୁ ତାଙ୍କ ସାନଭାଇକୁ ଦେଢ଼ଲକ୍ଷ ଟଙ୍କା ଦେଇଥିବା ବ୍ୟାଙ୍କ ଟ୍ରାଞ୍ଜାକ୍ସନରୁ ସ୍ପଷ୍ଟ ହୋଇଛି। ତେଣୁ ଏହି ଠକେଇରେ ତାଙ୍କ ସାନଭାଇର ସମ୍ପୃକ୍ତି ଥିବା ପଦାକୁ ଆସିଛି। ତେଣୁ ପୁଲିସ ତାଙ୍କୁ ଜେରା କରିବ ବୋଲି ଜଣାପଡ଼ିଛି। ତେଣୁ ସାନଭାଇର ଗଞ୍ଜାମ ଠିକଣା ମିଳିବା ପରେ ପୁଲିସ ଟିମ୍‌କୁ ଗଞ୍ଜାମ ଯାଇଛି। ସେହିପରି ସୁଶାନ୍ତଙ୍କ ମୋବାଇଲ୍‌ ଡାଟା ଏବଂ ବ୍ୟାଙ୍କ୍‌ ଲିଙ୍କ୍‌ରୁ ପୁଲିସ ଆହୁରି କିଛି ସନ୍ଦିଗ୍ଧଙ୍କୁ ଚିହ୍ନଟ କରିଛି। ସୁଶାନ୍ତ ସେମାନଙ୍କ ସହ ରୀତିମତ ଯୋଗାଯୋଗରେ ଥିବା ସହ ଆର୍ଥିକ କାରବାର କରିଥିବା ଜଣାପଡ଼ିଛି। ତେଣୁ ଦରକାର ପଡ଼ିଲେ ପୁଲିସ ସେମାନଙ୍କୁ ମଧ୍ୟ ଜେରା କରିପାରେ।

ପ୍ରକାଶ ଥାଉ କି ଗତ ୨୦୧୯ ମସିହାରେ ଖଣ୍ଡଗିରି ଅଞ୍ଚଳର ବ୍ୟବସାୟୀ ପ୍ରତ୍ୟୁଷ ତ୍ରିପାଠୀଙ୍କୁ ଅଭିଯୁକ୍ତ ସୁଶାନ୍ତ ଚୁନ ଲଗାଇଥିଲା। ନିଜକୁ ଜଣେ ଚାର୍ଟାର୍ଡ ଆକାଉଟାଣ୍ଟ(ସିଏ)ର ପରିଚୟ ଦେଇଥିଲା। ଦୁବାଇସ୍ଥିତ ଏକ ଘରୋଇ ବ୍ୟାଙ୍କରୁ ୨କୋଟି ଟଙ୍କାର ଋଣ କରାଇଦେବ ବୋଲି ସେ ପ୍ରତ୍ୟୁଷଙ୍କୁ କହିଥିଲା। ବ୍ୟବସାୟ ବଢ଼ାଇବାକୁ ଋଣ ଦରକାର କରୁଥିବା ପ୍ରତ୍ୟୁଷ ସହଜରେ ଅଭିଯୁକ୍ତ ସୁଶାନ୍ତ ଜାଲରେ ଫସିଯାଇଥିଲେ। ଋଣ କାମରେ ସୁଶାନ୍ତ ଓ ତା’ ସହଯୋଗୀ ଇନ୍ଦ୍ରଜିତ, ପ୍ରତ୍ୟୁଷଙ୍କୁ ନେଇ ଦୁବାଇ ଯାଇଥିଲେ।

ସେଠାରେ ଏକ ତାରକା ହୋଟେଲ୍‌ରେ ଜଣେ ବ୍ୟକ୍ତିଙ୍କୁ ସାକ୍ଷାତ କରାଇଥିଲେ। ଉକ୍ତ ବ୍ୟକ୍ତି ନିଜକୁ ବ୍ୟାଙ୍କର ବରିଷ୍ଠ ଅଧିକାରୀ ବୋଲି କହିଥିଲେ। କିନ୍ତୁ ବାସ୍ତବରେ ସେ ମଧ୍ୟ ଅଭିଯୁକ୍ତ ନକଲି ସିଏ ସୁଶାନ୍ତ ରୢାକେଟ୍‌ର ଅନ୍ୟତମ ସଦସ୍ୟ ଥିଲା। କଥାବାର୍ତ୍ତା ପରେ ସିକ୍ୟୁରିଟି ବାବଦକୁ ସେମାନେ ପ୍ରତ୍ୟୁଷଙ୍କଠାରୁ ୨୦ଲକ୍ଷ ଟଙ୍କା ନେଇଥିଲେ। ମାତ୍ର ପରେ ପ୍ରତ୍ୟୁଷ ଋଣ ପାଇନଥିଲେ କି ତାଙ୍କ ଟଙ୍କା ଫେରିପାଇନଥିଲେ। ଏହା ପରେ ନକଲି ସିଏ ସୁଶାନ୍ତର ଅସଲ ଚେହେରା ପଦାକୁ ଆସିଥିଲା।

ସମ୍ବନ୍ଧିତ ଖବର