କ୍ରାଇମ୍‌ବ୍ରାଞ୍ଚ୍‌ ନାଁ ନେଇ ଯୁବତୀଙ୍କୁ ଟଙ୍କା ମାଗିବା ଘଟଣା: ଏକାଧିକ ବିଶ୍ବବିଦ୍ୟାଳୟ ଓ କଲେଜର ଛାତ୍ରୀଙ୍କୁ ଆସିଛି କଲ୍

ଫଟୋ ଓ ତଥ୍ୟ ଭାଇରାଲ୍ ପାଇଁ ଫେସ୍‌ବୁକ୍‌ରେ ତିଆରି ହୋଇଛି ଗ୍ରୁପ୍, ଫୋନ୍ ପେ’ ଆକାଉଣ୍ଟରୁ ପ୍ରୋଫାଇଲ୍ ଫଟୋକୁ ନେଇ କରୁଛି ବ୍ଲାକମେଲ୍

ଭୁବନେଶ୍ବର: ଏକାଧିକ କଲେଜ ଓ ବିଶ୍ବବିଦ୍ୟାଳୟର ଛାତ୍ରୀମାନଙ୍କୁ କ୍ରାଇମ୍‌ବ୍ରାଞ୍ଚ୍ ନାଁରେ ଠକେଇ କଲ୍ ଆସିଛି। ହ୍ୟାକର୍ ପ୍ରଥମେ ନଗ୍ନ ଫଟୋ ବା ଭିଡିଓକୁ ସାମାଜିକ ଗଣମାଧ୍ୟମରେ ଭାଇରାଲ୍ କରିବାକୁ ଧମକ ଦେବା ଏବଂ ସଂପର୍କୀୟଙ୍କ ପାଖକୁ ଉକ୍ତ ଅଶ୍ଳୀଳ ଫଟୋ ପଠାଇବି ବୋଲି କହିବା ପରେ ପରିଶେଷରେ ସ୍ଥାନୀୟ ପୁଲିସ୍ ଷ୍ଟେସନ୍‌କୁ ଆସି ଦେଖା କରିବାକୁ କହି ଟଙ୍କା ଠକିବାକୁ ଉଦ୍ୟମ କରୁଥିବା ଘଟଣାରେ କିଛି ନୂଆ ତଥ୍ୟ ସାମ୍‌ନାକୁ ଆସିଛି।

ସାଇବର୍ ଠକ ଫେବ୍ରୁଆରିରୁ ଉତ୍କଳ ବିଶ୍ବବିଦ୍ୟାଳୟ ଡିଡିସିଇର ଏକ ଛାତ୍ରୀଙ୍କୁ ଫୋନ୍ କରି ଏହି ଭଳି ଠକେଇ ଉଦ୍ୟମ ଆରମ୍ଭ କରିଥିଲା ବୋଲି ଜଣାପଡ଼ିଛି। ଡିଡିସିଇ ଯୁକ୍ତ ୩ର ପ୍ରଥମ ବର୍ଷ କଳା ବିଭାଗର ଏହି ଛାତ୍ରୀଙ୍କ କହିବାନୁଯାୟୀ, ଗତ ଫେବ୍ରୁଆରି ମାସରେ ତାଙ୍କୁ ଏହିଭଳି ସମାନ ଢଙ୍ଗରେ କ୍ରାଇମ୍‌ବ୍ରାଞ୍ଚରୁ ଏକ ଫୋନ୍ କଲ୍ ଆସିଥିଲା। ଠକଜଣକ ପୁଲିସ୍ ଓ ପରିବାରଲୋକଙ୍କ ନାଁ ନେଇ ତାଙ୍କ ନଗ୍ନ ଭିଡିଓ ଭାଇରାଲ୍ କରିବା କଥା କହିବା ପରେ ଛାତ୍ରୀଜଣକ ଭୟଭୀତ ହୋଇଯାଇଥିଲେ। ତାଙ୍କ କହିବାନୁଯାୟୀ କାମ ନ କଲେ ତାଙ୍କ ନଗ୍ନ ଫଟୋ ଚାରିଆଡ଼େ ଭାଇରାଲ୍ କରିବେ ବୋଲି ଧମକ ଦେଇଥିଲା ଠକ। ତେଣୁ ବାଧ୍ୟ ହୋଇ ଛାତ୍ରୀ ସାଇବର ଠକର ସବୁ କଥାରେ ରାଜି ହୋଇଥିଲେ। ଏହାପରେ ସାଇବର୍ ଠକ ଛାତ୍ରୀଙ୍କୁ ତାଙ୍କ ହ୍ବାଟ୍‌ସଆପ୍‌ର ସ୍କାନ୍ କୋଡ୍ ମାଗିଥିଲା। ସ୍କାନ୍ କୋଡ୍‌ ଦେବା ପରେ ଛାତ୍ରୀ ତାଙ୍କ ହ୍ବାଟ୍ସଆପ୍‌ରୁ ସଂପୂର୍ଣ୍ଣ ନିୟନ୍ତ୍ରଣ ହରାଇଥିଲେ। ପରେ ପାଠପଢ଼ା ତଥା ନୋଟ୍ ସେୟାର୍ ପାଇଁ କଲେଜ୍‌ ପିଲାମାନେ ଖୋଲିଥିବା ହ୍ବାଟ୍ସଆପ୍‌ ଗ୍ରୁପ୍‌ରୁ ଏକାଧିକ ଛାତ୍ରୀଙ୍କୁ ଏହିଭଳି ଫେକ୍ କଲ୍ ଆସିଥିଲା। ତେବେ ଏହି ଘଟଣା ଛାତ୍ରୀଜଣକ ତାଙ୍କ ସାଙ୍ଗଙ୍କୁ କହିବା ପରେ ସଂପୃକ୍ତ ହ୍ବାଟ୍ସଆପ୍ ଗ୍ରୁପକୁ ସେମାନେ ବନ୍ଦ କରି ଦେଇଥିଲେ। ଆଉ ଏବେ ସାଇବର ଠକ ସମାନ ଢଙ୍ଗରେ କମଳା ନେହେରୁ କଲେଜ୍‌ର ୨୦ରୁ ଅଧିକ ଛାତ୍ରୀଙ୍କୁ କଲ୍ କରି ବ୍ଲାକମେଲ୍ କରିଥିବା ବେଳେ ରମାଦେବୀର ପ୍ରାୟ ୫ରୁ ଅଧିକ ଛାତ୍ରୀଙ୍କୁ ମଧ୍ୟ କଲ୍‌ କରି ହଇରାଣ କରିଥିବା ଜଣାପଡ଼ିଛି।

