କୁଖ୍ୟାତ ଠକ ରୋହିତ ପୁଣି ଗିରଫ

ଭୁବନେଶ୍ବର: କୁଖ୍ୟାତ ଠକ ରୋହିତ ଝଙ୍କାରକୁ ଆଜି ପୁଣି ଖଣ୍ଡଗିରି ଥାନା ପୁଲିସ ଗିରଫ କରିଛି। ଭୁବନେଶ୍ବର ଏମ୍‌ସରେ ଚିକିତ୍ସା ସୁବିଧା ଯୋଗାଇ ଦେବା ଆଳରେ ଜଣେ ଯୁବକଙ୍କଠାରୁ ୨ ଲକ୍ଷ ଟଙ୍କା ଝାମ୍ପି ନେବା ଅଭିଯୋଗରେ ପୁଲିସ ତାକୁ ଗିରଫ କରିଛି। ପୁଲିସ ତା’ଠାରୁ ୨ ଲକ୍ଷ ଟଙ୍କା ଓ କାର୍ ଜବତ କରିଛି।

୨ଲକ୍ଷ ଟଙ୍କା ଓ କାର୍ ଜବତ
ଏମ୍‌ସରେ ଚିକିତ୍ସାଧୀନ ରୋଗୀ ସମ୍ପର୍କୀୟଙ୍କଠାରୁ ଝାମ୍ପି ନେଇଥିଲା

ଖବର ଅନୁଯାୟୀ, ଗତ ୨୦ ତାରିଖ ଦିନ ନୂଆପଡ଼ା ଜିଲ୍ଲାର ବନବାସ ରାଉତ ଏମ୍‌ସରେ ଚିକିତ୍ସାଧୀନ ଥିବା ତାଙ୍କ ସାଙ୍ଗକୁ ଦେଖା କରିବାକୁ ଆସିଥିଲେ। ସାଙ୍ଗର ଚିକିତ୍ସା ପାଇଁ ଆବଶ୍ୟକ ୨ ଲକ୍ଷ ଟଙ୍କା ଧରି ସେ ଆସିଥିଲେ ଓ ଖଣ୍ଡଗିରିସ୍ଥିତ ଏକ ଗେଷ୍ଟ ହାଉସ୍‌ରେ ରହିଥିଲେ। ୨୧ ତାରିଖ ସକାଳେ ସେ ଖଣ୍ଡଗିରି ଛକସ୍ଥିତ ଏକ ହୋଟେଲରେ ଜଳଖିଆ ଖାଉଥିବା ବେଳେ ରୋହିତ ସହ ତାଙ୍କର ଭେଟ ହୋଇଥିଲା। ପୂର୍ବରୁ ପରିଚିତି ନଥିଲେ ବି ରୋହିତ ତାଙ୍କ ସହ କଥା ହୋଇଥିଲା ଓ ୨ ଲକ୍ଷ ଟଙ୍କା ଧରି ଆସିଛନ୍ତି ବୋଲି ଜାଣିପାରିଥିଲା।

ଏମ୍‌ସରେ ତା’ର ଭଲ ଯୋଗାଯୋଗ ରହିଛି ଓ ସେଠାରେ ଭଲ ଚିକିତ୍ସା ସୁବିଧା ଯୋଗାଇ ଦେବ ବୋଲି ସେ ବନବାସଙ୍କୁ କହିଥିଲା। ଏମିତି କଥାବାର୍ତ୍ତାରେ ବନବାସଙ୍କୁ ଅନ୍ୟମନସ୍କ କରି ସେ ହଠାତ୍ ତାଙ୍କ ଟଙ୍କା ଭର୍ତ୍ତି ବ୍ୟାଗ୍‌କୁ ଧରି କାର୍‌ ଯୋଗେ ସେଠାରୁ ଚମ୍ପଟ୍‌ ମାରିଥିଲା। ଏନେଇ ବନବାସ ଖଣ୍ଡଗିରି ଥାନାରେ ଅଭିଯୋଗ କରିଥିଲେ। ସୂଚନାଯୋଗ୍ୟ, କିଛି ମାସ ତଳେ ରୋହିତ ଚାକିରି କରାଇବା ଆଳରେ ଅନେକ ଛାତ୍ରଙ୍କ ଟଙ୍କା ଚଳୁ କରିବା ଅଭିଯୋଗରେ ଜେଲ୍‌ ଯାଇଥିଲା। ଜାମିନ୍‌ରେ ଆସି ସେ ପୁଣି ଏମିତି ଠକେଇ ଆରମ୍ଭ କରିଥିଲା।

ସମ୍ବନ୍ଧିତ ଖବର