ଆର୍କିଟେକ୍ ପଢୁଆ ଠକର କଳା କାରନାମା ଗୁମର ଫିଟୁଛି, ଆଶାୟୀଙ୍କୁ ଭୁଅଁା ବୁଲାଉଥିଲା ସରୋଜ

ଆଶାୟୀଙ୍କୁ ରେଲୱେ ଅଫିସ ବୁଲାଇଥିଲା, ନକଲି ପୁଲିସ ସହ କଥା କରାଉଥିଲା

ଭୁବନେଶ୍ବର: ଚାକିରି ଦେବା ନାଁରେ ନିରୀହ ଯୁବକଯୁବତୀଙ୍କଠାରୁ ଲକ୍ଷଲକ୍ଷ ଟଙ୍କା ଲୁଟିଥିବା ଆର୍କିଟେକ୍ଟ ପଢ଼ୁଆ ଠକ ସରୋଜ କୁମାର ଜେନାର ଗୁମର ଫିଟିବାରେ ଲାଗିଛି। ଆଜିଠାରୁ ତିନିଦିନିଆ ରିମାଣ୍ଡରେ ଆସିଥିବା ସରୋଜକୁ ମାରାଥନ୍‌ ଜେରା ଆରମ୍ଭ କରିଛି ଧଉଳି ଥାନା ପୁଲିସ। ସରୋଜ ପୁଲିସ ଆଗରେ ଧୀରେ ଧୀରେ ସତ ଉଗାଳୁଥିବା ବେଳେ ତା’ ଠକେଇର ଫର୍ଦ୍ଦ ବହୁତ ଲମ୍ବା ବୋଲି ଜଣାପଡ଼ିଛି।
ବିଶ୍ବସ୍ତ ସୂତ୍ରରୁ ମିଳିଥିବା ସୂଚନା ଅନୁସାରେ, ଚାକିରି ଆଶାୟୀଙ୍କ ମନରେ ବିଶ୍ବାସ ଜନ୍ମାଇବା ପାଇଁ ସରୋଜ ଅଭିନବ କୌଶଳ ଆପଣାଉଥିଲା। ରେଲୱେ ଚାକିରି ପାଇଁ ଇଚ୍ଛୁକ ଥିବା ଯୁବକଙ୍କୁ ଖୋର୍ଦ୍ଧାସ୍ଥିତ ରେଲୱେ ଡିଆରଏମ୍ ଅଫିସ୍‌ ନେଇ ବୁଲାଉଥିଲା। ପିଲାଙ୍କୁ ଅଫିସ୍‌ ବାହାରେ ଛିଡ଼ା କରି ହାତରେ ଫାଇଲ ଧରି ଭିତରକୁ ପଶି ଯାଉଥିଲା। କିଛି ସମୟ ପରେ ବାହାରି ଚାକିରି ପାଇଁ କଥାବାର୍ତ୍ତା ଫାଇନାଲ କରୁଛି ବୋଲି କହୁଥିଲା। ଏହା ଦେଖି ସରୋଜ କଥାରେ ସେମାନେ ବିଶ୍ବାସ କରି ଯାଉଥିଲେ। ଖାଲି ସେତିକି ନୁହେଁ; ଏମ୍ସରେ ଚାକିରି ପାଇଁ ଯେଉଁମାନେ ଆବେଦନ କରୁଥିଲେ, ସରୋଜ ସେମାନଙ୍କୁ ସେଠାକୁ ନେଇ ବୁଲାଉଥିଲା। ବଡ଼ କଥା ହେଲା, ପୁଲିସ୍‌ ଚାକିରି ଆଶାୟୀଙ୍କ ମନରେ ବିଶ୍ବାସ ସୃଷ୍ଟି କରିବା ପାଇଁ ପୁଲିସ୍‌ ପୋଷାକରେ ଥିବା ଯୁବକମାନଙ୍କର ଫଟୋ ପଠାଉଥିଲା। କମିସନରେଟ୍‌ ପୁଲିସରେ ଏମାନେ କାର୍ଯ୍ୟରତ ଅଛନ୍ତି ବୋଲି କହୁଥିଲା। ଏପରିକି କିଛି ନକଲି ପୁଲିସ ସହ ଫୋନରେ କଥା ବି କରାଉଥିଲା। ଆଶାୟୀମାନେ ସରୋଜ କଥାରେ ବିଶ୍ବାସ କରି ଚାକିରି ପାଇଁ ଲକ୍ଷାଧିକ ଟଙ୍କା ଦେଇ ଦେଉଥିଲେ। ସରୋଜର ପ୍ରେମିକା ରଶ୍ମିଲତା ଏହି ଟଙ୍କା ଆଦାୟ କରୁଥିଲା। ଫେରାର୍‌ ରଶ୍ମିଲତାଙ୍କ ସମ୍ପର୍କରେ ଅଭିଯୋଗକାରୀମାନେ ପୁଲିସ୍‌ ନିକଟରେ ଆହୁରି ବହୁ ତଥ୍ୟ ଦେଇଛନ୍ତି। ଅଭିଯୁକ୍ତ ସରୋଜର ତିନିଟି ବ୍ୟାଙ୍କ ଆକାଉଣ୍ଟ ଜବତ ହୋଇଥିବା ବେଳେ ସେଥିରେ ଲକ୍ଷାଧିକ ଟଙ୍କା ରହିଥିବା ଜଣାପଡ଼ିଛି। ସୋମବାର ବ୍ୟାଙ୍କ ଖୋଲିବା ପରେ ପୂରା ତଥ୍ୟ ମିଳିବ ବୋଲି କୁହାଯାଉଛି।

