୪୨୦ ମୋଦି ବାପପୁଅ: ଚାକିରି ନାଁରେ କୋଟିକୋଟି ଟଙ୍କା ଠକେଇ

ରେଲୱେ, ଲୋକସେବା ଭବନରେ ନିଯୁକ୍ତି ଲୋଭ ଦେଖାଉଥିଲେ

ଜମିବାଡ଼ି ବିକି ଲକ୍ଷାଧିକ ଟଙ୍କା ଦେଇଛନ୍ତି ଆଶାୟୀ ଯୁବକଯୁବତୀ
ବଡ଼ ହୋଟେଲରେ ନେଉଥିଲେ ସାକ୍ଷାତକାର

ଭୁବନେଶ୍ବର : ୪୨୦ ବାପ ପୁଅ। ବାପ ଏକ ନମ୍ବରୀକୁ ପୁଅ ଦଶ ନମ୍ବରୀ। ବେକାର ଯୁବକଯୁବତୀଙ୍କୁ ଚାକିରି ଦେବାର ଲୋଭ ଦେଖାଇ କୋଟିକୋଟି ଟଙ୍କା ଠକି ନେଇଛନ୍ତି ବାପପୁଅ। ଖାଲି ସେତିକି ନୁହେଁ; ରାଜଧାନୀର ବଡ଼ବଡ଼ ହୋଟେଲରେ ସାକ୍ଷାତକାର ମଧ୍ୟ ନେଉଥିଲେ। ଖୋର୍ଦ୍ଧା ଅଞ୍ଚଳର ବାପା ଅମୂଲ୍ୟ ମୋଦି ଓ ପୁଅ ହ୍ରିତିକ ମୋଦି ନାଁରେ ଆଜି କ୍ୟାପିଟାଲ ଥାନାରେ ଠକେଇ ଅଭିଯୋଗ ଆସିଛି। ମୟୂରଭଞ୍ଜ ଅଞ୍ଚଳର ୧୦ରୁ ଅଧିକ ଯୁବକ ଠକେଇ ଅଭିଯୋଗ କରିଛନ୍ତି। ପୁଲିସ ତଦନ୍ତ ଆରମ୍ଭ କରିଥିବା ବେଳେ ଅମୂଲ୍ୟ ଓ ହ୍ରିତିକ ଫେରାର ହୋଇ ଯାଇଛନ୍ତି। ଅଭିଯୋଗକାରୀଙ୍କଠାରୁ ଠକ ବାପପୁଅ ଦେଇଥିବା ଜାଲ୍ ନିଯୁକ୍ତିପତ୍ର, ବହୁ କାଗଜପତ୍ର ଜବତ କରିଛି ପୁଲିସ।

ମିଳିଥିବା ସୂଚନା ଅନୁସାରେ, ଠକ ବାପପୁଅ ମୟୂରଭଞ୍ଜ ସମେତ ବିଭିନ୍ନ ଅଞ୍ଚଳରେ ଜାଲ୍ ନିଯୁକ୍ତିର ଜାଲ ବିଛାଇଥିଲେ। ରେଲୱେ, ସଚିବାଳୟ ଭଳି ଗୁରୁତ୍ବପୂର୍ଣ୍ଣ ସ୍ଥାନରେ ନିଯୁକ୍ତି ଦେବା ପାଇଁ ଜାଲ ବିଛାଇଥିଲେ। ଏ ନେଇ ବିଜ୍ଞାପନ ବାହାର କରିଥିଲେ। ବିଜ୍ଞାପନ ଦେଖି ମୟୂରଭଞ୍ଜ ଅଞ୍ଚଳର ଆଦିବାସୀ ଯୁବକଯୁବତୀ ଯୋଗାଯୋଗ କରିଥିଲେ। ଅମୂଲ୍ୟ ବିଭିନ୍ନ ପର୍ଯ୍ୟାୟରେ ଆଶାୟୀଙ୍କଠାରୁ ଟଙ୍କା ଆଦାୟ କରିଥିଲେ। ପୁଅ ହ୍ରିତକ ରାଜଧାନୀର ବିଭିନ୍ନ ହୋଟେଲରେ ଆଶାୟୀଙ୍କ ସାକ୍ଷାତକାର ନେଉଥିଲେ। କେତେକଙ୍କୁ ଜାଲ୍ ନିଯୁକ୍ତିପତ୍ର ଦିଆ ଯାଇଥିଲା। ବିଶେଷ କରି ରେଲୱେର ଏହି ନିଯୁକ୍ତିପତ୍ର ମିଳିଥିଲା। ନିଯୁକ୍ତିପତ୍ର ଧରି ରେଲଵେ ଅଫିସରେ ପହଞ୍ଚିବା ପରେ ଏହା ଜାଲ୍ ବୋଲି ଜଣାପଡ଼ିଥିଲା। ବାପ ପୁଅଙ୍କୁ ଯୋଗାଯୋଗ କରିବା ପରେ ସେମାନଙ୍କର ଆଉ ପତ୍ତା ମି​ଳି ନ ଥିଲା। ଜଣେ ଯୁବକଙ୍କ ଅଭିଯୋଗ ଅନୁସାରେ, ରେଲୱେରେ ଚାକିରି ଖଣ୍ଡେ ପାଇଁ ସେ ତାଙ୍କର ଜମିବାଡ଼ି ବିକ୍ରି କରି ଠକଙ୍କୁ ୧୧ ଲକ୍ଷ ଟଙ୍କା ଦେଇଛନ୍ତି। ଠକାମିର ଶିକାର ହେବା ଜାଣିବା ପରେ ଏବେ ପାଦତଳୁ ମାଟି ଖସିଯିବା ଭଳି ଲାଗୁଛି ବୋଲି କହିଛନ୍ତି। ଆଜି ୧୧ ଜଣ ଯୁବକ ୩୦ ଲକ୍ଷ ଟଙ୍କାର ଠକେଇ ଅଭିଯୋଗ କରିଛନ୍ତି। କିନ୍ତୁ ମୟୂରଭଞ୍ଜରୁ ଶତାଧିକ ପିଲା ଠକାମିର ଶିକାର ହୋଇଥିବା ସେମାନେ କହିଛନ୍ତି। କେବଳ ମୟୂରଭଞ୍ଜ ନୁହେଁ; ଅନ୍ୟ ଅଞ୍ଚଳରୁ ମଧ୍ୟ ବାପପୁଅ ଯୋଡ଼ି କୋଟିକୋଟି ଟଙ୍କା ଠକେଇ କରିଥିବା ସେମାନେ ସୂଚନା ଦେଇଛନ୍ତି। ରାକେଟରେ କେବଳ ବାପପୁଅ ଅଛନ୍ତି ନା ସେମାନଙ୍କ ସହ ଆଉ କାହାର ସମ୍ପୃକ୍ତି ରହିଛି, ସେ ନେଇ ଖୋଳତାଡ଼ ଜାରି ରଖିଛି ପୁଲିସ। ଉଭୟ ଧରାପଡ଼ିବା ପରେ ପୂରା ରାକେଟର ଗୁମର ଖୋଲିବ ବୋଲି କୁହାଯାଉଛି।

ସମ୍ବନ୍ଧିତ ଖବର