କ୍ରାଇମ୍‌ବ୍ରାଞ୍ଚ ନାଁ ନେଇ ଯୁବତୀଙ୍କୁ ଟଙ୍କା ମାଗିବା ଘଟଣା: ୨୦ରୁ ଅଧିକ ଛାତ୍ରୀଙ୍କୁ ଆସିଛି କଲ୍, ମାର୍ଚ୍ଚ ମାସରୁ ଟଙ୍କା ମାଗିବା ‌ଆରମ୍ଭ କଲାଣି ଠକ

ଭୁବନେଶ୍ବର: ସୋମବାର ଜଣେ ଯୁବତୀଙ୍କୁ ସାଇବର ଠକ କ୍ରାଇମ୍‌ବ୍ରାଞ୍ଚ୍ ନାଁ ନେଇ ଟଙ୍କା ମାଗିବା ଘଟଣାରେ ଏକ ଚାଞ୍ଚଲ୍ୟକର ତଥ୍ୟ ସାମ୍‌ନାକୁ ଆସିଛି। ସାଇବର ଠକ ଉକ୍ତ ଯୁବତୀ ପଢ଼ୁଥିବା କମଳା ନେହେରୁ ଵମେନ୍ସ କଲେଜର ପ୍ରାୟ ୨୦ରୁ ଅଧିକ ଯୁବତୀଙ୍କୁ ଫୋନ୍ କରି ଏହି ଭଳି ଟଙ୍କା ମାଗିଥିବା ଜଣାପଡ଼ିଛି। କେବଳ ସେତିକି ନୁହେଁ, ବିଶେଷ ଭାବରେ ଯୁବତୀ ଜଣକ ଯେଉଁ ଯୁକ୍ତ ୩ ବ୍ୟାଚ୍‌ରେ ପଢ଼ୁଥିଲେ (୨୦୧୭ରୁ ୨୦୨୦ ବ୍ୟାଚ୍‌)ର କଳା, ବିଜ୍ଞାନ ଓ ବାଣିଜ୍ୟ ବିଭାଗର ଅଧିକାଂଶ ଯୁବତୀଙ୍କୁ ଏହି ଭଳି କଲ୍ କରିବା ସହ ନଗ୍ନ ଫଟୋ ଓ ଭିଡିଓ ଭାଇରାଲ୍ କରିବା ଧମକ ଦେଇ ହ୍ୟାକର୍ ଟଙ୍କା ମାଗିଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ହ୍ୟାକର୍‌ ଯୁବତୀମାନଙ୍କୁ ଫୋନ୍ କରି ଯୁବତୀଙ୍କ ଘରର ସଂପୂର୍ଣ୍ଣ ତଥ୍ୟ, କଲେଜ୍‌ରେ ପାଠ ପଢ଼ିବା ସମୟରେ କାହା ସହ ସେ ମିଶୁଥିଲେ, ଏପରିକି ତାଙ୍କର ପୁରୁଷ ବନ୍ଧୁ କିଏ ଥିଲା, କେବେ ତାଙ୍କ ସହ ସଂପର୍କ ଭାଙ୍ଗିଥିଲା ସବୁ କଥା ଟିକିନିଖି ବଖାଣୁଛି। ଏଭଳି ଘଟଣା ବ୍ୟାଚ୍‌ର ଅନେକ ଝିଅଙ୍କ ସହ ଘଟିବା ପରେ ଏହି ଯୁବତୀମାନେ ଏବେ ସନ୍ଦେହରେ ପଡ଼ିଛନ୍ତି। ବଡ଼ କଥା ହେଉଛି, ହ୍ୟାକର୍ ଯଦି ମୋବାଇଲ୍ ହ୍ୟାକ୍ କରୁଛି ବା କେଉଁଠୁ ତଥ୍ୟ ଚୋରି କରୁଛି ତେବେ କଲେଜ୍‌ ପାଠପଢ଼ା ସମୟର ସବୁ ମୁହୂର୍ତ୍ତ ସମ୍ପର୍କରେ କେମିତି ଖବର ପାଇଛି? ଏଥିରେ କଲେଜ୍‌ର କେଉଁ ବ୍ୟକ୍ତିଙ୍କ ସଂପୃକ୍ତି ଥାଇପାରେ ବୋଲି ଯୁବତୀମାନଙ୍କ ମନରେ ସନ୍ଦେହ ଉପୁଜିଛି।

ସୋମବାର ଆଉ ଜଣେ ଯୁବତୀଙ୍କୁ ଫୋନ୍ କରି ହ୍ୟାକର୍ କ୍ରାଇମ୍‌ବ୍ରାଞ୍ଚରୁ ରାକେଶ ପାଣିଗ୍ରାହୀ କହୁଥିବା କହିଥିଲା। ଏହା ପରେ ଫୋନ୍‌ ପେ’ରେ ଏକ ସବୁଜ ରଙ୍ଗର ଶାଢ଼ି ପିନ୍ଧିଥିବା ଯୁବତୀ କିଏ ପଚାରିବା ସହିତ ତାଙ୍କର ଏକ ନଗ୍ନ ଭିଡିଓ ତାଙ୍କ ପାଖରେ ଥିବା କହିଥିଲା। ଏହି ନଗ୍ନ ଭିଡିଓ ଯଦି ଭାଇରାଲ୍ ହେବାରୁ ବଞ୍ଚିବାକୁ ଚାହୁଛ, ତେବେ ଫୋନ୍ ପେ’ରେ ପ୍ରଥମେ ୩ ହଜାର ଓ ପରବର୍ତ୍ତୀ ସମୟରେ ୨୫ ହଜାର ଟଙ୍କା ଦେବାକୁ ଦାବି କରିଥିଲା। ଏହିଭଳି କଲ୍ ଉକ୍ତ ଯୁବତୀଙ୍କ ବ୍ୟାଚ୍‌ର ଅନ୍ୟ ପିଲାଙ୍କୁ ଗତ ମାର୍ଚ୍ଚ ମାସରୁ ଆସିଥିବା ସେ କହିଛନ୍ତି। ଏହା ସହିତ ସବୁ ପିଲାଙ୍କ କଣ୍ଟାକ୍ଟ ଡିଟେଲ୍ସ୍ ସେ କେଉଁଠାରୁ ପାଇଲା ବୋଲି ପଚାରିବାରୁ ପିଲାଙ୍କୁ ଚାକିରି ଦେବା ନାଁରେ କଲେଜ୍ ପକ୍ଷରୁ ‘ପ୍ଲେସ୍‌ମେଣ୍ଟ କେ ଆଣ୍ଡ୍ ଡବ୍ଲୁସି’ ନାଁରେ ଏକ ହ୍ବାଟ୍ସଗ୍ରୁପ୍ ଖୋଲାଯାଇଥିଲା ଏବଂ ସେହିଠାରୁ ହିଁ ସବୁ ପିଲାଙ୍କ ବିସ୍ତୃତ ତଥ୍ୟ ଓ ଯୋଗାଯୋଗ ନମ୍ବର ନିଆଯାଇଥିବା ହ୍ୟାକର୍ କହିଛି। ଯାହାକୁ ନେଇ ସମସ୍ତେ ଏବେ ଚିନ୍ତାରେ ପଡ଼ିଛନ୍ତି। ଯଦି ଗ୍ରୁପ୍‌ରୁ ସମସ୍ତ ତଥ୍ୟ ସେ ପାଇଛି ତେବେ କେମିତି ପାଇଲା ଏବଂ କିଏ ତାକୁ ଏହା ଦେଲା ତାହା ଏବେ ତଦନ୍ତସାପେକ୍ଷ ରହିଛି।

ଅପରପକ୍ଷରେ କେବଳ କମଳା ନେହରୁ ଵମେନ୍ସ କଲେଜ୍ ନୁହେଁ; ରମାଦେବୀ ମହିଳା ବିଶ୍ବବିଦ୍ୟାଳୟର ଅନେକ ଛାତ୍ରୀଙ୍କୁ ମଧ୍ୟ ଏହିଭଳି କଲ୍ ଆସିଥିବା କୁହାଯାଉଛି। ଏହା ସହ ହ୍ୟାକର୍‌ ଫୋନ୍‌ରେ ଏମିତି ଫୋନ୍‌ରେ କଥା ହେଉଛି, ଯେମିତି କ୍ରାଇମ୍‌ବ୍ରାଞ୍ଚରୁ ସତରେ କେହି ଉପରିସ୍ଥ ଅଧିକାରୀ ତାଙ୍କର କିଛି ଭିଡିଓ ବା ନଗ୍ନଚିତ୍ର ପାଇଥିବା ଅନୁଭୂତ ହେଉଛି ବୋଲି ସେମାନେ କହିଛନ୍ତି। ଏନେଇ ସାଇବର ଏକ୍ସପର୍ଟ ଆକାଶ ମିଶ୍ରଙ୍କୁ ପଚରାଯିବାରୁ ସେ କହିଛନ୍ତି, ନମ୍ବରଟି ଗୁଜୁରାଟର ଦେଖାଉଥିବା ବେଳେ ଏହା ଭୋଡାଫୋନ୍ ଆଇଡିଆ ନେଟଵର୍କର ବୋଲି ଜଣାପଡ଼ିଛି। ହ୍ୟାକର୍ କଲ୍ କରୁଥିବା ସମସ୍ତ ଯୁବତୀଙ୍କ ମଧ୍ୟରେ କେଉଁଠି ନା କେଉଁଠି ସଂପର୍କ ରହିଛି। ଏଭଳି ଘଟଣା ମଧ୍ୟ ସାଇବର୍ ଠକେଇର ପ୍ରଥମ। କାରଣ ପୂର୍ବରୁ ସାଇବର ହ୍ୟାକର୍‌ମାନେ ମୋବାଇଲ୍‌ରୁ ଚୋରି ହୋଇଥିବା ତଥ୍ୟ ବା କିଛି ଫଟୋକୁ ନେଇ ବା ସାମାଜିକ ଗଣମାଧ୍ୟମର ଆକାଉଣ୍ଟ୍‌କୁ ନେଇ ବ୍ଲାକମେଲ୍ କରୁଥିବା ନଜିର ରହିଛି। ମାତ୍ର ଏଥିରେ କଲେଜ୍ ବେଳେ ଘଟିଯାଇଥିବା ବିଭିନ୍ନ ଘଟଣା, ପରିବାର ଲୋକଙ୍କ କଥା, ପୁରୁଷ ବନ୍ଧୁଙ୍କ କଥା ଏତେ ଟିକିନିଖିରେ କହିବା ଚକିତ କରୁଛି। ଏଥି ପାଇଁ ଓଡ଼ିଶା ପୁଲିସ୍‌ ଏକ ସ୍ବତନ୍ତ୍ର ଭାବେ ତଦନ୍ତ କରି ଘଟଣାର ମୁଖ୍ୟ ଅପରାଧୀକୁ ଗିରଫ କରାଗଲେ ହୁଏତ ଅନେକ ସତ କଥା ପଦାକୁ ଆସିପାରନ୍ତା ବୋଲି ଶ୍ରୀ ମିଶ୍ର ସୂଚନା ଦେଇଛନ୍ତି।

ସମ୍ବନ୍ଧିତ ଖବର