ଚାକିରି ଦେବା ନାଁରେ ୩୦୦ରୁ ଅଧିକ ଯୁବତୀଙ୍କଠାରୁ ୬୦ ଲକ୍ଷର ଠକେଇ

ହରିୟାଣା ଯୁବତୀଙ୍କୁ ଏୟାରପୋର୍ଟରୁ ଧରିଲା ପୁଲିସ, ମୁଖ୍ୟ ଅଭିଯୁକ୍ତ ଅନିଲ ଫେରାର, ମାମଲା ରୁଜୁ କରି ପୁଲିସର ତନାଘନା

ଭୁବନେଶ୍ବର: ଠକଙ୍କ ରାଜଧାନୀ ପାଲଟି ଗଲାଣି ଭୁବନେଶ୍ବର। ଚାକିରି ନାଁରେ ହେଉ କି ଜମି ଦେବା ନାଁରେ ଆଉ କେତେବେଳେ ସେକେଣ୍ଡ ହ୍ୟାଣ୍ଡ ଗାଡ଼ି ବିକ୍ରି ନାଁରେ। ଠକେଇ ମାମଲା ବଢ଼ି ବଢ଼ି ଚାଲିଥିବାବେଳେ ଆଉ ଏକ ଘଟଣା ସାମ୍ନାକୁ ଆସିଛି। ରସୁଲଗଡ଼ ଶବରସାହିରେ ଏକ କନସଲଟାନ୍ସି ଅଫିସ ଖୋଲି ଚାକିରି ଦେବା ନାଁରେ ୩୦୦ରୁ ଅଧିକ ଯୁବକଯୁବତୀଙ୍କଠାରୁ ୬୦ ଲକ୍ଷ ଟଙ୍କା ଠକିଥିବା ଅଭିଯୋଗରେ ଏକ ମାମଲା ରୁଜୁ କରିଛି ମଞ୍ଚେଶ୍ବର ପୁଲିସ। ମୁଖ୍ୟ ଅଭିଯୁକ୍ତ ବଲାଙ୍ଗୀରର ଅନିଲ ସାହୁ ଫେରାର ହୋଇ ଯାଇଥିବା ବେଳେ ତା’ର ସହଯୋଗୀ ହରିୟାଣାର ଜଣେ ଯୁବତୀ ଏୟାରପୋର୍ଟରୁ ଖସି ଯିବାକୁ ଚେଷ୍ଟା କରିବା ବେଳେ ପୁଲିସ ହାତରେ ଧରାପଡ଼ିଛି। ତେବେ ଯୁବତୀଙ୍କୁ ଠକେଇ ସଂକ୍ରାନ୍ତରେ ପଚରାଉଚରା କରି ପୁଲିସ ଛାଡ଼ି ଦେଇଥିବାବେଳେ ତଦନ୍ତରେ ସହଯୋଗ କରିବା ପାଇଁ କହିଛି।

ମିଳିଥିବା ସୂଚନା ଅନୁସାରେ, ଏହି ଠକେଇ ମାମଲାର ମୁଖ୍ୟ ଅଭିଯୁକ୍ତ ହେଲା ବଲାଙ୍ଗୀର ଟିଟିଲାଗଡ଼ର ଅନିଲ ସାହୁ। ଅନିଲ ଶବରସାହିରେ ଓମ୍‌କାର ବିଜନେସ୍‌ ଆଣ୍ଡ ଇସାନା ପ୍ରାଇଭେଟ୍‌ ଲିମିଟେଡ୍‌ ନାମରେ ଏକ ସଂସ୍ଥାର ଅଫିସ ଖୋଲି ଠକେଇର ଜାଲ ବିଛାଇଥିଲା। ବ୍ୟାଙ୍କ, ପ୍ରାଇଭେଟ୍ କମ୍ପାନି, ସୁରକ୍ଷାକର୍ମୀ, ସଚିବାଳୟ ଆଦି ବିଭିନ୍ନ କ୍ଷେତ୍ରରେ ଚାକିରି କରାଇଦେବ ବୋଲି ବିଜ୍ଞାପନ ଦେଇଥିଲା। ଆଶାୟୀମାନେ ଚାକିରି ପାଇଁ ଯୋଗାଯୋଗ କରିଥିଲେ। ଆଇସିଏଆର୍‌ ନାମକ ଘରୋଇ ସଂସ୍ଥାରେ ଚାକିରି କରାଇ ଦେବ କହି ଅନିଲ ୩୦୦ରୁ ଊର୍ଧ୍ବ ଯୁବତୀଙ୍କଠାରୁ ପ୍ରାୟ ୬୦ ଲକ୍ଷ ଟଙ୍କା ଠକି ନେଇଥିଲା। ଯୁବତୀମାନେ ଦୁଇଟି କିସ୍ତିରେ ୧୦ରୁ ୧୫ ହଜାର ଟଙ୍କା ଲେଖାଏଁ ଦେଇଥିଲେ। ଏଥିରେ ଅନ୍ୟମାନେ ସହଯୋଗ କରିଥିଲେ। ଚାକିରି ପାଇ ନ ଥିବା ଆଶାୟୀମାନେ ଯେତେବେଳେ ଅଫିସକୁ ଆସି ଅନିଲକୁ ଯୋଗାଯୋଗ କ‌ଲେ, ସେ ଟଙ୍କା ଫେରସ୍ତ କରିବ ବୋଲି ପ୍ରତିଶ୍ରୁତି ଦେଇଥିଲା। ହେଲେ ସେମାନେ ବାରମ୍ବାର ଦୌଡ଼ିବା ପରେ ମଧ୍ୟ ସେ ଟଙ୍କା ଫେରସ୍ତ କରି ନ ଥିଲା। ଯେତେବେଳେ ଭିଡ଼ ଜମିଲା ସେ ଅଫିସ ବନ୍ଦ କରି ଫେରାର ହୋଇ ଯାଇଥିଲା।

ଗତ ୮ ଦିନ ହେବ ଏହି ନିଯୁକ୍ତି ଅଫିସ୍ ବନ୍ଦ ରହିବା ସହ ଅନିଲର ଫୋନ୍ ବନ୍ଦ ହୋଇଯାଇଥିଲା। ବହୁ ଖୋଜାଖୋଜି ପରେ ମଧ୍ୟ ଅନିଲର ସନ୍ଧାନ ନ ମିଳିବାରୁ ଆଜି ୫ଜଣ ଯୁବତୀ ମଞ୍ଚେଶ୍ବର ଥାନାର ଦ୍ବାରସ୍ଥ ହୋଇଥିଲେ। ପୁଲିସ ଏକ ମାମଲା ରୁଜୁ କରିବା ସହ ଉକ୍ତ ଅଫିସ ଉପରେ ଚଢ଼ଉ କରି କିଛି ଗୁରୁତ୍ବପୂର୍ଣ୍ଣ କାଗଜପତ୍ର ଜବତ କରିଥିଲା। ଏହାଛଡ଼ା ଅନିଲର ଜଣେ ସହଯୋଗୀ ଯୁବତୀ ଆଜି ଏୟାରପୋର୍ଟରୁ ଫେରାର ହେବାକୁ ଉଦ୍ୟମ କରୁଥିବା ଖବର ପାଇ ପୁଲିସ ସେଠାରେ ପହଞ୍ଚି ଯୁବତୀଙ୍କୁ ଉଠାଇ ଆଣିଥିଲା।

ସମ୍ବନ୍ଧିତ ଖବର