ଭୁବନେଶ୍ବର: କଳା ଟଙ୍କାକୁ ଧଳା କରିବା ଆଳରେ ଲୋକଙ୍କୁ ଚୂନ ଲଗାଉଥିବା ଏକ ୫ଜଣିଆ ଗ୍ୟାଙ୍ଗ୍କୁ ବାନ୍ଧିଛି କମିସନରେଟ୍ ପୁଲିସ। ୫୦୦ ଟଙ୍କିଆ ନୋଟ୍ ଦେଇ ଦୁଇ ଗୁଣା ପରିମାଣର ୧୦୦ ଟଙ୍କିଆ ବିଡ଼ା ଦେବାର ଲୋଭ ଦେଖାଇ ଲୋକଙ୍କୁ ଠକୁଥିବା ଏହି ଗ୍ୟାଙ୍ଗ୍ ଜଣେ ନକଲି ଖଣି ମାଲିକାଣୀ ଦ୍ବାରା ପରିଚାଳିତ ହେଉଥିଲା। ସେମାନେ ହେଲେ ନକଲି ଖଣି ମାଲିକାଣୀ ଅନୁଗୁଳର ମମତା ସାମଲ(୪୦), ସୁନ୍ଦରଗଡ଼ ଜିଲ୍ଲା ବୀରମିତ୍ରପୁରର ଅନୀଲ କୁମାର ମିସ୍ତ୍ରୀ ଓରଫ ସିକୁ(୩୭), କଟକ ନିଶ୍ଚିନ୍ତକୋଇଲି ଅଞ୍ଚଳର ଦିଲୀପ ସିଂ ଓରଫ ଚନ୍ଦନ(୪୮), କଟକ କନ୍ଦରପୁର ଅଞ୍ଚଳର ବଟକୃଷ୍ଣ ପ୍ରଧାନ(୫୫) ଓ କଟକ ଅନୁଗୁଳ ଗଡ଼ପଦାସାହିର ଚିତ୍ତରଂଜନ ଦାସ ଓରଫ ଟୁଟୁ(୪୦)। ସେମାନଙ୍କ ନିକଟରୁ ୧ଲକ୍ଷ ଟଙ୍କା, ୮ଟି ମୋବାଇଲ୍ ଓ ଅନେକ ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରାଯାଇଛି। ସେହିଭଳି ଲୋକଙ୍କୁ ଚୂନ ଲଗାଇବା ପାଇଁ ସେମାନେ ବ୍ୟବହାର କରୁଥିବା ଟଙ୍କା ବିଡ଼ା ମଧ୍ୟ ମିଳିଛି। ଉପରେ, ତଳେ ଅସଲି ନୋଟ୍ ଓ ଭିତରେ ସାଦା କାଗଜ ଥିବା ଟଙ୍କା ବିଡ଼ା ଜବତ କରାଯାଇଛି। ଆଜି ନୂଆପଲ୍ଲୀ ଥାନାରେ ଅନୁଷ୍ଠିତ ସାମ୍ବାଦିକ ସମ୍ମିଳନୀରେ ଡିସିପି ଜଗମୋହନ ମୀନା ଏହି ଗ୍ୟାଙ୍ଗ୍ର କଳା କାରନାମା ବଖାଣିଛନ୍ତି। ୪ମାସର କସରତ ପରେ ପୁଲିସକୁ ସଫଳତା ମିଳିଛି ବୋଲି ସେ କହିଛନ୍ତି।
ଚଳିତ ବର୍ଷ ଫେବ୍ରୁଆରି ୧୫ରେ ଜୟଦେବନଗରର ବିନୋଦ ସ୍ବାଇଁ ନୂଆପଲ୍ଲୀ ଥାନାରେ ଏକ ଅଭିଯୋଗ କରିଥିଲେ। ୫୦୦ ଟଙ୍କିଆ ଦେଲେ ୨ଗୁଣା ୧୦୦ ଟଙ୍କିଆ ମିଳିବ ବୋଲି କହି କିଛି ଧୂର୍ତ୍ତ ତାଙ୍କଠାରୁ ୬ଲକ୍ଷ ଟଙ୍କା ଠକି ନେଇଛନ୍ତି ବୋଲି ବିନୋଦ ଅଭିଯୋଗ କରିଥିଲେ। ୬ ଲକ୍ଷ ଟଙ୍କା ନେଇ ଠକମାନେ ତାଙ୍କୁ ୧୨ ଲକ୍ଷ ଟଙ୍କାର ୧୦୦ଟଙ୍କିଆ ବିଡ଼ା ଦେଇଥିଲେ। ମାତ୍ର ସବୁ ବିଡ଼ାର ଉପର ଓ ତଳେ ଅସଲି ନୋଟ୍ ଥିଲା ଏବଂ ଭିତରେ ସାଦା