ରଙ୍ଗିନ୍‌ ମିଜାଜର ଥିଲା ସରୋଜ
ସରୋଜ ଖୁବ୍ ରଙ୍ଗିନ୍‌ ମିଜାଜର ଥିଲା। ଠକେଇ ଅର୍ଥରେ ପ୍ରେମିକା ସହ ବିଭିନ୍ନ ସହର ଓ ପର୍ଯ୍ୟଟନସ୍ଥଳୀ ବୁଲୁଥିଲା। ନାମୀଦାମୀ ହୋଟେଲ ଓ ରେସ୍ତେରାଁରେ ଟଙ୍କା ଉଡ଼ାଉଥିଲା। ସେ ଅନେକଥର ବିମାନରେ ମଧ୍ୟ ଦିଲ୍ଲୀ, ମୁମ୍ବାଇ, କୋଲକାତା ଯାଇ ସେଠାରେ ଅୟସ୍ କରୁଥିଲା ବୋଲି କୁହାଯାଉଛି। ତେବେ ଗୋଟିଏ ଜାଗାରେ ନ ରହି ନିୟମିତ ବ୍ୟବଧାନରେ ସ୍ଥାନ ବଦଳାଉଥିଲା।
ଘରେ ରଖି ଦେଉଥିଲା ତାଲିମ୍‌
ନୂଆଗାଁରେ ସରୋଜ ତିନିମହଲା ଏକ କୋଠାର ତଳ ମହଲାକୁ ଭଡ଼ାରେ ନେଇଥିଲା। ସେହି କୋଠାରେ ୪ଟି ରୁମ୍ ଥିଲା। ଅନଲାଇନ୍‌ରେ ସରକାରୀ ଚାକିରି ବିଜ୍ଞାପନ ଦେଖି ଯେଉଁ ବେକାର ଯୁବକମାନେ ତାକୁ ଯୋଗାଯୋଗ କରୁଥିଲେ, ସରୋଜ ପର୍ଯ୍ୟାୟକ୍ରମେ ସେମାନଙ୍କୁ ଅଫିସକୁ ଡକାଉଥିଲା। ଗୋଟିଏ ପର୍ଯ୍ୟାୟରେ ଦୁଇତିନି ଜଣ ପିଲା ଆସୁଥିଲେ। ସେମାନଙ୍କୁ ଘରେ ରଖି ତାଲିମ ଦେଉଥିଲା। କେମିତି ସାକ୍ଷାତକାର ଦିଆଯିବ, କେମିତି କଥାବାର୍ତ୍ତା କରାଯିବ ସେ ନେଇ ସରୋଜ ଓ ତାର ପ୍ରେମିକା ରଶ୍ମିଲତା ସେମାନଙ୍କୁ ପ୍ରଶିକ୍ଷଣ ଦେଉଥିଲେ।

କୁଆଡ଼େ ଗଲା କାର୍‌?

ଦୂରଦୂରାନ୍ତରୁ ଚାକିରି ଆଶାରେ ଆସି ରାଜଧାନୀ ଭୁବନେଶ୍ବରରେ ପହଞ୍ଚୁଥିବା ପିଲାଙ୍କୁ ସରୋଜ ଏକ କାର୍‌ରେ ଅଫିସ ପର୍ଯ୍ୟନ୍ତ ନେଇ ଯାଉଥିଲା। ଏହି କାର୍‌ ଧରି ସେ ମଧ୍ୟ ବୁଲୁଥିଲା। ଭୁବନେଶ୍ବର ହେଉ କି ଖୋର୍ଦ୍ଧା ଯୁଆଡ଼େ ଯାଉଥିଲା ସେହି କାର୍‌କୁ ବ୍ୟବହାର କରୁଥିଲା। କିନ୍ତୁ କାର୍‌ଟିକୁ ଏଯା‌ଏ ପୁଲିସ ଜବତ କରିପାରି ନାହିଁ।

ଖୋର୍ଦ୍ଧା, ଖଣ୍ଡଗିରିରେ ଥିଲା ଅଫିସ

ନୂଆଗାଁ ପୂର୍ବରୁ ଖଣ୍ଡଗିରିରେ ଅଫିସ କରିଥିଲା ସରୋଜ। ସେଠାରେ ମଧ୍ୟ ଚାକିରି ଆଶାୟୀଙ୍କଠାରୁ ଲକ୍ଷ ଲକ୍ଷ ଟଙ୍କା ଠକିଥିବା ସନ୍ଦେହ କରାଯାଉଛି। ଏ ନେଇ ପୁଲିସ ଅଧିକ ଖୋଳତାଡ଼ ଚଳାଇଛି। ଖଣ୍ଡଗିରିରେ ଅଫିସ ଖୋଲିବା ପୂର୍ବରୁ ଖୋର୍ଦ୍ଧାରେ ମଧ୍ୟ ଅଫିସ ଥିବା ଜଣାପଡ଼ିଛି। ସେଠାରେ କେତେ ଲୋକଙ୍କଠାରୁ ଠକେଇ କରିଛି ତାହାକୁ ନେଇ ପୁଲିସ ଅଧିକ ତଦନ୍ତ ଜାରି ରଖିଛି। ରିମାଣ୍ଡ ଅବଧି ସମୟରେ ଠକେଇ ରାକେଟ ସମ୍ପର୍କରେ ଅଧିକ ତଥ୍ୟ ଜଣାପଡ଼ିବ ବୋଲି ଆଶା ରଖିଛି ପୁଲିସ।

ସମ୍ବନ୍ଧିତ ଖବର