ଗୁରୁତ୍ବପୂର୍ଣ୍ଣ କଥା ହେଉଛି, ସାଇବର ଠକ କଲ୍‌ କରି ହଇରାଣ କରୁଥିବା ସମସ୍ତ ଛାତ୍ରୀଙ୍କ ଫୋନ୍ ପେ’ ଆକାଉଣ୍ଟ ପ୍ରୋଫାଇଲ୍‌ରେ ଥିବା ଫଟୋକୁ ଏଡିଟିଂ କରି ବ୍ଲାକ୍‌ମେଲ୍ କରୁଥିବା ଜଣାପଡ଼ିଛି। ଏଥିପାଇଁ ଫେସ୍‌ବୁକ୍‌ରେ ଅଶ୍ଳୀଳ ଭାଷାରେ ଏକ ଗ୍ରୁପ୍ ମଧ୍ୟ ତିଆରି ହୋଇଛି। ଅପରପକ୍ଷରେ ଫୋନ୍ କଲ୍ ଆସୁଥିବା ନମ୍ବରର ସାମାଜିକ ଗଣମାଧ୍ୟମ ଆକାଉଣ୍ଟ୍ ଅର୍ଥାତ୍ ହ୍ବାଟ୍ସଆପ୍‌ରେ ଏକ ଯୁବକ ଓ ଯୁବତୀଙ୍କ ଫଟୋ ଦେଖିବାକୁ ମିଳିଛି। କ୍ରାଇମ୍‌ବ୍ରାଞ୍ଚର ନାଁ ନେଇ ସାଇବର ଠକ ଏତେ ସଂଖ୍ୟାରେ ଛାତ୍ରୀଙ୍କୁ ବ୍ଲାକମେଲ କରି ଲୁଟିବା ଘଟଣା ଆଲୋଡ଼ନ ସୃଷ୍ଟି କରିଥିବା ବେଳେ ପୁଲିସ୍‌ର ଶିଥିଳତାକୁ ନେଇ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଦୁଇଟି ବିଶ୍ବବିଦ୍ୟାଳୟ ଓ ଏକ କଲେଜ୍‌ର ପ୍ରାୟ ୫୦ ଜଣ ଛାତ୍ରୀ ଏଭଳି ଠକାମି କରୁଥିବା ବେଳେ ପୁଲିସ୍ ତଦନ୍ତ ବା କୌଣସି ପଦକ୍ଷେପ ନେଉ ନଥିବାରୁ ଅସନ୍ତୋଷ ପ୍ରକାଶ ପାଇଛି। ଏନେଇ ପୂର୍ବତନ ପୁଲିସ୍ ଡିଜି ସଂଜୀବ ମାରିକ୍ କହିଛନ୍ତି, ଏଭଳି ଘଟଣାରେ ପୁଲିସ୍ ପକ୍ଷରୁ ଏକ ବିଜ୍ଞପ୍ତି ଜାରି କରାଯିବା ଆବଶ୍ୟକ। ଏହା ସହିତ ନମ୍ବରକୁ ଟ୍ରେସ୍ ଆଉଟ୍ କରାଯାଇ ଅଭିଯୁକ୍ତକୁ ଗିରଫ କରାଯିବା ଜରୁରୀ।

ସମ୍ବନ୍ଧିତ ଖବର