କାଗଜ ଥିଲା ବୋଲି ସେ କହିଥିଲେ। ଏହା ପୂର୍ବରୁ ସେହି ମାସରେ ବରମୁଣ୍ଡା ଅଞ୍ଚଳର ଅଭିଯୋଗକାରୀ ଛବି ବେହେରାଙ୍କଠାରୁ ମଧ୍ୟ ଏହି ଗ୍ୟାଙ୍ଗ୍ ଅନୁରୂପ ଭାବେ ସାଢ଼େ ୪ ଲକ୍ଷ ଟଙ୍କା ଠକି ନେଇଥିଲେ। ଏନେଇ ସେ ଭରତପୁର ଥାନାରେ ଅଭିଯୋଗ କରିଥିଲେ। ଦୁଇ ଦୁଇଟି ଠକେଇ ଅଭିଯୋଗ ଆସିବା ପରେ ପୁଲିସ ଧୂର୍ତ୍ତମାନଙ୍କ ମୋବାଇଲ୍ ଟ୍ରାକ୍ କରିବା ଆରମ୍ଭ କରିଥିଲା।
ଉପରେ, ତଳେ ଅସଲି ଓ ମଝିରେ ସାଦା କାଗଜର ଟଙ୍କା ବିଡ଼ା ଜବତ
ଗ୍ୟାଙ୍ଗ୍ର ମଙ୍ଗ ଧରିଥିଲା ମମତା
ତଦନ୍ତରୁ ଜଣାପଡ଼ିଛି ଯେ ଏହି ଗ୍ୟାଙ୍ଗ୍ର ମଙ୍ଗ ଧରିଥିଲା ମମତା। ନିଜକୁ ଖଣି ମାଲିକାଣୀ କହି ଲୋକଙ୍କ ମନରେ ବିଶ୍ବାସ ଜନ୍ମାଉଥିଲା। ଗ୍ୟାଙ୍ଗ୍ର ସଦସ୍ୟମାନେ ବୁଲିବୁଲି ଗରାଖ ଖୋଜୁଥିଲେ ଏବଂ ପରେ ମମତା ଫୋନ୍ କରି ଗରାଖଙ୍କୁ ଭୁଆଁ ବୁଲାଉଥିଲା। ସଦସ୍ୟମାନେ ପାର୍କ, ହସ୍ପିଟାଲ, ଷ୍ଟେସନ ଓ ମାର୍କେଟ୍ ଭଳି ସ୍ଥାନରେ ଚତୁରତାର ସହ ଲୋକଙ୍କ ସହ ମିଶୁଥିଲେ। ଏକ ଖଣି ସଂସ୍ଥାର କର୍ମଚାରୀ ବୋଲି କହୁଥିଲେ। କଥା ଛଳରେ କଳାଟଙ୍କା ପ୍ରସଙ୍ଗ ଉଠାଉଥିଲେ। ୫୦୦ ଟଙ୍କିଆ ନୋଟ୍ ବଦଳରେ ଦୁଇ ଗୁଣା ୧୦୦ ଟଙ୍କିଆ ନୋଟ୍ ଫେରାଇବାକୁ କହୁଥିଲେ। ଖଣି ମାଲିକାଣୀ କଳା ଟଙ୍କାକୁ ଧଳା କରିବାକୁ ଲୁଚାଛପାରେ ଏଭଳି ସ୍କିମ୍ କରିଛନ୍ତି ବୋଲି ବୁଝାଉଥିଲେ। ଏହାପରେ ନକଲି ଖଣି ମାଲିକାଣୀ ମମତା ଫୋନ୍ କରି ବୁଝାଉଥିଲା ଏବଂ କଥାକୁ ଗୁପ୍ତ ରଖିବାକୁ କହୁଥିଲା। ସେ ୩୦୦ କୋଟି ଟଙ୍କାର ମାଲିକାଣୀ। ଆୟକର ବିଭାଗ ଫାନ୍ଦ ଯୋଗୁ ୧୦୦ ଟଙ୍କିଆ ବିଡ଼ାଗୁଡ଼ିକୁ ସହଜରେ କାରବାର କରିହେଉନାହିଁ। ତେଣୁ ସେ ଏହି ସ୍କିମ୍ କରିଛନ୍ତି ବୋଲି ବୁଝାଉଥିଲା। ଲୋଭରେ ପଡ଼ି କେହି ରାଜି ହୋଇଯିବା ପରେ ଟଙ୍କା ଦେଣନେଣ ପାଇଁ ଏକ ଜାଗା ଧାର୍ଯ୍ୟ କରାଯାଉଥିଲା। ବଡ଼ କଥା ହେଉଛି ସେମାନେ ବସ୍ଷ୍ଟାଣ୍ଡ, ଷ୍ଟେସନ ଭଳି ଜନଗହଳିପୂର୍ଣ୍ଣ ଜାଗାକୁ ବାଛୁଥିଲେ। କାରଣ ନିଛାଟିଆ ଜାଗା ସନ୍ଦେହ ବଢ଼ାଇବ। ଗହଳି ଜାଗାକୁ କେହି ସହଜରେ ସନ୍ଦେହ କରିବେ ନାହିଁ। ଯେଉଁ ଦିନ ଟଙ୍କା ଦେଣନେଣ ହେବାର ଥାଏ, ସେଦିନ ଧୂର୍ତ୍ତ ଦଳ ବଡ଼ ବ୍ୟାଗ୍ରେ ନକଲି ଟଙ୍କା ବିଡ଼ା ଧରି ଆସନ୍ତି। ଏହି ବ୍ୟାଗ୍ର ଚେନ୍ ଖୋଲି ଟଙ୍କା ବିଡ଼ା ଦେଖାନ୍ତି। ବିଡ଼ା ଭିତର ସାଦା କାଗଜ ଦେଖାଯାଏ ନାହିଁ। କଥା ଅନୁସାରେ ଦୁଇ ପକ୍ଷ ତରତରରେ ବ୍ୟାଗ୍ ଅଦଳବଦଳ କରି ଚାଲିଯାଆନ୍ତି।
ଝିଅ ବାହାଘର ଟଙ୍କା ହରାଇଥିଲେ ଛବି
ଠକାମିର ଶିକାର ହୋଇଥିବା ଛବି ବେହେରା ଝିଅ ବାହାଘର ପାଇଁ ଟଙ୍କା ରଖିଥିଲେ। କିନ୍ତୁ ତାଙ୍କୁ ଆଉ କିଛି ଟଙ୍କା ଦରକାର ଥିଲା। ଠିକ୍ ଏତିକିବେଳେ ସେ ଏହି ଠକ ଦଳ ହାବୁଡ଼ରେ ପଡ଼ିଲେ। ପାଖରେ ଥିବା ସାଢ଼େ ୪ଲକ୍ଷ ଟଙ୍କା ୯ ଲକ୍ଷ ଟଙ୍କା ହୋଇଯବା ଲୋଭରେ ସେ ଠକଙ୍କ ଜାଲରେ ପଡ଼ିଗଲେ।
ଜମି ମାଲିକ ସାଜି ଠକଙ୍କୁ ଟ୍ରାପ୍ କଲା ପୁଲିସ
ଏହି ଗ୍ୟାଙ୍ଗକୁ ଧରିବା ପାଇଁ ସ୍ପେସାଲ୍ ସ୍କ୍ବାଡ୍ ଓ ୨ ଥାନାର ପୁଲିସକୁ ନେଇ ସ୍ବତନ୍ତ୍ର ଟିମ୍ ଗଠନ ହୋଇଥିଲା। ଜଣାପଡ଼ିଥିଲା ଯେ ଏହି ଗ୍ୟାଙ୍ଗ୍ ପୂର୍ବରୁ କଟକ, ଭଦ୍ରକ, ଅନୁଗୁଳ, ଗଞ୍ଜାମ, ସୁନ୍ଦରଗଡ଼ ଆଦି ଅଞ୍ଚଳରେ ଲୋକଙ୍କୁ ଚୂନ ଲଗାଇଛି। ପୂର୍ବରୁ ଏହି ଗ୍ୟାଙ୍ଗ୍ର କିଛି ସଦସ୍ୟ ଗିରଫ ମଧ୍ୟ ହୋଇଛନ୍ତି। ସେମାନେ ବାରମ୍ବାର ସହର ବଦଳାଉଥିଲେ। ତେବେ ଶେଷରେ ସିସିଟିଭି ଫୁଟେଜ୍ ଓ ଫୋନ୍ ନମ୍ବର ଟ୍ରାକିଂ କରି ପୁଲିସ ଏହି ଗ୍ୟାଙ୍ଗ୍କୁ ଠାବ କରିଥିଲା। ଜଣେ ପୁଲିସ ଅଧିକାରୀ ପିଛା କରିକରି ଗ୍ୟାଙ୍ଗ୍ର ଜଣକ ପାଖରେ ପହଞ୍ଚିଥିଲେ। ଠକ ମଧ୍ୟ ଶିକାର ସନ୍ଧାନରେ ଥିଲା। କଥା ପ୍ରସଙ୍ଗରେ ସାଦାପୋଷାକରେ ଥିବା ପୁଲିସ ଅଧିକାରୀ ପାଖରେ ଜମି ବିକା ଟଙ୍କା ଥିବା କଥା କହିଥିଲେ। ସେ ୫ ଲକ୍ଷ ଟଙ୍କା ଦେବେ ବୋଲି କହିଥିଲେ। ଡିଲ୍ ହୋଇଗଲା। ଗତକାଲି ସନ୍ଧ୍ୟାରେ ସିକୁ, ଚନ୍ଦନ ଓ ବଟକୃଷ୍ଣ ଆଚାର୍ଯ୍ୟବିହାର ଛକରେ ବ୍ୟାଗ୍ ଧରି ପହଞ୍ଚିଗଲେ।